ନୂଆଦିଲ୍ଲୀ, ୧୦।୭: ୟୁଜର୍ସଙ୍କ ପାଇଁ ଏକ ବଡ଼ ଏବଂ ଆକର୍ଷଣୀୟ ଫିଚର ଆଣିବାକୁ ଯାଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ । ଏଣିକି ଆପଣଙ୍କ ସାଙ୍ଗସାଥୀ କିମ୍ବା ପରିବାର ଲୋକଙ୍କ ଜନ୍ମଦିନ ଆପଣ ଆଉ ଭୁଲିବେ ନାହିଁ । ମେଟା ମାଲିକାନାରେ ଥିବା ଏହି ଆପ୍ରେ ଏକ ଇନ୍-ବିଲ୍ଟ 'ବର୍ଥଡେ ରିମାଇଣ୍ଡର' ଫିଚର ଆସିବାକୁ ଯାଉଛି, ଯାହାର ଟେଷ୍ଟିଂ ବର୍ତ୍ତମାନ ଚାଲିଛି । ଏହି ଫିଚର ଆସିବା ପରେ ବନ୍ଧୁମାନଙ୍କ ଜନ୍ମଦିନ ମନେ ରଖିବା ପାଇଁ ଆପଣଙ୍କୁ ଆଉ କୌଣସି କ୍ୟାଲେଣ୍ଡର କିମ୍ବା ଥର୍ଡ-ପାର୍ଟି ଆପ୍ର ସାହାରା ନେବାକୁ ପଡ଼ିବ ନାହିଁ ।

କେମିତି କାମ କରିବ ଏହି 'ବର୍ଥଡେ ରିମାଇଣ୍ଡର' ଫିଚର ?

ହ୍ୱାଟ୍ସଆପ୍ ର ପ୍ରତିଟି ଅପଡେଟ୍ ଉପରେ ନଜର ରଖୁଥିବା ୱେବସାଇଟ୍ WABetaInfo ର ରିପୋର୍ଟ ଅନୁଯାୟୀ, ହ୍ୱାଟସ୍ଆପ୍ର ଆଣ୍ଡ୍ରଏଡ୍ ବିଟା ଅପଡେଟ୍ ରେ ଏହି ନୂଆ ଫିଚରର ଝଲକ ଦେଖିବାକୁ ମିଳିଛି । ଆପ୍ ଭିତରେ ଏକ ସ୍ୱତନ୍ତ୍ର ବର୍ଥଡେ ସେକ୍ସନ ଦିଆଯିବ, ଯେଉଁଠାରେ ଆଗକୁ କେଉଁ କେଉଁ ବନ୍ଧୁଙ୍କ ଜନ୍ମଦିନ ଆସୁଛି, ତାହାର ଏକ ଲିଷ୍ଟ ଦେଖାଯିବ । କୌଣସି କଣ୍ଟାକ୍ଟର ଜନ୍ମଦିନ ପାଖେଇ ଆସିଲେ, ହ୍ୱାଟ୍ସଆପ୍ ଆପଣଙ୍କୁ ଆପ୍ ଭିତରେ ହିଁ ଏକ ରିମାଇଣ୍ଡର ବା ନୋଟିଫିକେସନ୍ ପଠାଇବ । ଯାହାଫଳରେ ଆପଣ ଠିକ୍ ସମୟରେ ସେମାନଙ୍କୁ ଶୁଭେଚ୍ଛା ଜଣାଇପାରିବେ । ତେବେ ଏହି ଫିଚରର ଲାଭ ଆପଣ ସେତେବେଳେ ପାଇବେ, ଯେତେବେଳେ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ବ୍ୟକ୍ତିଜଣକ ନିଜ ହ୍ୱାଟ୍ସଆପ୍ ପ୍ରୋଫାଇଲ୍ରେ ଜନ୍ମ ତାରିଖ ସେଭ୍ କରି ରଖିଥିବେ । ବର୍ତ୍ତମାନ ସୁଦ୍ଧା ହ୍ୱାଟ୍ସଆପ୍ ସବୁ ୟୁଜର୍ସଙ୍କୁ ଜନ୍ମ ତାରିଖ ମାଗୁନାହିଁ, କିନ୍ତୁ ଆଗକୁ ଏହା ବାଧ୍ୟତାମୂଳକ କିମ୍ବା ଏକ ଅପ୍ସନ ଭାବେ ଯୋଡ଼ାଯିବ ।

ଏହା ବି ପଢ଼ନ୍ତୁ... Microsoft layoffs : ଛଟେଇ ସତ୍ତ୍ୱେ ମାଇକ୍ରୋସଫ୍ଟର ଉଦାରତା , କର୍ମଚାରୀଙ୍କୁ ୯ ମାସ ଯାଏ ଦରମା ଦେବ କମ୍ପାନୀ

ପ୍ରାଇଭେସିକୁ ନେଇ କ'ଣ ରହିଛି ସୂଚନା ?

ବର୍ତ୍ତମାନ ଏହି ଫିଚରଟି କେବଳ ଡେଭଲପମେଣ୍ଟ ଷ୍ଟେଜ୍ ରେ ଅଛି । ଏହାକୁ ଏପର୍ଯ୍ୟନ୍ତ ବିଟା ଟେଷ୍ଟରମାନଙ୍କ ପାଇଁ ମଧ୍ୟ ଉପଲବ୍ଧ କରାଯାଇନାହିଁ । ଆପଣଙ୍କ ଜନ୍ମଦିନ ସମସ୍ତ କଣ୍ଟାକ୍ଟଙ୍କୁ ଦେଖାଯିବ ନାହିଁ ଏହାକୁ ଲୁଚାଇବାର କୌଣସି ଅପ୍ସନ ରହିବ, ସେନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସମସ୍ତ ଗ୍ରାହକଙ୍କ ପାଇଁ ଏହି ଫିଚର ରୋଲ୍ଆଉଟ୍ ହେବା ପୂର୍ବରୁ ମେଟା ଏଥିରେ ପ୍ରାଇଭେସି ସେଟିଂସ ନିଶ୍ଚୟ ଯୋଡ଼ିବ, ଯେଉଁଠାରେ ୟୁଜର୍ସ ନିଜ ଇଚ୍ଛା ଅନୁସାରେ ନିଜ ଜନ୍ମଦିନକୁ ଅନ୍ୟମାନଙ୍କୁ ଦେଖାଇପାରିବେ କିମ୍ବା ଲୁଚାଇ ପାରିବେ ।