PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କିଏ ଯିବେ ରାଜ୍ୟସଭା : ୪ ଆସନ ପାଇଁ ୪୦ ଆଶାୟୀ, ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି ନବୀନ

ଭୁବନେଶ୍ୱର,୨୦/୫ : କାହାକୁ ରାଜ୍ୟସଭା ପଠାଇବେ ନବୀନ ? କେଉଁ ୪ ଜଣଙ୍କ ମୁଣ୍ଡରେ ଢଳା ହେବ ସୁନା କଳସ ? ଚାରି ଦିଗରୁ ମାଳମାଳ ଆଶାୟୀ ହାତ ଟେକିଲେଣି ଦିଲ୍ଲୀ ଯିବାକୁ । ଲବି ତେଜିଲାଣି ଉପର ମହଲା ପର୍ଯ୍ୟନ୍ତ । ସବୁରି ନଜର ବିଜେଡି ମୁଖିଆଙ୍କ ଉପରେ । କାହାକୁ ରାଜ୍ୟସଭା ଲଡ଼ୁ ମିଳିବ, ସେ ନେଇ ଚାଲିଛି କଳ୍ପନାଜଳ୍ପନା । ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ । କିନ୍ତୁ, ସବୁବେଳେ ସରପ୍ରାଇଜ୍‌ କାର୍ଡ ଖେଳି ଚକମା ଦେବାରେ ମାହିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ନିଷ୍ପତ୍ତି ନେବେ, କେହି ଠଉରାଇ ପାରୁନାହାନ୍ତି । ଆସନ୍ତା ଜୁଲାଇ ୧ ତାରିଖରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌. ଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଛି । ଏହି ୩ ଆସନ ପାଇଁ ଆସନ୍ତା ଜୁନ୍‌ ୧୦ରେ ଭୋଟ ହେବ ।

ସେହିପରି ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ହୋଇଥିବା ୪ ବର୍ଷିଆ ରାଜ୍ୟସଭା ଆସନ ପାଇଁ ଜୁନ୍‌ ୧୩ରେ ହେବ ଉପନିର୍ବାଚନ । ୪ ଆସନ ଉପରେ ବିଜେଡିର ୪୦ରୁ ଅଧିକ ନେତାଙ୍କ ଆଖି । ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା, ୨୦୨୪କୁ ନଜରରେ ରଖି ନବୀନ ୨୦୨୨ ରାଜ୍ୟସଭା ଟିକଟ ବାଣ୍ଟିବେ । ତେଣୁ ରାଜ୍ୟସଭା ପ୍ରାର୍ଥୀ ଚୟନବେଳେ ଅଞ୍ଚଳବାଦର ପ୍ରତିନିଧିତ୍ୱକୁ ଗୁରୁତ୍ୱ ମିଳିପାରେ । ଏହି ହିସାବରେ ପଶ୍ଚିମ, ଦକ୍ଷିଣ, ଉତ୍ତର ଓ ଉପକୂଳର ଜଣେ ଲେଖାଏଁ ନେତାଙ୍କୁ ନବୀନ ପଠାଇପାରନ୍ତି ରାଜ୍ୟସଭା ।ଭାସ୍କରଙ୍କ ସ୍ଥାନରେ ଦକ୍ଷିଣ ଓଡ଼ିଶାରୁ ନବୀନ ଏଥର କାହାକୁ ରାଜ୍ୟସଭା ପଠାଇବେ କି ନାହିଁ, ତାହା ଉପରେ ବହୁ ନେତାଙ୍କ ଭାଗ୍ୟ ନିର୍ଭର କରୁଛି । କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ଆଦିବାସୀ ନେତା ପ୍ରଦୀପ ମାଝୀଙ୍କ ନାଁ ଦୌଡ଼ରେ ସବୁଠୁ ଆଗରେ ଥିବା କୁହାଯାଉଛି ।

ଜୟପୁରର ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦ ବି ରାଜ୍ୟସଭା ଆଶାୟୀ ଥିବା ଚର୍ଚ୍ଚା ଚାଲିଛି । ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏ ଯାଏଁ ରାଜ୍ୟସଭା ଆଶା ଛାଡ଼ିନାହାନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି ଗଡ଼ ଭାଙ୍ଗି ଦେଇଛି ବିଜେଡି । ତେଣୁ ଏ ଗଡ଼ ଅଟଳ ରଖିବାକୁ ନବୀନ ପଶ୍ଚିମ ଓଡ଼ିଶାରୁ କୌଣସି ବଡ଼ ଚେହେରାଙ୍କୁ ରାଜ୍ୟସଭା ପାଇଁ ବାଛିବେ ବୋଲି ଅନୁମାନ କରାଯାଉଛି । ଚର୍ଚ୍ଚାରେ ଅଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ ଯୁବ ଚେହେରା କଳିକେଶ ସିଂହଦେଓ । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଫିସର ଅସିତ ତ୍ରିପାଠୀ, ଇଂ ନଳିନୀକାନ୍ତ ପ୍ରଧାନଙ୍କ ଭଳି ପ୍ରଭାବଶାଳୀ ନାଁ ବି ଚର୍ଚ୍ଚାରେ ରହିଛି । ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ନାଁ ବି ବିଚାରକୁ ନେଇପାରନ୍ତି ନବୀନ । ଉପକୂଳ ନେତାଙ୍କ ମଧ୍ୟରେ ସର୍ବାଧିକ ଚର୍ଚ୍ଚାରେ ରହିଛି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତାମାନସ ମଙ୍ଗରାଜଙ୍କ ନାଁ ।

ଡ. ସସ୍ମିତ ପାତ୍ରଙ୍କୁ ଦଳ ଆଉ ଥରେ ରାଜ୍ୟସଭା ପଠାଇବା ସମ୍ଭାବନା ବି ରହିଛି । ଏହାବାଦ୍‌ ଅବସରପ୍ରାପ୍ତ ଆଇପିଏସ ତଥା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବି  ଆଶାୟୀ ଥିବା କୁହାଯାଉଛି । ମୟୂରଭଞ୍ଜରେ ୨୦୧୯ରେ ବିଜେଡି ପ୍ରଦର୍ଶନ ଖରାପ ଥିଲା । ହେଲେ ଏଥର ପଞ୍ଚାୟତରେ ବିଜେପିକୁ ସଫା କରିଦେଇଛି ବିଜେଡି । ସେଥିପାଇଁ ମୟୂରଭଞ୍ଜରୁ କୌଣସି ଯୁବ ସଂଗଠକ କିମ୍ବା ଆଦିବାସୀ ମହିଳାଙ୍କୁ ଦଳ ରାଜ୍ୟସଭା ପଠାଇବା ନେଇ ବିଚାର କରୁଛି । ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ନାଁ ବି ଆଶାୟୀ ତାଲିକାରେ ଥିବା କୁହାଯାଉଛି । ଲଗାତାର ମହିଳା ସଂରକ୍ଷଣ ଦାବି ଉଠାଇ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ରହୁଥିବା ନବୀନ ଜଣେ ମହିଳା ନେତ୍ରୀ, ସମାଜସେବୀ କିମ୍ବା ପ୍ରତିଷ୍ଠିତ ମହିଳାଙ୍କୁ ରାଜ୍ୟସଭା ପଠାଇ ପାରନ୍ତି । ‘ମୋ ସ୍କୁଲ’ ଅଧ୍ୟକ୍ଷ ତଥା ଶିଳ୍ପପତି ସୁସ୍ମିତା ବାଗ୍‌ଚୀଙ୍କ ନାଁ ସର୍ବାଗ୍ରେ ରହିଛି । ଶ୍ରୀମୟୀ ମିଶ୍ର, ରାସେଶ୍ୱରୀ ପାଣିଗ୍ରାହୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି । ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ନେଇ ମଧ୍ୟ ପ୍ରବଳ ଚର୍ଚ୍ଚା । ଓଡ଼ିଶାରେ ବଡ଼ ନିବେଶ କରିଥିବା ନବୀନ ଜିନ୍ଦଲଙ୍କୁ ବିଜେଡି ରାଜ୍ୟସଭା ପଠାଇପାରେ ବୋଲି କେତେକ ମହଲରେ ଶୁଣାଯାଉଛି ।