ନୂଆଦିଲ୍ଲୀ,୧୦/୧୦: ୨୦୧୮ ମସିହାର ଘଟଣା । ସମାଜସେବା ପାଇଁ ଚର୍ଚ୍ଚାରେ ଥିବା ରତନ ଟାଟାଙ୍କୁ ସମ୍ମାନିତ କରିବାକୁ ମନସ୍ଥ କରିଥିଲେ ବ୍ରିଟେନର କିଙ୍ଗ ଚାର୍ଲସ-୩ (ସେ ସମୟର ପ୍ରିନ୍ସ ଚାର୍ଲସ) । ବ୍ରିଟିଶ ଏସିଆନ ଟ୍ରଷ୍ଟ ଦ୍ୱାରା ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ ସକାଶେ ନିଷ୍ପତ୍ତି ହୋଇଥିଲା । ୨୦୧୮ ମସିହା ଫେବ୍ରୁଆରୀ ୬ ତାରିଖରେ ବକିଙ୍ଗହାମ୍ ପାଲେସରେ ରତନଙ୍କୁ ସ୍ୱାଗତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବ୍ୟକ୍ତିଗତ କାରଣ ଦର୍ଶାଇ ରତନ ତାଙ୍କ ବ୍ରିଟେନ ଗସ୍ତ ବାତିଲ କରିଦେଇଥିଲେ ।
ରତନ ବ୍ରିଟେନରେ ପୁରସ୍କାର ଉତ୍ସବରେ ଯୋଗ ଦେବାକୁ ପ୍ରସ୍ତୁତ ଥିବା ସ୍ତମ୍ଭକାର ତଥା ଉଦ୍ୟୋଗପତି ସୁହେଲ ସେଠଙ୍କୁ ଫୋନ୍ କରି ଏହି କାରଣ କହିଥିଲେ । ଟାଟାଙ୍କର ଟାଙ୍ଗୋ ଓ ଟିଟୋ ନାମରେ ତୁଇଟି କୁକୁର ଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁର ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ଚିନ୍ତିତ ରତନ ବ୍ରିଟେନ ଗସ୍ତ ବାତିଲ କରିଥିଲେ । ପୋଷା କୁକୁର ପାଇଁ ପୁରସ୍କାରକୁ ଆଡ଼େଇ ଦେବା ନିଷ୍ପତ୍ତିରେ ଅନେକ ବିସ୍ମିତ ହୋଇଥିଲେ ମଧ୍ୟ ଚାର୍ଲସ ରତନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଏହାହିଁ ତାଙ୍କର ସ୍ୱତନ୍ତ୍ର ଗୁଣ । ଖାସ୍ ଏଥିପାଇଁ ଟାଟା ହାଉସ ଆଜି ସର୍ବୋଚ୍ଚ ସ୍ଥାନରେ ।
ସୂଚନାଯୋଗ୍ୟ, ରତନ ଟାଟା ୨୧ ବର୍ଷ ବୟସରେ ୧୯୯୧ରେ ଅଟୋଠୁ ନେଇ ଇସ୍ପାତ ପର୍ୟ୍ୟରନ୍ତ କାରବାର ସହ ଜଡ଼ିତ ଟାଟା ଗ୍ରୁପର ଅଧ୍ୟକ୍ଷ ହୋଇଥିଲେ। ଚେୟାରମ୍ୟାନ ହେବା ପରେ ସେ ଟାଟା ଗ୍ରୁପକୁ ଏକ ନୂତନ ଶିଖରରେ ପହଞ୍ଚାଇଥିଲେ। ସେ ୨୦୧୨ ମସିହା ପର୍ୟ୍ୟ ନ୍ତ କମ୍ପାନିର ନେତୃତ୍ଵ ନେଇଥିଲେ। ୨୦୦୮ରେ ରତନ ଟାଟାଙ୍କୁ ସରକାରଙ୍କ ଦ୍ଵାରା ଦେଶର ଦ୍ଵିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା।