ନୂଆଦିଲ୍ଲୀ,୯।୪:  ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାରା ବିଶ୍ବ ପ୍ରଭାବିତ ହୋଇଛି। ଯଦିଓ ଆମେରିକା ଓ ଇରାନ୍ ଭିତରେ ଦୁଇ ସପ୍ତାହର ଅସ୍ତ୍ରବିରତି ହୋଇଛି, ତେବେ ଆଗକୁ କ’ଣ ହେବ ତାକୁ ନେଇ ବିଭିନ୍ନ ପ୍ରକାର ଆଶଙ୍କା ରହିଛି। ଏହା ଭିତରେ ଇତିହାସର ପୃଷ୍ଠାରୁ ଏଭଳି ଏକ ଯୁଦ୍ଧ ବିଷୟରେ ଆସନ୍ତୁ ଜାଣିବା ଯାହାକି ବିନା ହତିଆର ଓ ଗୋଳା ବାରୁଦରେ ଲଢା ଯାଇଥିଲା। ଏପରିକି ଜଣେ ବି ସୈନିକଙ୍କ ଜୀବନ ଯାଇନଥିଲା, ତାହା ପୁଣି ୩୮ ବର୍ଷ ଧରି  ଲଢେଇ ଚାଲିଥିଲ। ଏହି ଯୁଦ୍ଧର ଅସ୍ତ୍ର ସାଜିଥିଲା ‘ହ୍ୱିସ୍କି ବୋତଲ’। ‘ହାନ୍ସ ଦ୍ୱୀପ’ରେ ନିଜ ନିଜର ସାର୍ବଭୌମତ୍ୱ ଜାହିର କରିବା ପାଇଁ କାନାଡା ଏବଂ ଡେନମାର୍କ ଭିତରେ ଲଢେଇ ହୋଇଥିଲା,ଏହା ବିଶ୍ୱର ସବୁଠାରୁ ଅଦ୍ଭୁତ ଯୁଦ୍ଧ ଥିଲା।

କାନାଡା ଏବଂ ଗ୍ରୀନଲ୍ୟାଣ୍ଡ ମଧ୍ୟରେ ବରଫାବୃତ ଜଳରାଶିରେ ଏକ ଛୋଟ ଦ୍ୱୀପ ରହିଛି। ଯାହାର ନାଁ ହେଲା  ‘ହାନ୍ସ ଆଇଲ୍ୟାଣ୍ଡ’ । ମାତ୍ର ୧୨୦୦ ବର୍ଗମିଟରର ଥିଲା ଏହି ଦ୍ୱୀପ। ଏହା କାନାଡାର ଏଲେସମେର ଦ୍ୱୀପ ଏବଂ ଡେନମାର୍କର ଗ୍ରୀନଲ୍ୟାଣ୍ଡରୁ ପ୍ରାୟ ସମାନ ଦୂରତା ଅର୍ଥାତ ୧୮ କିଲୋମିଟର ଦୂରରେ ରହିଛି।  ଅନ୍ତର୍ଜାତୀୟ ଆଇନ ଅନୁଯାୟୀ, ଉଭୟ ଦେଶ ଏହା ପାଇବାକୁ ଦାବି କରିଥିଲେ। କାରଣ ଏହାର ଆଇନଗତ କାରଣ ବି ଥିଲା। ଏହା ଦୁଇ ଶାନ୍ତିପ୍ରିୟ ରାଷ୍ଟ୍ର ମଧ୍ୟରେ  ଦୀର୍ଘ ବର୍ଷ ଧରି ବିବାଦ ଦେଖାଦେଇଥିଲା। ଆରମ୍ଭରୁ ଦ୍ୱୀପକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିଲା। ତେବେ ୧୯୭୩ ରେ କାନାଡା ଏବଂ ଡେନମାର୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। କିନ୍ତୁ ହକ୍‌ର ଲଢେଇ ବାକି ଥିଲା। ଏହି ଅଦ୍ଭୁତ ଯୁଦ୍ଧ ଔପଚାରିକ ଭାବରେ ୧୯୮୪ ରେ ଆରମ୍ଭ ହୋଇଥିଲା। କାନାଡାର ସୈନ୍ୟମାନେ ହାନ୍ସ ଦ୍ୱୀପକୁ ଯାଇ ସେଠାରେ ନିଜର ଜାତୀୟ ପତାକା ଉତ୍ତୋଳନ କରିଥିଲେ।  କେବଳ  ପତାକା ନୁହେଁ ବରଂ କାନାଡିୟ ‘ହ୍ୱିସ୍କି’ର ଏକ ବୋତଲ ମଧ୍ୟ ଛାଡି ଯାଇଥିଲେ। ଏହା ଏକ କୂଟନୈତିକ ବାର୍ତ୍ତା ଭାବରେ କାର୍ଯ୍ୟ କରିଥିଲା ​​ଯେ ଏହି ଅଞ୍ଚଳ କାନାଡାର।

 ଯଦିଓ ଏହି ପଦକ୍ଷେପ ଆକ୍ରମଣାତ୍ମକ ନଥିଲା, କିନ୍ତୁ ଏହା ଡେନମାର୍କକୁ ପ୍ରତିଶୋଧ ନେବାକୁ ଉସୁକାଇଥିଲା, ଯାହା ଦଶନ୍ଧି ଧରି ଚାଲିଥିଲା। ଏଇଠୁ ଆରମ୍ଭ ହୋଇଥିଲା ‘ହ୍ୱିସ୍କି ଓ୍ବାର’ । କାନାଡାର ହ୍ୱିସ୍କି ଚ୍ୟାଲେଞ୍ଜର ଜବାବ ଦେଇଥିଲା ଡେନମାର୍କ। ତେବେ ତାହା ଖୁବ୍ ଅଦ୍ଭୁତ ଢଙ୍ଗରେ। ଡେନମାର୍କର ଗ୍ରୀନଲ୍ୟାଣ୍ଡ ଆଫେୟାର୍ସ ମିନିଷ୍ଟର ବ୍ୟକ୍ତିଗତ ଭାବରେ ଦ୍ୱୀପ ପରିଦର୍ଶନ କରିଥିଲେ। ସେ କାନାଡାର ପତାକା ହଟାଇ ଡେନମାର୍କରୀ ପତାକା ଲଗାଇ ଦେଇଥିଲେ। କାନାଡାର ହ୍ୱିସ୍କି ବଦଳରେ ଡେନମାର୍କର ପପୁଲାର ମଦ ବୋତଲ ‘ଡେନିସ୍ ସ୍ନାପ୍ସ’ ରଖି ଦେଇଥିଲେ। ଯେଉଁଥିରେ ଲେଖାଥିଲା ‘ଡେନମାର୍କର ଦ୍ୱୀପରେ ଆପଣଙ୍କୁ ସ୍ବାଗତ’। ଏହା ବହୁ ବର୍ଷ ଧରି ଚାଲିଥିଲା। ଯେତେବେଳେ ଗୋଟିଏ ଦେଶର ଦଳ ସେଠାକୁ ଗସ୍ତ କରୁଥିଲେ, ସେମାନେ ଅନ୍ୟ ଦେଶର ମଦ ପିଉଥିଲେ ଏବଂ ନିଜ ବୋତଲ ଛାଡି ଯାଉଥିଲେ।

​​​​​​​

ହୁଏତ ବିଶ୍ୱ ଇତିହାସରେ ଅନ୍ୟ କୌଣସି ଯୁଦ୍ଧ ଏତେ ବର୍ଷ ଧରି ଚାଲିନଥିଲା, ଯେଉଁଥିରେ ଗୋଟିଏ ବି ଗୁଳି ଫୁଟିନଥିଲା। କାନାଡିଆନ୍ ଏବଂ ଡେନିସ୍ ସୈନିକମାନେ ବାରମ୍ବାର ହାନ୍ସ ଦ୍ୱୀପକୁ ଗସ୍ତ କରୁଥିଲେ, ପତାକା ଏବଂ ମଦ ବୋତଲ ରଖୁଥିଲେ। ଏହି ଯୁଦ୍ଧ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ପାଇଁ ‘ହ୍ୱିସ୍କି ଓ୍ବାର’ ଭାବରେ ପରିଚିତ ହୋଇଥିଲା। ୨୦୦୫ ରେ ଦୁଇ ଦେଶ ଅନୁଭବ କରିଥିଲେ ଏହି ଛୋଟିଆ ଦ୍ୱୀପର ବିବାଦକୁ ସମାଧାନ କରାଯିବା ଦରକାର। କୁଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହେଲା। ଦୁଇ ଦେଶ ନାଟୋର ବି ସଦସ୍ୟ ଥିଲେ। ଭଲ ସମ୍ପର୍କ କାରଣରୁ ଏଭଳି ଏକ ଫର୍ମୁଲା ବାହାର କରାଯାଇଥିଲା, ଯେଉଁଥିରେ ଦୁହେଁ ସମ୍ମତି ପ୍ରକାଶ କରିଥିଲେ। ଜୁନ୍ ୨୦୨୨ ରେ ସେହି ଐତିହାସିକ ଦିନ ଆସିଥିଲା ଯେତେବେଳେ ୩୮ ବର୍ଷର ଯୁଦ୍ଧର ଅନ୍ତ ହେଲା। କାନାଡାର ବୈଦେଶିକ ମନ୍ତ୍ରୀ ମେଲାନୀ ଜୟ ଓ ଡେନମାର୍କର ପ୍ରତିପକ୍ଷ ଜେପ୍ପି ଫୋଫର୍ଡ ପରସ୍ପରକୁ ଭେଟିଥିଲେ।  ଚୁକ୍ତି ଅନୁସାରେ ହନ୍ସ ଆଇଲ୍ୟାଣ୍ଡ ସମାନ ଭାବରେ ଦୁଇ ଭାଗରେ ଉଭୟ ଦେଶ ଭିତରେ ବଣ୍ଟା ଯାଇଥିଲା।