ନୂଆଦିଲ୍ଲୀ, ୧୩/୦୬ : ଅର୍ଥବ୍ୟବସ୍ଥା ଉପରେ ବେରୋଜଗାର ସବୁଠୁ ବଡ଼ ଚ୍ୟାଲେଞ୍ଜ। ବିଶ୍ଵରେ ଏମିତି କିଛି ଦେଶ ଅଛନ୍ତି ଯେଉଁମାନେ ବେରୋଜଗାର ସମସ୍ୟା ଦେଇ ଗତି କରୁଛନ୍ତି। ଏସ୍ଵାତିନୀ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ବେରୋଗାରୀର ଶୀର୍ଷରେ ରହିଛନ୍ତି। ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଏବଂ ମାନବ ବିକାଶ ପ୍ରତିଷ୍ଠାନର ରିପୋର୍ଟରେ ଏହା ପ୍ରକାଶ ପାଇଛି। ତେବେ ଆପଣ ଜାଣିଛନ୍ତି କି ? ଭାରତ ଏହି ତାଲିକାରେ କେତେ ନମ୍ଵରରେ ଅଛି ?
୨୦୨୫-୨୬ର ଗ୍ଲୋବାଲ ବେରୋଜଗାରୀ ରିପୋର୍ଟରେ ଏସ୍ଵାତିନୀ ସବୁଠୁ ଶୀର୍ଷରେ ଅଛି। ଏଠାରେ ବେରୋଜଗାରୀ ହାର ପ୍ରାୟ ୩୪.୨%। ଏହାପରେ ଦକ୍ଷିଣ ଆଫ୍ରିକା ୨ ନମ୍ଵରରେ ଅଛି। ଏଠାରେ ବେରୋଜଗାରୀ ହାର ୩୨.୪%। ଜିବୁତି ମଧ୍ୟ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। ଏଠାରେ ୱାର୍କଫୋର୍ସର ଏକ ବଡ଼ ଅଂଶ ଚାକିରି ଖୋଜିବା ପାଇଁ ସଂଘର୍ଷ କରୁଛନ୍ତି। ଏହି ଦେଶ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।
ରିପୋର୍ଟ ଅନୁଯାୟୀ, ଭାରତରେ ବେରୋଜଗାରୀ ହାର ଗ୍ଲୋବାଲ୍ ରାଙ୍କ ଅନୁଯାୟୀ ଖୁବ୍ କମ୍ ଅଛି। ହେଲେ ସବୁଠୁ ଚିନ୍ତାର ବିଷୟ ଏଠାରେ ବେକାର ଜନସଂଖ୍ୟାର ଏକ ବଡ଼ ଭାଗ ହେଉଛନ୍ତି ଯୁବପିଢ଼ି। ବେକାର ତାଲିକାରେ ପ୍ରାୟ ୮୩ ପ୍ରତିଶତ ଯୁବବର୍ଗ ଅଛନ୍ତି। ଏମାନେ ପ୍ରାୟତଃ ୧୫ ରୁ ୨୯ ଆୟୁ ବର୍ଗର ବୋଲି ସୂଚନା ମିଳିଛି। ସରଳ ଭାଷାରେ କହିଲେ ଭାରତରେ ପ୍ରତି ୧୦୦ ବେକାରୀଙ୍କ ମଧ୍ୟରେ ୮୩ ଜଣ ଯୁବକ। ସବୁଠୁ ଚିନ୍ତାଜନକ ବିଷୟ ବେକାରୀଙ୍କ ମଧ୍ୟରେ ସବୁଠୁ ଅଧିକ ହେଉଛନ୍ତି ଶିକ୍ଷିତ ବେରୋଜଗାର। ପଢୁଆ ବେରୋଜଗାର ଯୁବକଙ୍କ ଅନୁପାତ ୨୦୦୦ ମସିହାରେ ୩୫.୨% ରୁ ବଢି ୬୫.୭%ରେ ପହଞ୍ଚିଛି। ସେହିପରି ଗ୍ରାଜୁଏଟ୍ ବେକାରୀଙ୍କ ସ୍ଥିତି ନକହିବା ଭଲ। ୨୦ ରୁ ୨୯ ବର୍ଷ ବୟସ୍କ ବେକାରୀଙ୍କ ମଧ୍ୟରେ ପ୍ରାୟ ୬୭% ଗ୍ରାଜୁଏଟ୍। ପ୍ରତି ବର୍ଷ ଲକ୍ଷ ଲକ୍ଷ ଯୁବକ ୱାର୍କଫୋର୍ସରେ ସାମିଲ ହେଉଛନ୍ତି। ତେଣୁ ସେମାନଙ୍କୁ ନିଯୁକ୍ତ କରିବାକୁ ଦେଶକୁ ଅଧିକ ନିଯୁକ୍ତି ସୁଯୋଗ କାଢିବାକୁ ପଡ଼ିବ।
ଆହୁରି ପଢନ୍ତୁ- ଚିକିତ୍ସା ବିଜ୍ଞାନର ଯୁଗାନ୍ତକାରୀ ପଦକ୍ଷେପ, ବୟସ-ରୋଧୀ ଔଷଧର ପ୍ରଥମ ମାନବ ପରୀକ୍ଷଣ