ନୂଆଦିଲ୍ଲୀ, ୧୦/୦୮: ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜ ଶେଷ ହେବା ସହ ଭାରତୀୟ ଦଳ ଇତି ମଧ୍ୟରେ ସ୍ୱଦେଶ ଫେରି ବିଶ୍ରାମ ନେଉଛି । ଦଳର ଅଧିକାଂଶ ଖେଳାଳି ଆଗାମୀ ଦୁଲୀପ୍ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବାକି ଆହତ ଖେଳାଳି ଚିକିତ୍ସାଧୀନ ରହିଛନ୍ତି । ଓଭାଲ୍ରେ ଅନୁଷ୍ଠିତ ପଞ୍ଚମ ଟେଷ୍ଟରେ ରୋମାଞ୍ଚକର ବିଜୟକୁ ନେଇ ଭାରତୀୟ ଦଳକୁ ପ୍ରଶଂସା କରାଯାଉଛି । ଅସଲରେ କହିବାକୁ ଗଲେ ଭାରତୀୟ ଦଳ ଇଂଲଣ୍ଡରେ ଟେଷ୍ଟ ସିରିଜ ବିଜୟ ହାତଛଡ଼ା କରିଛି । ଲିଡ୍ସ ଓ ଲର୍ଡ୍ସରେ ଅନୁଷ୍ଠିତ ପ୍ରଥମ ଓ ତୃତୀୟ ଟେଷ୍ଟରେ ଭାରତ ବିଜୟ ନିକଟତର ହୋଇ ମଧ୍ୟ ପରାଜିତ ହୋଇଥିଲା । ଉଭୟ ଟେଷ୍ଟରେ ବୋଲିଂ ଓ ଫିଲ୍ଡିଂରେ ତ୍ରୁଟି ପରାଜୟର କାରଣ ସାଜିଥିଲା । ନିୟମିତ ଭାବେ ପେସ୍ ବୋଲିଂ ବିଭାଗରେ ପରିବର୍ତ୍ତନ ଓ ଲମ୍ବା ବ୍ୟାଟିଂ ବିଭାଗକୁ ପ୍ରାଥମିକତା ଦେଇ ଭାରତ ପରାଜୟର ସାମ୍ନା କରିଥିଲା ବୋଲି କହିଲେ ଭୁଲ ହେବ ନାହିଁ । ପଞ୍ଚମ ଟେଷ୍ଟ ବିଜୟ ପରେ ମହମ୍ମଦ ସିରାଜ ପ୍ରଶଂସା ସାଉଁଟୁଛନ୍ତି । ସିରିଜ ପୂର୍ବରୁ ଯଶପ୍ରୀତ ବୁମରା ପେସ୍ ବୋଲିଂ ବିଭାଗର ମୁଖିଆ ରହିଥିଲେ । ସିରିଜ ଶେଷ ହେବା ବେଳକୁ ସିରାଜ ଏହି ସ୍ଥାନ ଅକ୍ତିଆର କରିଥିଲେ । ବୁମରା ଓ ସିରାଜ ଦଳର ମୁଖ୍ୟ ପେସ୍ ବୋଲର ହୋଇସାରିଛନ୍ତି । ହେଲେ ଉଭୟଙ୍କ ପରେ ପେସ ବୋଲିଂ ବିଭାଗର ଦାୟିତ୍ୱ ମୁଣ୍ଡାଇବା ଭଳି ବୋଲର ଏପର୍ଯ୍ୟନ୍ତ ମିଳିନାହିଁ । ବୁମରାଙ୍କ ବୟସ ୩୧ ବର୍ଷ । ବୁମରା ବାରମ୍ବାର ଆହତ ହେଉଥିବାରୁ ତାଙ୍କ କାର୍ଯ୍ୟଭାରକୁ ନିୟନ୍ତ୍ରଣ କରାଯାଉଛି । ଆଗକୁ ସିରାଜଙ୍କ କାର୍ଯ୍ୟଭାରକୁ ମଧ୍ୟ ସୀମିତ ରଖାଯିବ । ଫଳରେ ଉଭୟଙ୍କ ଅନୁପସ୍ଥିତିରେ ପେସ୍ ବୋଲିଂ ବିଭାଗର ଦାୟିତ୍ୱ ନେବେ କିଏ?
ବୁମରା, ସିରାଜ ମୁଖ୍ୟ ବୋଲର ବୁମରା ନିଶ୍ଚିତ ରୂପେ ବିଶ୍ୱର ଶ୍ରେଷ୍ଠ ପେସ୍ ବୋଲର । ହେଲେ ସେ ୩ଟି ଯାକ ଫର୍ମାଟ୍ ଖେଳୁଥିବାରୁ ଆହତ ହେବାର ଆଶଙ୍କା ଅଧିକ । ୨୦୨୩ରେ ବୁମରା ପିଠିରେ ଅସ୍ତ୍ରୋପଚାର କରିଥିଲେ । ଏହା ପରଠୁ ସେ ୧୮ଟି ଟେଷ୍ଟ ଖେଳିଛନ୍ତି ଓ ୫୧୩.୨ ଓଭର ବୋଲିଂ କରିଛନ୍ତି । ଏହି ସମୟ ମଧ୍ୟରେ ସିରାଜ ୨୪ଟି ଟେଷ୍ଟ ଖେଳି ବୋଲିଂ କରିଛନ୍ତି ୫୮୧.୪ ଓଭର । ସମସ୍ତ ଫର୍ମାଟ୍, ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀ, ଆହତ ରେକର୍ଡକୁ ନେଇ ଏଣିକି ବୁମରାଙ୍କ କାର୍ଯ୍ୟଭାରକୁ ନିୟନ୍ତ୍ରଣ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ହେଲେ ତାଙ୍କ ଭଳି ଗୁରୁତ୍ୱ ପାଇନାହାନ୍ତି ସିରାଜ । ଇଂଲଣ୍ଡରେ ସେ ୫ଟି ଯାକ ଟେଷ୍ଟ ଖେଳିଥିଲେ ଓ ମୋଟ୍ ୧୮୫.୩ ଓଭର ବୋଲିଂ କରିଥିଲେ । ବୁମରା ପଦାର୍ପଣ କରିବା ଦିନଠୁ ୪ ଜଣ ପ୍ରମୁଖ ବୋଲର ଭାରତୀୟ ଦଳରୁ ବାଦ ପଡ଼ି ସାରିଛନ୍ତି । ସେମାନେ ହେଲେ ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ ଓ ଭୁବନେଶ୍ୱର କୁମାର । ପୂର୍ବରୁ ଏମାନେ ପେସ୍ ବୋଲିଂ ବିଭାଗ ସମ୍ଭାଳୁଥିଲେ । ସତ କହିବାକୁ ଗଲେ ଉପରୋକ୍ତ ୪ ବୋଲରଙ୍କ ସ୍ଥାନ ପୂରଣ ହୋଇପାରି ନାହିଁ । ନିୟମିତ ଭାବେ ଫିଟ୍ ରହି ଟେଷ୍ଟ କ୍ରିକେଟ୍ ଖେଳିବା ଭଳି ପେସ୍ ବୋଲର ଏପର୍ଯ୍ୟନ୍ତ ମିଳି ନାହାନ୍ତି । ବୁମରା ପଦାର୍ପଣ କରିବା ପରଠୁ ଏକମାତ୍ର ପେସ ବୋଲର ଭାବେ ସିରାଜ ୨୦ରୁ ଅଧିକ ଟେଷ୍ଟ ଖେଳିଛନ୍ତି ।
ନାହାନ୍ତି ନୂଆ ତାରକା ଏଣିକି ନୂଆ ପେସ୍ ବୋଲରଙ୍କୁ ଖୋଜି ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାର ସମୟ ଆସିଛି । ଯେଉଁ ବୋଲର ପେସ୍ ବୋଲିଂ ବିଭାଗ ସମ୍ଭାଳିବେ ଓ ନିୟମିତ ଭାବେ ଟେଷ୍ଟ କ୍ରିକେଟ୍ ଖେଳିପାରିବେ । ବୁମରା ଓ ସିରାଜଙ୍କ ବ୍ୟତୀତ ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣା ଟେଷ୍ଟ କ୍ରିକେଟ୍ ଖେଳୁଥିଲେ ହେଁ ଫିଟନେସ୍ ବଜାୟ ରଖିବାରେ ବିଫଳ ହୋଇଛନ୍ତି । ଆକାଶ ଦୀପ ଉଭୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ସିରିଜ ମଝିରେ ଆହତ ହୋଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା ବାରମ୍ବାର ଆହତ ହେବାର ରେକର୍ଡ ରହିଛି । ହର୍ଷିତ ମଧ୍ୟ ଟେଷ୍ଟ କ୍ରିକେଟ୍ରେ ଲମ୍ବା ସ୍ପେଲ ପକାଇବାର କ୍ଷମତା ରଖିନାହାନ୍ତି । ଟେଷ୍ଟ କ୍ରିକେଟ୍ ଖେଳିବାକୁ ହେଲେ ସିରାଜଙ୍କ ଭଳି ଫିଟ୍ ହେବାକୁ ପଡ଼ିବ । ବାରମ୍ବାର ଆହତ ହେଉଥିବା ବୋଲର ପେସ୍ ବୋଲିଂ ବିଭାଗର ନେତୃତ୍ୱ ନେବା କଷ୍ଟକର ।
ମୁକେଶ କୁମାର: ବେଙ୍ଗଲ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ମୁକେଶ କୁମାର ଶୃଙ୍ଖଳିତ ଲାଇନ ଓ ଲେଙ୍ଗଥ୍କୁ ନେଇ ପରିଚିତ । ହେଲେ ଗୌତମ ଗମ୍ଭୀରଙ୍କ କୋଚିଂ ଟିମ୍ ତାଙ୍କୁ ସେଭଳି ଗୁରୁତ୍ୱ ଦେଉ ନାହାନ୍ତି । ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତ ଏ’ ଦଳରେ ସ୍ଥାନ ପାଇଥିଲେ ମୁକେଶ । ଗୋଟିଏ ମ୍ୟାଚ୍ ଖେଳି ସେ ୩ଟି ୱିକେଟ୍ ମଧ୍ୟ ନେଇଥିଲେ । ହେଲେ ଭାରତୀୟ ଟେଷ୍ଟ ଦଳରେ ପେସ ବୋଲରମାନେ ଆହତ ହେବା ସମୟରେ ମୁକେଶଙ୍କୁ ଅଣଦେଖା କରାଯାଇଥିଲା ଓ ଅଂଶୁଲ କାମ୍ବୋଜଙ୍କୁ ନିଆଯାଇଥିଲା । ମୁକେଶ ୩ଟି ଟେଷ୍ଟ ଖେଳି ୭ଟି ୱିକେଟ୍ ନେଇଛନ୍ତି । ରଣଜୀ ଟ୍ରଫିରେ ୨୧୦ଟି ୱିକେଟ୍ ନେଇଥିଲେ ହେଁ ୩୧ବର୍ଷରେ ପହଞ୍ଚି ସାରିଥିବାରୁ ମୁକେଶଙ୍କୁ ଆଗାମୀ ଭବିଷ୍ୟତ ରୂପେ ବିବେଚନା କରାଯାଇପାରିବ ନାହିଁ ।
ଆକାଶ ଦୀପ, ପ୍ରସିଦ୍ଧ: ଆକାଶ ଦୀପ ଓ ପ୍ରସିଦ୍ଧ ଇଂଲଣ୍ଡରେ ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ ପେସ ବୋଲିଂ ବିଭାଗ ସମ୍ଭାଳିବା ଭଳି ଦକ୍ଷତା ଦେଖାଇ ନାହାନ୍ତି । ଆକାଶ ଦୀପ ନୂଆ ବଲ୍କୁ ସୁଇଂ କରାଇବାର ଦକ୍ଷତା ରଖିଥଲେ ହେଁ ପୁରୁଣା ବଲ୍ରେ ସେ ଦୀଶାହୀନ ମନେ ହେଉଛନ୍ତି । ପ୍ରସିଦ୍ଧଙ୍କୁ ଲାଇନ ଓ ଲେଙ୍ଗଥ୍ ଉପରେ ଢ଼େର କାର୍ଯ୍ୟ କରିବାର ଅଛି । ପ୍ରସିଦ୍ଧଙ୍କ ବୟସ ୨୯ ବର୍ଷ ଓ ସେ ଇତି ମଧ୍ୟରେ ମାତ୍ର ୫ଟି ଟେଷ୍ଟ ଖେଳିଛନ୍ତି । ଅର୍ଶଦୀପ, ହର୍ଷିତ, କାମ୍ବୋଜ: ଏହି ୩ ବୋଲରଙ୍କ ମଧ୍ୟରେ ଅର୍ଶଦୀପ ଲମ୍ବା ରେସ୍ର ଘୋଡ଼ା ମନେ ହେଉଛନ୍ତି । ମାତ୍ର ସେ ଏପର୍ଯ୍ୟନ୍ତ ଟେଷ୍ଟ ପଦାର୍ପଣ କରି ନାହାନ୍ତି । ଟି-ଟ୍ୱେଣ୍ଟି ଦଳରେ ସେ ମୁଖ୍ୟ ବୋଲର । ଆଗକୁ ସେ ଟେଷ୍ଟରେ ପେସ୍ ବୋଲିଂ ବିଭାଗ ସମ୍ଭାଳି ପାରିବେ । ହର୍ଷିତ ଓ କାମ୍ବୋଜଙ୍କୁ ସେମାନଙ୍କ ବୋଲିଂ ଉପରେ ବହୁ କାର୍ଯ୍ୟ କରିବାକୁ ପଡ଼ିବ । ସୁଯୋଗ ଅପେକ୍ଷାରେ ଯୁବ ତାରକା ନିକଟ ଅତୀତର ଘରୋଇ କ୍ରିକେଟ୍ରେ ଦେଖିଲେ କିଛି ପ୍ରତିଭାବାନ ପେସ୍ ବୋଲରଙ୍କ ନାମ ତାଲିକାରେ ସାମିଲ ହୋଇପାରିବ । ଯେଉଁମାନଙ୍କୁ ଟେଷ୍ଟ କ୍ରିକେଟ୍ ପାଇଁ ପ୍ରସ୍ତୁତ କରିହେବ । ମାତ୍ର ଏଥିପାଇଁ କୋଚ ଗମ୍ଭୀର ଓ ଅଧିନାୟକ ଶୁଭମନ ଗିଲ ଯତ୍ନବାନ ହେବା ଜରୁରି । ଘରୋଇ କ୍ରିକେଟ୍ର ପ୍ରଦର୍ଶନ ବଳରେ ଆଲୋଚାନା ମଧ୍ୟରେ ରହିଛନ୍ତି ଦିଲ୍ଲୀର ୨୧ ବର୍ଷିୟ ପେସ୍ ବୋଲର ହିମାଂଶୁ ଚୌହାନ । ସେ ୧୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୩୮ଟି ୱିକେଟ୍ ନେଇଛନ୍ତି । ସେହିପରି ଗୌରବ ଯାଦବ ମଧ୍ୟ ଚୟନକର୍ତ୍ତାଙ୍କୁ ଆକର୍ଷିତ କରିଛନ୍ତି । ଗତ ରଣଜୀ ଟ୍ରଫିରେ ସେ ପେସ୍ ବୋଲର ଭାବେ ସର୍ବାଧିକ ୪୧ଟି ୱିକେଟ୍ ନେଇଥିଲେ । କର୍ଣ୍ଣାଟକର ବିଦ୍ୱତ କାଭେରପ୍ପା ଓ ବିଜୟ କୁମାର ବୈଶାଖ ମଧ୍ୟ ନିୟମିତ ଭାବେ ଶୃଙ୍ଖଳିତ ବୋଲିଂ କରି ଚୟନକର୍ତ୍ତାଙ୍କ ନଜରରେ ରହିଛନ୍ତି । ମୁମ୍ବାଇର ମୋହିତ ଅବସ୍ତି ଓ ବିଦର୍ଭର ଆଦିତ୍ୟ ଠାକରେ ମଧ୍ୟ ଗତ ରଣଜୀ ଟ୍ରଫି ସିଜନରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଯୁବ ପେସ୍ ବୋଲରମାନଙ୍କୁ ଏବେଠୁ ଗଢ଼ିବାର ସମୟ ଆସିଛି ।