ନୂଆଦିଲ୍ଲୀ,୦୧/୧୧: ଆଇସିସି ମହିଳା ଦିନିକିଆ ବିଶ୍ୱକପର ୧୩ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତାକାଲି (ରବିବାର) ମୁମ୍ବାଇର ଡି.ୱାଇ ପାଟିଲ୍ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଫାଇନାଲ ଫାଇଟ୍ । ଏଥର ନୂଆ ବିଶ୍ୱବିଜେତା ମିଳିବ । ଦକ୍ଷିଣ ଆଫ୍ରିକା ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୧୨୫ରନ୍‌ରେ ପରାସ୍ତ କରିଥିଲା । ସେହିପରି ଦ୍ବିତୀୟ ସେମିଫାଇନାଲରେ ଶକ୍ତିଶାଳୀ ଡିଫେଣ୍ଡିଂ ଚାମ୍ପିଆନ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ଧୂଳି ଚଟାଇ ଫାଇନାଲ ଟିକଟ ହାତେଇଛି । ଭାରତ ଓ ଦ. ଆଫ୍ରିକା ବିଶ୍ୱକପ ଟ୍ରଫି ଜିତିନାହାନ୍ତି । ତେଣୁ ଯେଉଁ ଟିମ୍‌ ଫାଇନାଲ ଜିତିବ ସେ ଇତିହାସ ରଚିବ । ଭାରତୀୟ ସମୟ ଅନୁସାରେ ଫାଇନାଲ ଅପରାହ୍ନ ୩ଟାରୁ ଆରମ୍ଭ ହେବ ।

ଭାରତ- ଦ.ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟ୍ରଫି ମୁକାବିଲାରେ ବର୍ଷା ଖଳନାୟକ ସାଜିପାରେ । accuweather.com ଅନୁସାରେ ନଭେମ୍ବର ୨ରେ ନଭି ମୁମ୍ବାଇରେ ବର୍ଷାର ପୂର୍ବାନୁମାନ ୬୩ ପ୍ରତିଶତ ରହିଛି । ପାଗ କୋହଲା ରହିବ । ଅପରାହ୍ନ ଆଡ଼କୁ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ତେବେ ଦୁଇ ଦଳ ମଧ୍ୟରୁ କିଏ ହେବ ଚାମ୍ପିଅନ ? କଣ ରହିଛି ସମୀକରଣ ତାହା ଉପରେ ନଜର ପକାନ୍ତୁ ।

କ'ଣ ଫାଇନାଲ ପାଇଁ  ରିଜର୍ଭ ଡେ ଅଛି କି ? ଏବେ କ୍ରିକେଟପ୍ରେମୀଙ୍କ ମନରେ ପ୍ରଶ୍ନ ଯଦି ରବିବାର ବର୍ଷା ହୁଏ ଏବଂ ମ୍ୟାଚ ଧୋଇଯାଏ ତେବେ କଣ ହେବ । ଯଦି ନଭେମ୍ବର ୨ରେ ମ୍ୟାଚର ପରିଣାମ ବାହାରି ନପାରେ ତେବେ ଚିନ୍ତାର କାରଣ ନାହିଁ । ଆଇସିସି ଟ୍ରଫି ଟକ୍କର ପାଇଁ ରିଜର୍ଭ ଡେ ରଖିଛନ୍ତି । ବର୍ଷା କିମ୍ବା ଅନ୍ୟ କୌଣସି କାରଣ ପାଇଁ ମ୍ୟାଚ ନହୋଇ ପାରିଲେ ରବିବାର ୨୦-୨୦ ଓଭର ମ୍ୟାଚ ହେବା ସମ୍ଭବ ହୋଇପାରୁନାହିଁ । ତେବେ ରଜର୍ଭ ଡେ ଅର୍ଥାତ ନଭେମ୍ବର ୩ରେ ମ୍ୟାଚ ଖେଳାଯିବ । ମୁମ୍ବାଇରେ ନଭେମ୍ବର ୩ ଅର୍ଥାତ ସୋମବାର ୫୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ରିଜର୍ଭ ଡେରେ ସେହିଠାରୁ ମ୍ୟାଚ ଆରମ୍ଭ ହେବ ଯେଉଁଠୁ ବନ୍ଦ ରହିଥିଲା । ଫାଇନାଲରେ ଥରେ ଟସ୍ ପଡିଗଲେ ମ୍ୟାଚକୁ ଲାଇଭ ବୋଲି ବିବେଚନା କରାଯାଏ ।

ଯଦି ବର୍ଷା ରିଜର୍ଭ ଡେର ବାଧକ ସାଜେ ଏବଂ ସର୍ବନିମ୍ନ ୨୦-୨୦ ଓଭର ମ୍ୟାଚ ଖେଳିବା ସମ୍ଭବ ହୁଏ ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକାକୁ ସଯୁକ୍ତ ବିଜେତା ଘୋଷଣା କରାଯିବ । ୨୦୦୨ ଆଇସିସି ପୁରୁଷ ଚାମ୍ପିଆନ୍ସ ଟ୍ରଫିରେ ଭାରତ ଏବଂ ଶ୍ରୀଲଙ୍କାକୁ ସଂଯୁକ୍ତ ବିଜେତା ଘୋଷଣା କରାଯାଇଥିଲା । ବିଶ୍ବକପ ଇତିହାସରେ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ପୂର୍ବରୁ ୨୦୦୫ ଓ ୨୦୧୭ରେ ଫାଇନାଲରେ ଏଣ୍ଟ୍ରୀ କରିଥିଲା । ୨ ଥର ରନର୍ସଅପ୍ ହୋଇଛି ଭାରତ । ଏଥର ନୂଆ ବିଶ୍ୱବିଜେତା ମିଳିବ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରୁ କେଉଁ ଦଳ ବିଶ୍ୱ ଚାମ୍ପିଅନ ହେବ ତାହା ରବିବାର ସ୍ପଷ୍ଟ ହୋଇଯିବ ।