ମୁମ୍ୱାଇ : ମହମ୍ମଦ ରଫି ଏବଂ ଲତା ମଙ୍ଗେସକର ଦୁହେଁ, ହିନ୍ଦୀ ମ୍ୟୁଜିକ ଇଣ୍ଡଷ୍ଟ୍ରୀର ଏମିତି ମହାନ ଗାୟକ ଥିଲେ, ଯାହାଙ୍କ ସ୍ୱରକୁ ଲକ୍ଷ ଲକ୍ଷ ଲୋକ ଭଲ ପାଆନ୍ତି। ଦୁହେଁ ଏକାଠି ଅନେକ ହିଟ୍ ଗୀତ ଦେଇଛନ୍ତି, କିନ୍ତୁ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଫାଟ। ଏହା ଥିଲା ୧୯୬୩ ମସିହା କଥା, ଫିଲ୍ମ ଥିଲା ତାଜମହଲ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ରୋଶନ। ସେହି ସମୟରେ ରଫି ସାହେବ ଏବଂ ଲତା ମଙ୍ଗେସକରଙ୍କ ମଧ୍ୟରେ ରୟାଲଟିକୁ ନେଇ ବିବାଦ ଚାଲି ଥିଲା। ଷ୍ଟୁଡିଓ ପରିବେଶରେ ଏକ ଅଜବ ଧରଣର ନୀରବତା ଓ ଉତ୍ତେଜନା ଖେଳି ଯାଇ ଥିଲା। କିନ୍ତୁ ରୋଶନ ସାହେବ ଏହି ଦୁଇ କିମ୍ୱଦନ୍ତୀ ଗାୟକଙ୍କୁ ଚାହୁଁ ଥିଲେ। ପରସ୍ପରକୁ ନ ଦେଖି ସେମାନେ ଗୀତ ଗାଇବା ଆରମ୍ଭ କଲେ। ଏହା ପରେ, ଦୁହେଁ ଗୀତ ଗାଇଲେ ,ଜୋ ୱାଦା କିୟା ହୋ ନିଭାନା ପଡେଗା...।
ଏହି ଗୀତ ଶୁଣିବା ପରେ ଲତା ଭାବପ୍ରବଣ ହୋଇ ଯାଇଥିଲେ -
ଏହି ଗୀତଟି ଦୁହିଁଙ୍କ କ୍ୟାରିଅରର ସବୁଠାରୁ ବଡ଼ ହିଟ୍ ଗୀତ ମଧ୍ୟରୁ ଗୋଟିଏ। ଏହାକୁ ଶୁଣିବା ପରେ ଲତା ମଙ୍ଗେସକର ବହୁତ ଭାବପ୍ରବଣ ହୋଇଯାଇ ଥିଲେ। ଲତା ନିଜେ କହିଥିଲେ ଯେ, ତାଙ୍କ ପ୍ରଶଂସକମାନେ ଏହି ଗୀତକୁ ସବୁଠାରୁ ଅଧିକ ପସନ୍ଦ କରୁ ଥିଲେ। ସେ କହୁଥିଲେ , ରଫି ସାହେବ ଏଥିରେ ଯେଉଁ ଭାବପ୍ରବଣତା ଦେଇଥିଲେ , ତାହା ଶୁଣି ସେ କାନ୍ଦି ପକାଇ ଥିଲେ।
କହୁ ରଖୁଛୁ କି, ଲତା ଓ ରଫି ସାହେବ ପ୍ରଥମେ ଏକାଠି ‘ଚଲୋ ହୋ ଗୟି ତୈୟାର’ ଗାଇ ଥିଲେ। ଏହି ଗୀତଟି ଫିଲ୍ମ ‘ଶାଦି ସେ ପହଲେ’ ର ଥିଲା। ଏହି ଗୀତ ସହ ଦର୍ଶକଙ୍କୁ ହିନ୍ଦୀ ଫିଲ୍ମ ମ୍ୟୁଜିକରେ ଏକ ନୂଆ ଯୋଡ଼ି ମିଳି ଯାଇଥିଲା। ଏହାପରେ ଦୁହେଁ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି। ଏଥିରେ ରହିଛି "ବୈଜୁ ବାୱରା," "ମଦର ଇଣ୍ଡିଆ," "କୋହିନୂର," ଏବଂ "ମେରେ ମେହବୁବ" ସମେତ ଅନେକ ଫିଲ୍ମ ଗୀତ। ଏତେ ସବୁ ସଫଳତା ପରେ ହଠାତ୍ ୧୯୬୩ ମସିହାରେ, ଦୁହିଁଙ୍କର ସଂପର୍କରେ କଳା ବାଦଲ ଘୋଟି ଆସି ଥିଲା। ରଫି ଏକ ସାଧାରଣ ଜୀବନକୁ ପସନ୍ଦ କରୁଥିଲେ ଏବଂ ସେ ଅନେକ ଫିଲ୍ମର ବିଜନେସ ଠାରୁ ଦୂରେଇ ରହୁ ଥିଲେ।
ଦୁହିଁଙ୍କ ମଧ୍ୟରେ କଣ ବିବାଦ ଥିଲା -
ଲତା ମଙ୍ଗେସକର ସେହି ସମୟରେ ତାଙ୍କ ଗୀତ ପାଇଁ ରୟାଲଟି ଚାହୁଁ ଥିଲେ, ଯାହା ସେତେବେଳେ ଭାରତରେ ସାଧାରଣ ନଥିଲା। ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଲା ଏବଂ HMV ଯାହା ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ସଂଗୀତ ଲେବଲ୍ , ସେ କହିଥିଲେ ଯଦି ରୟାଲଟି ଦେବାକୁ ହୁଏ, ତେବେ ତାହା ପ୍ରଯୋଜକ ମାନେ ଦେବେ। ପ୍ରଯୋଜକ ମାନେ HMVକୁ କହି ଥିଲେ ସେମାନେ ହିଁ ତାହା ଦେବେ। ସେହି ସମୟରେ, ଲତା, ମୁକେଶ ଏବଂ ତଲାକ ମହମୁଦ ଘୋଷଣା କରି ଥିଲେ ଯେ, ଯଦି ସେମାନେ ରୟାଲଟି ପାଆନ୍ତି,ତ ସେମାନେ ସେମାନଙ୍କ ପାଇଁ ଗୀତ ଗାଇବେ ନାହିଁ। ସେମାନେ ଅନ୍ୟ ଗାୟକମାନଙ୍କୁ ମଧ୍ୟ ସମାନ କଥା କହି ଥିଲେ, କିନ୍ତୁ ସେତେବେଳେ ଲତା ଜାଣିବାକୁ ପାଇଲେ ଯେ, ରଫି HMV ପାଇଁ ଏକ ଗୀତ ରେକର୍ଡ କରିଛନ୍ତି।
୨୦୦୯ ମସିହାରେ ଏକ ସାକ୍ଷାତକାରରେ ଲତା ମଙ୍ଗେସକର କହିଥିଲେ, ମୁଁ ରୟାଲଟି ନେବାକୁ ଚାହୁଁ ଥିଲି, କିନ୍ତୁ ମୁଁ ଏହାମଧ୍ୟ ଚାହୁଁଥିଲି ଯେ ଅନ୍ୟ କଳାକାରମାନେ ମଧ୍ୟ ତାହା ପାଆନ୍ତୁ। କିନ୍ତୁ ରଫି ସାହେବ ମୋ ଅଭିଯାନର ବିରୋଧ କରି ଥିଲେ। ସେ କହୁଥିଲେ, ଆମେ ଆମର ଗୀତ ପାଇଁ ପ୍ରଯୋଜକଙ୍କ ଠାରୁ ପାରିଶ୍ରମିକ ପାଉଏବଂ ଆମକୁ କେବଳ ଏହା ହିଁ ଦରକାର। ସେ ତା'ପରେ ମୁକେଶଙ୍କୁ କହି ଥିଲେ, ମୋର ମନେ ହେଉଛି ଏହି ମହାରାଣୀ ଏଠାରେ ତାହା କହିବେ ଯାହା ତାଙ୍କୁ କହିବାର ଅଛି। ମୁଁ ମଧ୍ୟ କହିଲି ହଁ ମୁଁ ମହାରାଣୀ।
କୁହାଯାଏ ଯେ,ଏହା ପରେ ରଫି ସାହେବ ଲତାଙ୍କ ସହ ଗୀତ ନଗାଇବାକୁ ନିଷ୍ପତ୍ତି ନେଲେ। ୨୦୧୨ରେ ସୁଭାଷ କେ. ଝାଙ୍କ ସହିତ ଏକ ସାକ୍ଷାତକାରରେ ଲତା କହି ଥିଲେ, ରଫି ସାହେବ ମୋତେ କହି ଥିଲେ ଯେ, ମୁଁ ଆଉ ଲତାଙ୍କ ସହ ଗୀତ ଗାଇବାକୁ ଚାହୁଁ ନାହିଁ। ମୁଁ ଏହା ମଧ୍ୟ କହି ଥିଲି, ' ରଫି ସାହେବ, ଆପଣ ମୋ ସହ ଗୀତ ଗାଇବେ ନାହିଁ? ମୁଁ ମଧ୍ୟ ଆପଣଙ୍କ ସହିତ ଗୀତ ଗାଇବି ନାହିଁ ' ମୁଁ ବହୁତ ରାଗି ଗଲି ଏବଂ ତା'ପରେ ସବୁ କମ୍ପୋଜରଙ୍କୁ କହିଥିଲି , ମୋତେ ରଫି ସାହେବଙ୍କ ବ୍ୟତୀତ ଅନ୍ୟ ଗାୟକଙ୍କ ସହିତ ଗୀତ ଗାଇବାକୁ ଦିଆଯାଉ।
ଲତା ଓ ରଫି ସାହେବ ଏହାପରେ ୩ ବର୍ଷ ଯାଏ ପରସ୍ପର ସହ ଗୀତ ଗାଇ ନଥିଲେ, ଯାହାକୁ ଇଣ୍ଡଷ୍ଟ୍ରୀର ଅନେକ ମ୍ୟୁଜିକ କମ୍ପୋଜରଙ୍କ ପାଇଁ ମୁସ୍କିଲ ପାଲଟି ଯାଇ ଥିଲା। ଲତା କହି ଥିଲେ , ପୁଣି ଝଗଡ଼ା ସମାଧାନ ହେବା ପରେ , ଆମେ ଅନେକ ଗୀତ ଏକାଠି କଲୁ। ପରେ ଆମେ ହସୁ ଥିଲୁ ଯେ, କେମିତି ଫାଲତୁ କଥାରେ ଆମେ ଲଢେଇ କରିଥିଲୁ।
କହି ରଖୁଛୁ ଯେ, ମହମ୍ମଦ ରଫି ଓ ଲତା ମଙ୍ଗେସକର ଏକାଠି ୪୪୮ଗୀତ ଗାଇଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ବିଳାସପୂର୍ଣ୍ଣ ବଙ୍ଗଳାର ମାଲିକ ଭାରତର ‘ ଗୋଲଡେନ ବୟ ’ ନୀରଜ ଚୋପ୍ରା : ଦାମ୍ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ