ନୂଆଦିଲ୍ଲୀ : କାନାଡାରେ ଏହି ସମୟରେ ଗତ ୩୦ ବର୍ଷରେ ସବୁଠୁ ବଡ଼ ସେନା ଭର୍ତ୍ତି ଚାଲିଛି। କିଛି ବର୍ଷ ପୂର୍ବେ ଯାଏ ସ୍ଥିତି ଏମିତି ଥିଲା ଯେ, କାନାଡାର ସେନାରେ ଯବାନଙ୍କ ସଂଖ୍ୟା ଖୁବ୍ କମ୍ ଥିଲା। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏମିତି କହିଥିଲେ ଯେ, ସେନା ଭାଙ୍ଗିବାର ସ୍ଥିତିରେ ପହଞ୍ଚି ଯାଇଛି। କିନ୍ତୁ ପରିସ୍ଥିତି ଏବେ ଖୁବ୍ ଜୋରରେ ବଦଳୁଛି। ବହୁ ସଂଖ୍ୟାରେ ଲୋକେ ସେନାରେ ଭର୍ତ୍ତି ହେଉଛନ୍ତି ଏବଂ ସରକାର ପ୍ରତିରକ୍ଷା କ୍ଷେତ୍ରରେ ବିଲିୟନ ବଲିୟନ ଡଲାର ଖର୍ଚ୍ଚ କରୁଛନ୍ତି।

ଏହି ପରିବର୍ତ୍ତନର ସବୁଠୁ ବଡ଼ କାରଣ ଦୁନିଆରେ ବଢୁ ଥିବା ଯୁଦ୍ଧ ଓ ସୁରକ୍ଷା ବିପଦ। ରୁଷ୍ –ୟୁକ୍ରେନ୍ ଯୁଦ୍ଧ ପରେ ଅନେକ ଦେଶ ନିଜର ସେନାକୁ ମଜବୁତ କରିବାରେ ଲାଗି ପଡ଼ିଛନ୍ତି। ଇରାନ ଓ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ମଧ୍ୟ ଚିନ୍ତା ବଢାଇଛି। କାନାଡା ଏବେ ନାଟୋର ନିୟମାନୁସାରେ ନିଜର ପ୍ରତିରକ୍ଷା ଶକ୍ତି ବଢାଇବାକୁ ଚାହିଁଛି।

ଆମେରିକାର ଧମକର ପ୍ରଭାବ –

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ବୟାନର ପ୍ରଭାବ ମଧ୍ୟ ପଡ଼ିଛି। ଟ୍ରମ୍ପ କାନାଡାକୁ ଆମେରିକାର ୫୧ତମ ରାଜ୍ୟ ବୋଲି କହିଥିଲେ। କାନାଡାର ଅନେକ ଲୋକ ଏହାକୁ ନିଜ ସାର୍ବଭୌମତ୍ୱ ପ୍ରତି ବିପଦ ଭାବେ ଦେଖିଥିଲେ। କାନାଡୀୟ ବିଶେଷଜ୍ଞ ଶାର୍ଲୋଟ୍ ଡୁଭଲ୍ ଲାଣ୍ଟୁଆନଙ୍କ କହିବା ଅନୁସାରେ, ଟ୍ରମ୍ପଙ୍କ ବୟାନ ଯୋଗୁଁ ଦେଶରେ ଜାତୀୟତାବାଦ ବୃଦ୍ଧି ପାଇଛି ଏବଂ ସେନାରେ ଯୋଗ ଦେବା ପାଇଁ ଲୋକଙ୍କ ଆଗ୍ରହ ମଧ୍ୟ ବଢ଼ିଛି। ତେବେ ୨୦୨୨ରେ ରୁଷର ୟୁକ୍ରେନ ଆକ୍ରମଣ ପରେ ହିଁ ସେନା ଭର୍ତ୍ତି ପ୍ରକ୍ରିୟାରେ ତେଜି ଦେଖିବାକୁ ମିଳିଥିଲା।

କାନାଡାରେ ଯୁବକମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ମଧ୍ୟ ଏକ ବଡ଼ କାରଣ। ମାର୍ଚ୍ଚ ମାସରେ ଯୁବ ବେକାରୀ ହାର ପ୍ରାୟ ୧୪% ଥିଲା। ଏଭଳି ପରିସ୍ଥିତିରେ ସେନା ଏବେ ଯୁବପିଢ଼ିଙ୍କ ପାଇଁ ସୁରକ୍ଷିତ ଚାକିରି ଏବଂ ଭଲ ଦରମାର ଏକ ବିକଳ୍ପ ପାଲଟିଛି। ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସେନା ଯବାନଙ୍କ ଦରମା ବୃଦ୍ଧି ଏବଂ ଚାକିରି ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ମାର୍କ କାର୍ନି ସରକାର ସେନାକୁ ଶକ୍ତିଶାଳୀ କରିବା ପାଇଁ ଏକ ବଡ଼ ଯୋଜନା ଆରମ୍ଭ କରିଛନ୍ତି। ମାର୍ଚ୍ଚ ମାସରେ ସେ କହିଥିଲେ ଯେ, କାନାଡା ୧୯୮୦ ଦଶକ ପରେ ପ୍ରଥମ ଥର ପାଇଁ ନାଟୋର ସେହି ଲକ୍ଷ୍ୟ ପୂରଣ କରିଛି, ଯେଉଁଥିରେ ଦେଶଗୁଡ଼ିକୁ ନିଜ GDP ର ୨%ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏବେ କାନାଡା ବର୍ଷକୁ ୬୩ ବିଲିୟନ କାନାଡୀୟ ଡଲାରରୁ ଅଧିକ ପ୍ରତିରକ୍ଷା ବାବଦରେ ଖର୍ଚ୍ଚ କରୁଛି। କାନାଡା ୨୦୩୫ ସୁଦ୍ଧା ପ୍ରତିରକ୍ଷା ଖର୍ଚ୍ଚକୁ GDP ର ୫% ପର୍ଯ୍ୟନ୍ତ ନେବାକୁ ନାଟୋ ପ୍ରସ୍ତାବକୁ ମଧ୍ୟ ସମର୍ଥନ କରିଛି।

ସରକାର ନୂଆ ଅସ୍ତ୍ରଶସ୍ତ୍ର କିଣୁଛନ୍ତି, ପୁରୁଣା ସାମରିକ ଘାଟିଗୁଡ଼ିକର ଆଧୁନିକୀକରଣ କରୁଛନ୍ତି ଏବଂ ଆର୍କଟିକ ଅଞ୍ଚଳରେ ନୂଆ ସାମରିକ ସୁବିଧା ସୁଯୋଗ ସୃଷ୍ଟି କରୁଛନ୍ତି। ତେବେ ବିଶେଷଜ୍ଞଙ୍କ ମତରେ କାନାଡା ସେନା ଏବେ ମଧ୍ୟ ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ଭଳି ଦେଶଠାରୁ ବହୁ ପଛରେ ଅଛି। ପ୍ରକୃତ ପରିବର୍ତ୍ତନ ଦେଖାଯିବା ପାଇଁ ଆହୁରି ୫ ରୁ ୧୦ ବର୍ଷ ସମୟ ଲାଗି ପାରେ।

ଭର୍ତ୍ତି ବଢ଼ାଇବା ପାଇଁ କାନାଡା ଆବେଦନ ପ୍ରକ୍ରିୟାକୁ ସହଜ କରି ଦେଇଛି। ଏବେ ଅନେକ ଦସ୍ତାବିଜ ଅନଲାଇନରେ ଜମା କରାଯାଇ ପାରିବ। ପୂର୍ବରୁ ଏହି ପ୍ରକ୍ରିୟା ଅତି ମନ୍ଥର ଥିଲା। ୨୦୨୨ ମସିହାରୁ ସ୍ଥାୟୀ ନିବାସୀ ଅର୍ଥାତ୍ ବିଦେଶୀ ନାଗରିକଙ୍କୁ ମଧ୍ୟ ସେନାରେ ଆବେଦନ କରିବାକୁ ଅନୁମତି ଦିଆଯାଇଛି। ଗତ ବର୍ଷ ନୂଆ ଭର୍ତ୍ତିରେ ପ୍ରାୟ ୨୦% ବିଦେଶୀ ନାଗରିକ ସାମିଲ ଥିଲେ।

କାନାଡା ସେନା ସୂଚନା ଦେଇଛି ଯେ, ଗତ ଆର୍ଥିକ ବର୍ଷରେ ୭,୦୦୦ ରୁ ଅଧିକ ନୂଆ ଯବାନ ଭର୍ତ୍ତି ହୋଇଛନ୍ତି। ଏହା ଗତ ତିନି ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ ନିଯୁକ୍ତି। ଫେବୃଆରୀ ସୁଦ୍ଧା ଆବେଦନ ସଂଖ୍ୟା ୨୧,୭୦୦ ରୁ ବୃଦ୍ଧି ପାଇ ୪୦,୧୧୬ ହୋଇଛି। ସମୁଦାୟ ଆବେଦନ ପ୍ରାୟ ୧ ଲକ୍ଷରେ ପହଞ୍ଚିଛି। ଏବେ କାନାଡା ୮୫,୫୦୦ ନିୟମିତ ସୈନିକ ଏବଂ ୩ ଲକ୍ଷ ରିଜର୍ଭ ଯବାନଙ୍କୁ ନେଇ ଏକ ବିଶାଳ ସେନା ପ୍ରସ୍ତୁତ କରିବାକୁ ଯୋଜନା କରୁଛି।