ନୂଆଦିଲ୍ଲୀ ୧୨/୦୬: ଚିକିତ୍ସା ବିଜ୍ଞାନର ଯୁଗାନ୍ତକାରୀ ପଦକ୍ଷେପ । ଯାହାକୁ ଅଦ୍ୟାବଧି କେବଳ ବିଜ୍ଞାନ ଓ କଳ୍ପନା ବୋଲି ମନେ କରାଯାଉଥିଲା, ଆଜି ତାହା ବାସ୍ତବତାରେ ରୂପାନ୍ତରିତ ହୋଇଛି । ବୈଜ୍ଞାନିକମାନେ ମଣିଷର ବାର୍ଦ୍ଧକ୍ୟ ପ୍ରଭାବକୁ ରୋକିବା ଏବଂ ବୟସକୁ ପୁନଃ ଫେରାଇ ଆଣିବା ଦିଗରେ ବଡ଼ ସଫଳତା ହାସଲ କରିଛନ୍ତି ।

ଆମେରିକାର ବୋଷ୍ଟନ ସ୍ଥିତ ବାୟୋଟେକ୍ନୋଲୋଜି କମ୍ପାନି ‘ଲାଇଫ୍ ବାୟୋସାଇନ୍ସେସ୍’ ଘୋଷଣା କରିଛି, ବିଶ୍ୱର ପ୍ରଥମ ‘ପାର୍ସିଆଲ ସେଲ୍ୟୁଲାର ରିପ୍ରୋଗ୍ରାମିଙ୍ଗ’ର ପ୍ରଥମ ମାନବ ପରୀକ୍ଷଣ ହୋଇଛି । ‘ଇଆର୍-୧୦୦’ ନାମକ ପରୀକ୍ଷାମୂଳକ ଚିକିତ୍ସା ଜରିଆରେ ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରାଯାଇଛି । ଗ୍ଲୁକୋମା ଓ ବୟସ ସହ ଜଡ଼ିତ ଚକ୍ଷୁର ଅନ୍ୟ ରୋଗ ଯୋଗୁ ଦୃଷ୍ଟିଶକ୍ତି ହରାଉଥିବା ରୋଗୀଙ୍କ ଉପରେ ଏହାର ପ୍ରାଥମିକ ପରୀକ୍ଷଣ କରାଯାଇଛି । ଏହି ଥେରାପି ବୟସ୍କ ହୋଇସାରିଥିବା କୋଷିକାଗୁଡ଼ିକୁ ପୁନଃ ଯୁବା ଓ ସକ୍ରିୟ କରିବ, ଯାହା ଦ୍ୱାରା ହରାଇଥିବା ଦୃଷ୍ଟିଶକ୍ତିକୁ ଫେରିପାଇବା ସମ୍ଭବ ହୋଇପାରିବ ବୋଲି ଅଧ୍ୟୟନକର୍ତ୍ତା ଆଶାବାଦୀ ।

ପ୍ରୟୋଗର ପ୍ରଥମ ପର୍ଯ୍ୟାୟରେ ଗ୍ଲୁକୋମା ପୀଡ଼ିତ ଜଣେ ରୋଗୀଙ୍କର ଗୋଟିଏ ଆଖିରେ ସିଧାସଳଖ ଏହି ପ୍ରୟୋଗାତ୍ମକ ଜିନ୍ ଥେରାପିକୁ ଇଞ୍ଜେକ୍ଟ କରାଯାଇଛି । ପରୀକ୍ଷଣରେ ପ୍ରାୟ ୨୦ରୁ କମ୍ ରୋଗୀଙ୍କୁ ସାମିଲ କରାଯାଇଛି । ବୋଷ୍ଟନ୍, ନ୍ୟୁୟର୍କ, ଲସ୍ ଏଞ୍ଜେଲସ ଓ ଚାର୍ଲସଟନ୍ ଭଳି ବଡ଼ ସହରମାନଙ୍କର ସ୍ୱତନ୍ତ୍ର କ୍ଲିନିକ୍‌ରୁ ଏମାନଙ୍କୁ ଚୟନ କରାଯାଇଛି । ଏହି ଟେକ୍ନୋଲୋଜି ମଣିଷ ଶରୀର ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ କି ନୁହେଁ, ସୁନିଶ୍ଚିତ କରିବା ପାଇଁ ଡାକ୍ତର ଓ ବୈଜ୍ଞାନିକମାନେ ଆଗାମୀ ଅନେକ ମାସ ଯାଏ ଏହି ରୋଗୀଙ୍କ ଉପରେ ନଜର ରଖିବେ । ଏହି ପ୍ରକ୍ରିୟାରେ ସର୍ବପ୍ରଥମେ ରୋଗୀଙ୍କ ଆଖିରେ ଏକ ଏକକ ଜିନ୍ ଥେରାପି ଇଞ୍ଜେକ୍ସନ୍ ଦିଆଯାଏ, ପରେ ତାଙ୍କୁ କିଛି ସପ୍ତାହ ଯାଏ ଆଣ୍ଟିବାୟୋଟିକ୍ ଔଷଧଗୁଡ଼ିକର ସ୍ୱତନ୍ତ୍ର କୋର୍ସ ପ୍ରଦାନ କରାଯାଏ ।

​​​​​​​

ଏହି ଆଣ୍ଟିବାୟୋଟିକ୍ ଔଷଧ ଶରୀର ଭିତରକୁ ଯାଇ ୩ ପ୍ରକାର ଚିକିତ୍ସାଯୋଗ୍ୟ ଜିନ୍ଗୁଡ଼ିକ ପାଇଁ କେମିକାଲ ‘ଅନ୍ ସ୍ୱିଚ୍’ର କାମ କରେ, ଯାହା କୋଷିକାଗୁଡ଼ିକର ‘ରିପ୍ରୋଗ୍ରାମ୍’ ଆରମ୍ଭ କରିଦିଅନ୍ତି । ପୂର୍ବରୁ ମୂଷା ଓ ମାଙ୍କଡ଼ଙ୍କ ଉପରେ କରାଯାଇଥିବା ସଫଳ ପରୀକ୍ଷଣରେ ଏହି ଟେକ୍ନୋଲୋଜି ବୃଦ୍ଧ ହୋଇଥିବା ଜୀବଙ୍କ ଅପ୍ଟିକ୍ ନର୍ଭ (ଚକ୍ଷୁର ସ୍ନାୟୁ)ର ସଂଯୋଗକୁ ପୁନଃ ଯୋଡ଼ି ଦୃଷ୍ଟିଶକ୍ତିକୁ ସଫଳତାପୂର୍ବକ ଫେରାଇ ଦେଇଥିଲା ।

 

ଏହି ପରୀକ୍ଷଣ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ଜେନେଟିକ୍ସ ବୈଜ୍ଞାନିକ ଡେଭିଡ୍ ସିଙ୍କଲେୟରଙ୍କ ଇନ୍ଫର୍ମେସନ ଥିଓରି ଅଫ୍ ଏଜିଂ ଉପରେ ପର୍ଯ୍ୟବସିତ । ଏହି ସିଦ୍ଧାନ୍ତ ଅନୁସାରେ, ଆମ ଶରୀର ବୃଦ୍ଧ ହେବାର କାରଣ ସମୟ ସହିତ ଏହାର କୋଷିକାଗୁଡ଼ିକ ମଣିଷକୁ ଠିକ୍ରେ କାମ କରିବାରେ ସାହାଯ୍ୟ କରୁଥିବା ସେହି ଜୈବିକ ନିର୍ଦ୍ଦେଶାବଳୀରେ ପହଞ୍ଚିବାର କ୍ଷମତାକୁ ହରାଇଦିଏ । ଇଆର୍-୧୦୦ ଥେରାପି ଜିନ୍ ଥେରାପି ସାହାଯ୍ୟରେ ଚକ୍ଷୁର ପ୍ରଭାବିତ କୋଷିକାଗୁଡ଼ିକୁ କିଛି ସ୍ୱତନ୍ତ୍ର ସଂଶୋଧିତ ରିପ୍ରୋଗ୍ରାମିଙ୍ଗ କାରକକୁ ପଠାଏ । ଏହି କାରକ କୋଷିକାର ମୂଳ ପରିଚୟକୁ ସମ୍ପୂର୍ଣ୍ଣ ନ ବଦଳାଇ ତା’ ଭିତରେ ଜିନ୍ ଅଭିବ୍ୟକ୍ତିର ସେହି ପୁରୁଣା ଓ ଯୁବ ପ୍ୟାଟର୍ନକୁ ପୁନଃ ସକ୍ରିୟ କରେ ଯାହା ଦୀର୍ଘ ବର୍ଷ ପୂର୍ବେ ଥିଲା ।

ଆହୁରି ପଢ଼ନ୍ତୁ...Employee scolded for working too much: ଅଫିସ୍ରେ ଅଧିକ କାମ କରି ଗାଳି ଶୁଣିଲେ କର୍ମଚାରୀ, ମ୍ୟାନେଜର୍ କହିଲେ ଏମିତି କିଛି