ନୂଆଦିଲ୍ଲୀ, ୨୦।୮: ପୁଟିନ-ଜେଲେନସ୍କିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାମର୍ଶ । କହିଲେ, ଉଭୟେ ଦେଶର ରାଷ୍ଟ୍ରପତି ଫେସ୍ ଟୁ ଫେସ୍ ହେବା ଉଚିତ୍ । ମୋ ବିନା ସମ୍ପୃକ୍ତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସିଧାସଳଖ ବୈଠକ କରିବା ଉଚିତ୍ । ମଙ୍ଗଳବାର ସନ୍ଧ୍ୟାରେ "ଦି ମାର୍କ ଲେଭିନ୍ ଶୋ"ରେ ଟ୍ରମ୍ପ କହିଥିଲେ ଯେ, “ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ତାଙ୍କର ସଫଳ ବୈଠକ ହୋଇଛି । ଜେଲେନସ୍କି ଓ ପୁଟିନଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ । ତେଣୁ ସେମାନେ ମୋ ବିନା, ପରସ୍ପର ସହ ସାକ୍ଷାତ କଲେ ଭଲ ହେବ”।
ଜେଲେନ୍ସକି-ପୁଟିନଙ୍କ ମଧ୍ୟରେ ବୈଠକରେ ସାମିଲ ହେବେ କି ଟ୍ରମ୍ପ ?
ଦୁଇ ଶତ୍ରୁ ରାଷ୍ଟ୍ରର ରାଷ୍ଟ୍ରପତିଙ୍କ ମଧ୍ୟରେ ଟ୍ରମ୍ପଙ୍କ ଉପସ୍ଥିତି ବିନା ଏକ ଶାନ୍ତି ଆଲୋଚନା ହେବା ଉଚିତ୍ ବୋଲି ପ୍ରସ୍ତାବ ଦେଇଥିଲେ ଆମେରିକା ରାଷ୍ଟ୍ରପତି । ସେ କହିଥିଲେ “ଯଦି ଆବଶ୍ୟକ ହୁଏ, ତେବେ ମୁଁ ଏଥିରେ ହସ୍ତକ୍ଷେପ କରିବି । ମୁଁ କେବଳ ଦେଖିବାକୁ ଚାହୁଁଛି ଯେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ବୈଠକରେ କ'ଣ ଆଲୋଚନା ହେଉଛି ?”
ଅନ୍ୟପଟେ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ନିଶ୍ଚିତ କରିଛନ୍ତି ଯେ, ଜେଲେନ୍ସକି-ପୁଟିନ ଉଭୟଙ୍କ ସାକ୍ଷାତ ପାଇଁ ପ୍ରସ୍ତୁତି ଚାଲିଛି । ବୈଠକ ପାଇଁ ସଠିକ୍ ସ୍ଥାନ ଖୋଜା ଚାଲିଛି । ଏକାଧିକ ୟୁରୋପୀୟ ଦେଶ ଏହି ବୈଠକ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସ୍ୱିଜରଲ୍ୟାଣ୍ଡ ଏବଂ ଅଷ୍ଟ୍ରିଆ କହିଛନ୍ତି ଯେ, ସେମାନେ ଅନ୍ତର୍ଜାତୀୟ ଅପରାଧ ଅଦାଲତର ଗିରଫଦାରୀ ୱାରେଣ୍ଟ ସତ୍ତ୍ୱେ ପୁଟିନଙ୍କୁ ଆଲୋଚନାରେ ଯୋଗଦେବାକୁ ଅନୁମତି ଦେବେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ସ୍ୱିଜରଲ୍ୟାଣ୍ଡରେ ଏହି ଶାନ୍ତି ସମ୍ମିଳନୀ ଆୟୋଜନ କରିବାର ପ୍ରସ୍ତାବ ଦେଇଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜେଲେନସ୍କିଙ୍କୁ ଭେଟିବାକୁ ଇଚ୍ଛୁକ ଅଛନ୍ତି ବୋଲି ଟ୍ରମ୍ପଙ୍କ ସହ ଫୋନ କଲ୍ ମାଧ୍ୟମରେ ଜଣାଇଛନ୍ତି । ଫକ୍ସ ନ୍ୟୁଜ୍ ସହ ଆଲୋଚନା ସମୟରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ, ପୁଟିନ ଜେଲେନସ୍କିଙ୍କ ସହ ବସିବାକୁ ରାଜି ହୋଇଛନ୍ତି, ଏହା ବହୁତ ବଡ଼ କଥା ।