ଭୁବନେଶ୍ୱର: ଭୋକ ବଢ଼ାଉଛି ରାଜଧାନୀର ଟ୍ରାଫିକ୍‌ । କଥାଟା ଟିକେ ଅଡ଼ୁଆ ଶୁଭୁଛି । ହେଲେ ଏମିତି କହିବାର କାରଣ ହେଉଛି, ଖାଇବା ଲାଗି ରାଜଧାନୀର ରାସ୍ତା କଡ଼ରେ ଏମିତି ଭିଡ଼ ହେଉଛି ଯାହା ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଏହାକୁ ନେଇ ପ୍ରଶ୍ନ ଉଠୁଛି ଖାଉଛି କିଏ, ଭୋଗୁଛି କିଏ? ରାଜଧାନୀରେ ବେଆଇନ ଭାବେ ଖୋଲି ଯାଉଥିବା ଫୁଡପାର୍କ ବା ଫୁଡକୋର୍ଟର କଥା କହୁଛି । ସହରର ବିଭିନ୍ନ ଛକ ନିକଟରେ ଛତୁ ଫୁଟିବା ଭଳି ଖୋଲି ଯାଉଛି ଫୁଡ୍‌ପାର୍କ । ଯେଉଁଠି ସବୁବେଳେ ଖାଇବା ଲାଗି ଲୋକଙ୍କ ଭିଡ଼ ଲାଗୁଛି । ଛକ ନିକଟରେ ଯିଏ ଯେଉଁଠି ପାରିଲା ରାସ୍ତା କଡ଼ରେ ଦୁଇ ଚକିଆଠାରୁ ଆରମ୍ଭ କରି ଚାରି ଚକିଆ ପାର୍କିଂ କରି ପକାଉଛନ୍ତି ।

ଛକ ନିକଟର ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି । ଅନେକ ସ୍ଥାନରେ ମୁଖ୍ୟ ରାସ୍ତା କଡ଼ରେ ବି ଏଭଳି ଫୁଡ୍‌ଷ୍ଟଲ ଖୋଲି ଯାଉଛି । ଯାହା ଫଳରେ ମୁକ୍ତ ଚଳାଚଳ ଟ୍ରାଫିକ ପାଇଁ ସମସ୍ୟା ସୃଷ୍ଟି କରୁଛି । ରାଜଧାନୀରେ ଏଭଳି ସମସ୍ୟା କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ନୁହେଁ । ସହରର ଚାରିଆଡ଼େ । ପ୍ରମୁଖ ରାସ୍ତା କଥା ଯଦି ଆଲୋଚନାକୁ ନେବା ତାହେଲେ ଜନପଥରରୁ ଆରମ୍ଭ ହେଉ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ନିକଟ, ରାମମନ୍ଦିର ଛକ ନିକଟ ସ୍କୁଲ ପାଖ, ରାଜମହଲ ଛକ, ମାଉସୀ ମା’, ରବିଟକିଜ୍‌- ସାଇମନ୍ଦିର ରାସ୍ତା, ପୋଖରୀପୁଟ, ଗୋପବନ୍ଧୁ ଛକ, ଜାଗମରା ରାସ୍ତା, ସିଆର୍‌ପି-ଷ୍ଟୁଆର୍ଟ ସ୍କୁଲ ରାସ୍ତା, ଷ୍ଟୁଡିଓ ଛକ, ଏକାମ୍ରକାନନ ରାସ୍ତା, ଆଇଆର୍‌ସି ଭିଲେଜ୍‌ ରାସ୍ତା, ଜୟଦେବବିହାର-ବିଜୁପଟ୍ଟନାୟକ କଲେଜ ରାସ୍ତା, ଇନ୍‌ଫୋସିଟି ରୋଡ, କିଟ୍‌-ଶିଖରଚଣ୍ଡୀ ରାସ୍ତା, ପଟିଆ ଷ୍ଟେସନ ରାସ୍ତା, ରସୁଲଗଡ଼ ଓ ଭିଏସ୍‌ଏସ୍‌ ନଗର ଭଳି ଅଞ୍ଚଳରେ ଏଭଳି ଟ୍ରାଫିକ ସମସ୍ୟାରେ ଲୋକଙ୍କୁ ଦୈନିକ ହନ୍ତସନ୍ତ ହେଉଛନ୍ତି ।

ସମସ୍ତେ ଏଭଳି ଭିଡ଼ରେ ଫସୁଛନ୍ତି । ହେଲେ ଭୋକ ପାଇଁ ଲାଗୁଥିବା ଏହି ଭିଡ଼କୁ ନେଇ କେହି ମୁହଁଖୋଲୁ ନାହାନ୍ତି । ଜରୁରି କାମରେ ଯାଉଥିବା ଲୋକେ ଏଭଳି ଅନିବାର୍ଯ୍ୟ ଭିଡ଼କୁ ନେଇ ସବୁବେଳେ ଚିନ୍ତା ପ୍ରକଟ କରୁଛନ୍ତି । ଏସବୁ ସ୍ଥାନରେ ଭିଡ଼ ଯୋଗୁ ଟ୍ରାଫିକ ସମସ୍ୟା ନେଇ ଅଭିଯୋଗ ପାଇଲେ ପୁଲିସ ଏବଂ ବିଏମ୍‌ସି ପକ୍ଷରୁ ବୁଲୁଥିବା କ୍ରେନ୍‌ ସେଠାରେ ପହଞ୍ଚି ଯାଉଛି । କ୍ରେନ୍‌କୁ ଦେଖି ଅନେକ ଗାଡ଼ି ନେଇ ଯାଉଛନ୍ତି । କ୍ରେନ୍‌ ଗୋଟିଏ ଧରି ଆସୁଛି । ଟ୍ରାଫିକ ନିୟନ୍ତ୍ରଣକାରୀ ଏବଂ ବେଆଇନ ଗାଡ଼ି ପାର୍କିଂ ସ୍ଥଳରେ ଗାଡ଼ି ମାଲିକଙ୍କ ମଧ୍ୟରେ ଏମିତି ଲୁଚକାଳି ଚାଲୁଛି । ହେଲେ ଏଥିରେ ଫସୁଛନ୍ତି ଯାତାୟାତକାରୀ ପାର୍କିଂ ପାଇଁ ସ୍ଥାନ ନ ଥିଲେ ଏଭଳି ଫୁଡପାର୍କ ବା ଅସ୍ଥାୟୀ ଖାଦ୍ୟ ଷ୍ଟଲ୍‌କୁ ରାସ୍ତା କଡ଼ରେ ଅନୁମତି ଦିଆଯିବା ଅନୁଚିତ୍‌ ।

କୌଣସି ଶୃଙ୍ଖଳିତ ସହରରେ ରାସ୍ତାକଡ଼ରେ ବେଆଇନ୍‌ ଭାବେ ପାର୍କିଂ ଲାଗି ଫୁଡ୍‌କୋର୍ଟ ବା ଫୁଡ୍‌ ପାର୍କକୁ ଅନୁମତି ଦିଆଯାଏ ନାହିଁ ବୋଲି କହିଛନ୍ତି ଆଇନଜୀବୀ ଶୀଳଭଦ୍ର ଶାସ୍ତ୍ରୀ । ତାଙ୍କ କହିବା ଅନୁସାରେ ରାଜଧାନୀରେ ଅଧିକାଂଶ ଫୁଡପାର୍କ ବା ଖାଦ୍ୟଷ୍ଟଲ ନିକଟରେ ପାର୍କିଂ ସୁବିଧା ନାହିଁ । ଯାହା ଭିଡ଼ ବଢ଼ାଉଛି । ଯେଉଁଠି ପାର୍କିଂର ସୁବିଧା ନାହିଁ ସେଠାରେ ଏଭଳି ଫୁଡଷ୍ଟଲକୁ ବାରଣ କରାଯିବା ଉଚିତ୍‌ । କେବଳ ସେତିକି ନୁହେଁ ରାସ୍ତାକଡ଼ ଖାଦ୍ୟର ମାନଦଣ୍ଡ ଜାଣିବା ନେଇ କୌଣସି ବ୍ୟବସ୍ଥା ନାହିଁ । ଆଜିକାଲିର ଯୁବପିଢ଼ିଙ୍କର ସେଠାରେ ବେଶୀ ଭିଡ଼ ଲାଗୁଛି । ଯାହା ଚିନ୍ତାଜନକ ।

ତେବେ ଏସବୁ ଖାଦ୍ୟଷ୍ଟଲଗୁଡ଼ିକ ପାଇଁ ମୁଖ୍ୟ ରାସ୍ତାରେ ବଢ଼ୁଥିବା ଟ୍ରାଫିକ୍‌ ସମସ୍ୟା ନେଇ ବିଏମ୍‌ସି ପକ୍ଷରୁ ଟ୍ରାଫିକ୍‌ ପୁଲିସ ଉପରେ ଦୋଷ ଲଦା ଯାଇଛି । ପ୍ରାୟ ବର୍ଷକ ତଳେ ବିଏମ୍‌ସି ଓ ଟ୍ରାଫିକ୍‌ ପୁଲିସର ବରିଷ୍ଠ ଅଧିକାରୀମାନେ ଏ ପ୍ରସଙ୍ଗରେ ଆଲୋଚନା କରିବା ପରେ ଏକ କମିଟି ଗଠନ ହୋଇଥିଲା । ଏହି କମିଟି ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିବା ପରେ ଟ୍ରାଫିକ୍‌ ପୁଲିସକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲା । ତେବେ ଏସମ୍ପର୍କରେ ବିଏମ୍‌ସିର ଡେପୁଟି କମିଶନର ଅଜୟ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରତ୍ୟେକ ଜୋନ୍‌ର ଅଧିକାରୀଙ୍କୁ ସେମାନଙ୍କ ଅଞ୍ଚଳରେ ଏସବୁ ଫୁଡକୋର୍ଟ ବା ଫୁଡଷ୍ଟଲ ନିକଟରେ ବେଆଇନ୍‌ ଭାବେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରୁ ଜରିମାନା ଆଦାୟ କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।​​​​​​​
​​ଏହାସହ ପଢ଼ନ୍ତୁ : Marriage Fraud Case: ସମ୍ପର୍କ ରଖିଲା, ୧୫ ଲକ୍ଷ ନେଲା: ବାହା ନହୋଇ ଛାଡ଼ିଦେଲା ବିବାହିତ ପ୍ରେମିକ