- ସମ୍ପତ୍ତି ଶିଳ୍ପ ବିଭାଗର, ଏମ୍ଓୟୁ ହସ୍ତଶିଳ୍ପର, ଚର୍ଚ୍ଚା କରୁଛି ସଂସ୍କୃତ
- ଏଫ୍ଟିଆଇଆଇ ଭଳି ସଂସ୍ଥା ଯୋଜନା, ଅବହେଳିତ ବିପିଏଫ୍ଟିଆଇଓ
- ଏମ୍ଓୟୁର ୭ ମାସ ପରେ ନିଷ୍ପତ୍ତି ହୋଇପାରୁନି ଅଭିଲେଖାଗାର କିଏ କରିବ?
ଭୁବନେଶ୍ୱର ୨୫/୦୫ (ମନୋରଞ୍ଜନ ମହାନ୍ତି): ସମ୍ପତ୍ତି ରାଜ୍ୟ ଶିଳ୍ପ ବିଭାଗର । ଏମ୍ଓୟୁ ସ୍ୱାକ୍ଷର କରୁଛି ହସ୍ତଶିଳ୍ପ ବିଭାଗ । ପୁରସ୍କାର ସହ ବିକାଶ ଚର୍ଚ୍ଚାରେ ମାତିଛି ସଂସ୍କୃତି ବିଭାଗ । ଆଶ୍ଚର୍ଯ୍ୟ... ଏମିତି ବି ହୁଏ । କୋଟି କୋଟିର ଖେଳ ଖେଳୁଥିବା ଓଡ଼ିଶାର ସର୍ବପୁରାତନ ମନୋରଞ୍ଜନ ମାଧ୍ୟମ ଓଡ଼ିଆ ଯାତ୍ରା ଶିଳ୍ପର ମାନ୍ୟତା ଖୋଜି ବୁଲୁଛି । ସେପଟେ ଓଡ଼ିଆ ସିନେମାକୁ କୋଳେଇଛନ୍ତି ୩ ବିଭାଗ । ହେଲେ ଯୋଜନା କି ରୂପାୟନ ନାହିଁ ।
୨୦୩୬ରେ ‘ସମୃଦ୍ଧ ତଥା ବିକଶିତ ଓଡ଼ିଶା’ ସହ ଶତାବ୍ଦୀ ପାଳିବ ଓଡ଼ିଆ ସିନେମା । ମାତ୍ର ‘ସମୃଦ୍ଧ ଓଡ଼ିଆ ସିନେମା’ ପାଇଁ ଭିଜନ୍ ନାହିଁ । ଖାଲି ଆଲୋଚନା । ପ୍ରତିଶ୍ରୁତି ପ୍ରବଳ, କାର୍ଯ୍ୟ ଦୁର୍ବଳ । ବାଃରେ ଓଡ଼ିଆ ଫିଲ୍ମ... ବାଃ... କି ଭାଗ୍ୟ ତୋ’ର ।
ଓଡ଼ିଆ ସିନେ ଦୁନିଆ ବି ଦ୍ୱନ୍ଦ୍ୱରେ, ପ୍ରକୃତରେ ଓଡ଼ିଆ ଫିଲ୍ମ କାହାର? ନିର୍ମାତାଙ୍କ କହିବା କଥା³ ଗୁଣାତ୍ମକ ବୃଦ୍ଧି ପାଇଁ ସରକାର କହୁଛନ୍ତି, ଯାହା ଆମକୁ କରିବାକୁ ହେବ । କିନ୍ତୁ ସିନେମା ପାଇଁ ଯାହା ଆବଶ୍ୟକ ତାହା କେଉଁଠି ମିଳିବ? କିଛି ୱେବ୍ସାଇଟ୍ ଅଛି ନା’ କିଏ ଅଧିକାରୀ ଅଛନ୍ତି? ବାସ୍ତବରେ ଓଡ଼ିଆ ସିନେମାର ପ୍ରଶାସନିକ ନିୟନ୍ତ୍ରଣ କାହା ପାଖରେ? ନିର୍ମାତାଟିଏ ସଂସ୍କୃତି, ଶିଳ୍ପ, ହସ୍ତଶିଳ୍ପ ବିଭାଗ ନା’ କାହା ପାଖକୁ ଯିବ? ସରକାର ସ୍ପଷ୍ଟ କରିବା ଦରକାର । ଏହା ହିଁ ଓଡ଼ିଆ ସିନେମାର ପ୍ରଗତିରେ ମୂଳ ବାଧକ ।
ମେ’ ୧୫ ତାରିଖ ସନ୍ଧ୍ୟାରେ ହଠାତ୍ ଭୁବନେଶ୍ୱର ସଂସ୍କୃତି ଭବନରେ ଏକ ବୈଠକ ଡକାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ’କୁ ନେଇ ଘଣ୍ଟାଏରୁ ଊଦ୍ଧ୍ୱର୍ କାଳ ଧରି ମାନସ ମନ୍ଥନ ଚାଲିଲା । ସେଠାରେ ଏହି ପ୍ରସଙ୍ଗ ଉଠାଇ ନିର୍ମାତାମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ।
ସିନେ ନିର୍ମାତାଙ୍କ କହିବାନୁସାରେ, ଆଲୋଚନା ହେଉଛି, ଫଳ କ’ଣ? ୨୦୨୫ ମେ’ ୧୯ରେ ବି ସଂସ୍କୃତି ଭବନରେ ଏମିତି ବୈଠକ ବସିଥିଲା । ଗତ ୧୨ ତାରିଖରେ ମଧ୍ୟ କଳିଙ୍ଗ ଷ୍ଟୁଡିଓରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ସହ ଆଲୋଚନା ହେଲା । ମାତ୍ର ସ୍ଥିତି ସୁଧୁରିବା ବଦଳରେ ତଳକୁ ଯାଉଛି । ୧୯୭୬ରୁ ଓଏଫ୍ଡିସି କ’ଣ କରୁଛି ଜାଣି ହେଉନି । ତା’ କଥା ବୁଝିବାକୁ କେହି ନାହାନ୍ତି । ତା’ ଅଧୀନରେ ଭୁବନେଶ୍ୱରରେ ରାଜ୍ୟର ଏକମାତ୍ର କଳିଙ୍ଗ ଷ୍ଟୁଡିଓ ଏବଂ କଟକରେ ଚଳଚ୍ଚିତ୍ର ଭବନ । ସମସ୍ତେ ଶିଳ୍ପ ବିଭାଗ ଅଧୀନରେ, ଅର୍ଥାତ୍ ଶିଳ୍ପର ବିକାଶରେ ରାଜ୍ୟରେ ନିବେଶର ସୁନାମି କିନ୍ତୁ ୧୯୭୪ରୁ ଶିଳ୍ପର ମାନ୍ୟତା ପାଇ ଓଡ଼ିଆ ସିନେମା କୋଣଠେସା । ନୀତିକୁ ଅପେକ୍ଷା କରି ଲୋକେ ନାତି ଦେଖିଲେ କିନ୍ତୁ ନୀତି ଆସିପାରିଲାନି ।
୨୦୧୯ ଫେବ୍ରୁଆରୀ ୨୬ରେ ଯେଉଁ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆସିଥିଲା, ୨୦୨୨ ମାର୍ଚ୍ଚ ୩୧ରେ ତା’ର ଅବଧି ସରିଗଲା । କାର୍ଯ୍ୟକାରୀ ହୋଇପାରିଲାନି । ପ୍ରତିବର୍ଷ ବଜେଟ୍ରେ ଟଙ୍କା ଆସୁଛି, ଷ୍ଟୁଡିଓରେ ପଶୁଛି । ୨୦୨୧ ମାର୍ଚ୍ଚ ୨୫ରୁ ୨୦୦ କୋଟିରେ ବିଶ୍ୱସ୍ତରୀୟ କରିବାକୁ ଷ୍ଟୁଡିଓର ପୁନଃନିର୍ମାଣ ଚାଲିଛି ଯେ ସରୁନି । ଏବେ ଓଏଫ୍ଡିସି କହୁଛି ଖୋଲିବ, ହେଲେ ନିର୍ମାତା କହୁଛନ୍ତି ଷ୍ଟୁଡିଓ ସୁଟିଂ ଉପଯୋଗୀ ହୋଇନି ।
୨୦୧୯ ‘ମେକ୍ ଇନ୍ ଓଡ଼ିଶା’ରେ ପୂର୍ବ ସରକାର ଚନ୍ଦକା ଓ ଚିଲିକାରେ ଫିଲ୍ମ ସିଟି ନିର୍ମାଣର ସ୍ୱପ୍ନ ଦେଖାଇଥିଲେ । ନୂଆ ସରକାର ମଧ୍ୟ ଏହାକୁ ନିର୍ବାଚନ ଇସ୍ତାହାରରେ ରଖିଥିଲେ । ୨୦୨୫ ‘ଉତ୍କର୍ଷ ଓଡ଼ିଶା’ରେ ବି ଆଲୋଚନା ହୋଇଥିଲା । ରାଜ୍ୟରେ ବୃହତ୍ ଫିଲ୍ମ ସିଟି ନିର୍ମାଣ ହେବ । ମାତ୍ର ଏବେ ତାହା ଯୋଜନାରୁ ଦୂରେଇଲା ଭଳି ଲାଗୁଛି । କାରଣ ନିକଟରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ସେଥିରେ ଫିଲ୍ମ ସିଟି ନାହିଁ ।
ସେହିପରି ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫ୍ଟିଆଇଆଇ) ଭଳି ଏକ ଶିକ୍ଷା ସଂସ୍ଥା ବା ଫିଲ୍ମ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ସ୍ଥାପନ ପାଇଁ ସରକାର ଯୋଜନା ରଖିଛନ୍ତି । ଅଥଚ ୧୯୯୮ରେ ପ୍ରତିଷ୍ଠିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓଡ଼ିଶା (ବିପିଏଫ୍ଟିଆଇଓ) ଅବହେଳିତ । ଯାହା କଟକ ଭୁବନାନନ୍ଦ ଇଞ୍ଜିନିୟରିଂ କ୍ୟାମ୍ପସ୍ରେ ଥିବାବେଳେ ଦକ୍ଷତା ବିକାଶ ବିଭାଗ ଅଧୀନରେ ରହିଛି ।
ଏହା ବ୍ୟତୀତ ଏମ୍ଓୟୁର ୭ ମାସ ପରେ ବି ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାରର ଭାଗ୍ୟ ଫିଟୁନି । ତରବରିଆ ନିଷ୍ପତ୍ତି ପାଇଁ ଏ ପ୍ରକଳ୍ପ ଅନ୍ଧାରରେ । ୨୦୨୫ ନଭେମ୍ବର ୨୦ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ (ଏଫ୍ଏଚ୍ଏଫ୍) ମଧ୍ୟରେ ଅଭିଲେଖାଗାର ପ୍ରତିଷ୍ଠା ପାଇଁ ଏମ୍ଓୟୁ ହୋଇଥିଲା । ସରକାର ଭିତ୍ତିଭୂମି ଦେଇଥାନ୍ତେ ଏବଂ ଟାଟା ଟ୍ରଷ୍ଟ ସହାୟତାରେ ଏଫ୍ଏଚ୍ଏଫ୍ କାମ କରିଥାନ୍ତା । ଠିକ୍ ଏହାର କାର୍ଯ୍ୟ ଆରମ୍ଭ ବେଳକୁ ଅଡ଼ୁଆ ଉପୁଜିଲା । ହସ୍ତଶିଳ୍ପ ବିଭାଗ କହିଲା, ସିନେମା ପାଇଁ ଓଏଫ୍ଡିସି ଏବଂ ଶିଳ୍ପ ବିଭାଗ ଅଛି ।
ଓଏଫ୍ଡିସି କହିଲା, ଆମ ସ୍ଥିତି ଟଳମଳ । ସଂସ୍କୃତିକୁ ଯିବୁ ନା ଶିଳ୍ପ ବିଭାଗକୁ ଜଣାନାହିଁ । ଏ ଦ୍ୱନ୍ଦ୍ୱ ଭିତରେ ଏଫ୍ଏଚ୍ଏଫ୍ ଗୋଟିଏ କ୍ଲାସିକ୍ ସିନେମା ‘ମାୟା ମିରିଗ’ ଦେଖାଇ ଛୁ ମାରିଛି । ସେଇ ଦିନୁ ଜଗା ଦାସ ଗାଁକୁ ଫେରିନି... ନ୍ୟାୟରେ ତା’ର ଦର୍ଶନ ନାହିଁ । ଏଣେ ଏଫ୍ଏଚ୍ଏଫ୍ଠୁ ଫିଲ୍ମ ସଂରକ୍ଷଣ ପ୍ରଶିକ୍ଷଣ ନେଇଥିବା ପ୍ରଶିକ୍ଷାର୍ଥୀ ଅପେକ୍ଷା କରି ବସିଛନ୍ତି, ଅଭିଲେଖାଗାର ହେଲେ କାମ କରିବେ । ହସ୍ତଶିଳ୍ପ ବିଭାଗର ଦୂରଦୃଷ୍ଟିର ଅଭାବ ପାଇଁ ଆଜି ଏ ସ୍ଥିତି ଉପୁଜିଛି । ଆମଠୁ ଛୋଟ ରାଜ୍ୟ ମଣିପୁର ଓ ଅନ୍ୟାନ୍ୟ ରାଜ୍ୟରେ ଅଭିଲେଖାଗାର ହୋଇପାରୁଛି କିନ୍ତୁ ଆମେ ପାରୁନେ ।
ଏବେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଉନ୍ନତିରେ ଅର୍ଥ ବାଧକ ହେବନି । ଶକ୍ତିଶାଳୀ ଭିତ୍ତିଭୂମି ସହ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ପାଇଁ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି । ଖୁବ୍ଶୀଘ୍ର ନୀତି ଆସିବ । ଫିଲ୍ମ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ସ୍ଥାପନ ହେବ । କିନ୍ତୁ ମୌଳିକ କାହାଣୀକୁ ନେଇ ସିନେମା ହେବା ଦରକାର । ମାତ୍ର ୯୧ ବର୍ଷ ବୟସରେ ଯେ, ଓଡ଼ିଆ ସିନେମାକୁ ତା’ର ପରିଚୟ ଖୋଜିବାକୁ ପଡ଼ିବ, ଏହାଠୁ ବଳି ନିନ୍ଦନୀୟ କଥା କିଛି ହୋଇନପାରେ । ଅନ୍ତତଃ ପକ୍ଷେ, ଯଦି ସରକାର ଆନ୍ତରିକତାର ସହ ଓଡ଼ିଆ ସିନେମା ଶିଳ୍ପର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି ତେବେ ତାକୁ ଗୋଟିଏ ବିଭାଗରେ ରଖନ୍ତୁ । କାରଣ କଳାକାର ଚାହୁଁଛନ୍ତି ଶିଳ୍ପରେ ରହି କିଛି ହେଲାନି ସଂସ୍କୃତି ବିଭାଗକୁ ଆସୁ । ଆଉ କିଛି କହୁଛନ୍ତି, ୨୦୧୫ରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରୁ ସଂସ୍କୃତି ବିଭାଗକୁ ଆସି ପାଇଛି କ’ଣ? ପୁଣି ହସ୍ତଶିଳ୍ପ ବିଭାଗ କହୁଛି, ଆମେ ଜାଣିନଥିଲୁ, ଏବେ କିନ୍ତୁ ଶିଳ୍ପକୁ ଯାଉ କି ସଂସ୍କୃତିକୁ ଆମର ନେଣଦେଣ ନାହିଁ । ଏମିତିରେ ତିନିଘରର କୁଣିଆ ଓପାସ ଭଳି ଆଜି ଓଡ଼ିଆ ସିନେମାର ସ୍ଥିତି ଉପୁଜିଛି । ତେଣୁ ସରକାର ନିଷ୍ପତ୍ତି ନେବେ, ଓଡ଼ିଆ ଫିଲ୍ମର ଦାୟିତ୍ୱ କିଏ ନେବ ।