ବରଗଡ଼, ୨୨।୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସହଯୋଗରେ ଉତକ୍ଷେପଣ କରାଯାଇଥିବା ଦେଶର ପ୍ରଥମ ଘରୋଇ ନିର୍ମିତ ରକେଟ 'ବିକ୍ରମ-ଏସ୍' ଭାରତୀୟ ମହାକାଶ ବିଜ୍ଞାନ ଇତିହାସରେ ଏକ ନୂତନ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି । ହାଇଦ୍ରାବାଦସ୍ଥିତ ମହାକାଶ ପ୍ରଯୁକ୍ତିବିଦ୍ୟା ସଂସ୍ଥା 'ସ୍କାଏରୁଟ୍ ଏରୋସ୍ପେସ୍' ଦ୍ୱାରା ପ୍ରସ୍ତୁତ ଏହି ରକେଟର ସଫଳ ଉତକ୍ଷେପଣ ଭାରତକୁ ବିଶ୍ୱର ଅଗ୍ରଣୀ ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଛି । ଏହି ବିଶାଳ ଏବଂ ଐତିହାସିକ ସଫଳତା ପଛରେ ଅନେକ ନିଷ୍ଠାପର ବୈଜ୍ଞାନିକ ଏବଂ ଯନ୍ତ୍ରୀଙ୍କ ଆପ୍ରାଣ ଉଦ୍ୟମ ରହିଛି । ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଶାର ବରଗଡ଼ ମାଟିର ସୁଯୋଗ୍ୟ ସନ୍ତାନ, ଯୁବ ବୈଜ୍ଞାନିକ ଇଂ. ଶିଭମ ଆର୍ଯ୍ୟନ ବାଗ । ଏହି ଗୁରୁତ୍ୱପୂର୍ଣ୍ଣ ମିଶନରେ ସାମିଲ ହୋଇ ସେ କେବଳ ନିଜ ପରିବାର ନୁହେଁ, ବରଂ ସମଗ୍ର ବରଗଡ଼ ଜିଲ୍ଲା ତଥା ଓଡ଼ିଶା ପାଇଁ ବିରାଟ ଗୌରବ ଆଣିଛନ୍ତି ।
ଏହା ବି ପଢ଼ନ୍ତୁ... Ekamra Project : ମୁହଁ ମାଡ଼ି ପଡ଼ିଛି ଏକାମ୍ର ପ୍ରକଳ୍ପ, ୯ଟିରୁ ବନ୍ଦ କରିଦେଲେ ୫ଟି ପ୍ରକଳ୍ପ, ବିନ୍ଦୁସାଗର ପରିକ୍ରମା ଓ ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ହେବନି
ଶିଭମ ହେଉଛନ୍ତି ବରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର ୧୨ର ସ୍ୱର୍ଗତ ସୁରେନ୍ଦ୍ର କୁମାର ବାଗଙ୍କ ନାତି ଏବଂ ସୁନାମଧନ୍ୟ ଡାକ୍ତର ସୁନୀଲ କୁମାର ବାଗଙ୍କ ପୁଅ । ବାଲ୍ୟକାଳରୁ ମେଧାବୀ ଥିବା ଶିଭମ, ଭାରତର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଏନ୍.ଆଇ.ଟିରୁ ସଫଳତାର ସହ ଇଞ୍ଜିନିୟରିଂ ସମ୍ପୂର୍ଣ୍ଣ କରିଥିଲେ । ଏନ୍.ଆଇ.ଟି.ରୁ ଉତ୍ତୀର୍ଣ୍ଣ ହେବା ପରେ ଶିଭମଙ୍କ ଅସାଧାରଣ ବୈଷୟିକ ଦକ୍ଷତା ଏବଂ ମହାକାଶ ବିଜ୍ଞାନ ପ୍ରତି ଥିବା ଗଭୀର ରୁଚି ଯୋଗୁଁ ସେ ହାଇଦ୍ରାବାଦସ୍ଥିତ 'ସ୍କାଏରୁଟ୍ ଏରୋସ୍ପେସ୍'ରେ ଜଣେ ପ୍ରଯୁକ୍ତିବିତ୍/ଯନ୍ତ୍ରୀ ଭାବେ ଯୋଗଦେବାର ସୁଯୋଗ ପାଇଥିଲେ । ସେ 'ବିକ୍ରମ କ୍ରିଉ ଟିମ୍' ରେ ଜଣେ ସକ୍ରିୟ ସଦସ୍ୟ ଭାବେ ସ୍ଥାନ ପାଇଥିଲେ । ରକେଟର ନିର୍ମାଣ, ପରୀକ୍ଷଣ ଏବଂ ଉତକ୍ଷେପଣ ପ୍ରକ୍ରିୟାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ମିଶନର ସଫଳତା ସାଧାରଣ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଏକ ବଡ଼ ପ୍ରେରଣା ଯୋଗାଇବ ।