ନୂଆଦିଲ୍ଲୀ,୧୭/୦୪; କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉଭୟ ମହିଳା ସଂରକ୍ଷଣ ବିଲ୍ ଓ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଏକସମୟରେ ଆଣିଥିବାରୁ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଲୋକସଭାରେ ସେ କହିଛନ୍ତି, ବର୍ତ୍ତମାନ ଲୋକସଭାର ୫୪୩ ଆସନ ରହିଥିଲା ବେଳେ ସେଥିରୁ କାହିଁକି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉନାହିଁ । ସରକାର ଆଣିଥିବା ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ହେଲେ ଗଣତନ୍ତ୍ର ଶେଷ ହୋଇଯିବ ।

ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି, ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ ନିର୍ବାଚନ କମିଶନ, ନ୍ୟାୟପାଳିକା ଓ ଗଣମାଧ୍ୟମ ଉପରେ ଚାପ ବଢ଼ିଛି । ବର୍ତ୍ତମାନ ସମ୍ବିଧାନ ସଂଶୋଧନ କରି ସରକାର ଗଣତନ୍ତ୍ର ଉପରେ ଖୋଲା ଆକ୍ରମଣ କରିବାକୁ ଚାହୁଁଛନ୍ତି । ସରକାର ଏବେ ଲୋକସଭାର ସଦସ୍ୟ ସଂଖ୍ୟା ୮୫୦ କରିବାକୁ ଚାହୁଁଛନ୍ତି । ୨୦୧୧ ଜନଗଣନା ଅନୁସାରେ ସୀମା ପୁନଃନିର୍ଦ୍ଧାରଣ ମାଧ୍ୟମରେ ଏଭଳି କରାଯାଉଛି । ଉପରୁ ତ ଭଲ ଲାଗୁଛି । କିନ୍ତୁ ଭିତରେ ରାଜନୀତିର ଗନ୍ଧ ରହିଛି । ସୀମା ପୁନଃନିର୍ଦ୍ଧାରଣ କମିଶନର ୩ ଜଣିଆ ସଦସ୍ୟ କେଉଁ ରାଜ୍ୟରୁ କେତେ ସଦସ୍ୟ ଲୋକସଭା ଆସିବେ ତାହା ସ୍ଥିର କରିବେ । ୨୦୨୩ରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବାରେ କଂଗ୍ରେସ ସମର୍ଥନ କରିଥିଲା । ଆଜି ମଧ୍ୟ ସମର୍ଥନ କରୁଛି । କିନ୍ତୁ ବିଲ୍‌ରେ ଯେଉଁ ସୀମା ପୁନଃନିର୍ଦ୍ଧାରଣର ବ୍ୟବସ୍ଥା ରହିଛି ତାହା ହିଁ ବିବାଦର କାରଣ ।

ଏହା ବି ପଢନ୍ତୁ...ମହିଳା ସଂରକ୍ଷଣ ବିଲ୍ ସବୁଠାରୁ ପ୍ରଥମେ କଂଗ୍ରେସ ଆଣିଥିଲା, ସେତେବେଳେ ବିଜେପି ହିଁ ବିରୋଧ କରିଥିଲା: ପ୍ରିୟଙ୍କା  

​​​​​​​ଖାଲି ସେତିକି ନୁହେଁ ମହିଳା ସଂରକ୍ଷଣ ବିଲ୍ ସବୁଠାରୁ ପ୍ରଥମେ କଂଗ୍ରେସ ଆଣିଥିଲା ସେତେବେଳେ ବିଜେପି ହିଁ ବିରୋଧ କରିଥିଲା ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପଞ୍ଚାୟତ ଏବଂ ପୌରପାଳିକାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣର ବ୍ୟବସ୍ଥା ପ୍ରଥମେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତୀୟ ଜାତୀୟ କଂଗ୍ରେସ ସରକାର ଏହି ଗୃହରେ ଆଗତ କରାଯାଇଥିଲା। ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ଏହା ଉପରେ ଆଲୋଚନା କରିଥିଲେ କିନ୍ତୁ ସେତେବେଳେ କିଏ ଏହାକୁ ବିରୋଧ କରିଥିଲା ତାହା କହିଲେନି । ଯେବେ ନୂଆ ଜନଗଣନା ହେବ ଓବିସି ଅସଲ ସଂଖ୍ୟା ବାହାରିବ ସେବେ ଜଣାପଡିବ ଏହି ବର୍ଗ କେତେ ମଜବୁତ ତାର ହକ୍‌କୁ କେହି ଅଣଦେଖା କରିପାରିବେ ନାହିଁ । ୨୦୧୧ ଜନଗଣନାକୁ ସୀମାନିର୍ଦ୍ଧାରଣକୁ ଓବିସି ବର୍ଗର ଅଧିକାର ଛଡାଇ ନେବାକୁ ଚାହୁଁଛନ୍ତି ତାଙ୍କ ସହ ବଡ଼ ଅନ୍ୟାୟ କରିବାକୁ ଯାଉଛନ୍ତି । କଂଗ୍ରେସ ପାର୍ଟି ଏହା କେବେ କରିବାକୁ ଦେବ ନାହିଁ । ଭାରତର ସମ୍ବିଧାନ ସମସ୍ତଙ୍କର । ଏ ଦେଶ ଜଣେ ଜଣେ ଦେଶବାସୀଙ୍କର । ଜଣଙ୍କର ହକ୍ ଛଡାଇ ନେଇ ଏହାକୁ ଚଲା ଯିବ ନାହିଁ । ସଂସଦର ୫୦ ପ୍ରତିଶତ ବିସ୍ତାର ପ୍ରସ୍ତାବିତ ହୋଇଛି ହେଲେ ଏ ନେଇ କୌଣସି ଠୋସ୍ ପ୍ରକ୍ରିୟା ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କହି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ।