ଭୁବନେଶ୍ୱର,୧୦/୦୩:  ସୋମବାର ୧୪୭ଟି ଜାଗାରେ ବନାଗ୍ନି ଚିହ୍ନଟ ହୋଇଛି । ହେକ୍ଟର ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଉଛି । ନିଆଁର ଝାସରୁ ବନ୍ୟଜନ୍ତ୍ୟୁଙ୍କୁ ବି ନିସ୍ତାର ମିଳୁନି । ଭବାନୀପାଟଣା ସର୍କଲର ଖରିଆର୍‌ ଓ ଧର୍ମଗଡ଼ ରେଞ୍ଜର ୨ଟି ଜାଗାରେ ବଡ଼ ଧରଣର ନିଆଁ ଲାଗିଛି । ଚଳିତବର୍ଷ ପ୍ରଥମ ୨ ମାସ ନିୟନ୍ତ୍ରଣରେ ଥିଲା ବନାଗ୍ନି । କିନ୍ତୁ ମାର୍ଚ୍ଚ ପହିଲାରୁ ଜଙ୍ଗଲ ନିଆଁ ଅଣାୟତ୍ତ ହୋଇପଡ଼ିଛି । ବନ ବାହିନୀର ସକଳ ଉଦ୍ୟମ ସତ୍ତେ୍ୱ ନିୟନ୍ତ୍ରଣ ବାହାରେ ବନାଗ୍ନି । ବନାଗ୍ନି ରୋକିବାରେ ଅଗ୍ନିରୋଧକ ରେଖା (ଫାୟାର ଲାଇନ୍‌) ସପ୍ତାହକରେ ଉଭାନ୍‌ ହୋଇଯାଉଛି । ଆଗକୁ ଭୀଷଣ ଗ୍ରୀଷ୍ମ ପ୍ରକୋପ ମାଡି଼ ଆସୁଛି । ନିଆଁ ପିଣ୍ଡୁଳା ହୋଇଉଠିବ ଜଙ୍ଗଲ । ହଜାର ହଜାର ଜୀବଜନ୍ତୁଙ୍କ ପାଇଁ ବିପଦ ମାଡ଼ିଆସୁଛି ।

  ବନାଗ୍ନିକୁ ରୋକିବାରେ ବଡ଼ ଭୂମିକା ଗ୍ରହଣ କରୁଛି ଫାୟାର ଲାଇନ୍‌ । ଗତବର୍ଷ ବନାଗ୍ନି ଋତୁରେ ପାଖାପାଖି ୧୫,୭୨୩ କିମିର ଫାୟାର ଲାଇନ୍‌ ସୃଷ୍ଟି କରାଯାଇଥିଲା । ତଥାପି ଗତବର୍ଷ ପ୍ରାୟ ୨୯ ହଜାର ୭୦୯ଟି ବନାଗ୍ନି ଚିହ୍ନଟ ହୋଇଥିଲା । ଚଳିତବର୍ଷ ଏହି ଫାୟାର ଲାଇନ୍‌ ଜଙ୍ଗଲରେ ୨୦ ହଜାର ୪୬୧ କିମି ଯାଏ ବ୍ୟାପିଛି । ଜଙ୍ଗଲ ନିଆଁକୁ କାବୁ କରିବାରେ ବିଫଳ ହେଉଛି । ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ତଥ୍ୟ ମୁତାବକ, ବର୍ଷ ଆରମ୍ଭରୁ ଏଯାବତ୍‌ ରାଜ୍ୟରେ ୬,୯୮୯ଟି ବନାଗ୍ନି ଚିହ୍ନଟ ହେଲାଣି । ଜାନୁଆରୀ ପହିଲାରୁ ମାର୍ଚ୍ଚ ପହିଲା ଭିତରେ ୨,୪୪୦ଟି ବନାଗ୍ନି ଚିହ୍ନଟ ହୋଇଥିଲା । ତା’ ପରଠୁ ବନାଗ୍ନି ଗ୍ରାଫ୍‌ ଉପରମୁହାଁ ହୋଇଛି । ଗତ ୫ ତାରିଖରେ ୧୫୦୧ଟି ବନାଗ୍ନି ଚିହ୍ନଟ ହୋଇଥିଲା । ପ୍ରାୟ ୧୪୫ଟି ଜାଗାରେ ବଡ଼ଧରଣର ନିଆଁ ଲାଗିଥିଲା । ସାରା ଦେଶରେ ସର୍ବାଗ୍ରେ ଥିଲା ଓଡି଼ଶା । ବିସ୍ତୀର୍ଣ୍ଣ ଫାୟାର ଲାଇନ୍‌ ସତ୍ତେ୍ୱ ବନାଗ୍ନିକୁ କାହିଁକି ରୋକାଯାଇ ପାରୁନି? କ’ଣ ପାଇଁ କାମ ଦେଉନି ଏହି ଅଗ୍ନିରୋଧକ ରେଖା । 

ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଜଙ୍ଗଲ ଭୂଇଁରେ ଗଦା ହୋଇଥିବା ଶୁଖିଲା ପତ୍ରରୁ ନିଆଁ ସହଜରେ ବ୍ୟାପେ । ପ୍ରତି ବନାଗ୍ନି ଋତୁ ପୂର୍ବରୁ କ୍ଷେତ୍ର କର୍ମଚାରୀମାନେ ଶୁଖିଲା ପତ୍ରକୁ ହଟାଇ ଏକ ଫାଙ୍କା ସ୍ଥାନ ସୃଷ୍ଟି କରୁଛନ୍ତି । ବନାଗ୍ନି ବ୍ୟାପିବାରେ ବାଧକ ସାଜେ ଏହି ଅଗ୍ନିରୋଧକ ରେଖା । ମାତ୍ର ୩ ମିଟର ଚଉଡ଼ାର ଏହି ଫାଙ୍କା ସ୍ଥାନରେ ୨-୩ ଦିନରେ ପୁଣି ଶୁଖିଲା ପତ୍ର ଗଦା ହେଉଛି । ସପ୍ତାହେ ବିତିଲା ବେଳକୁ ଅଗ୍ନିରୋଧକ ରେଖା ଜଙ୍ଗଲ ଭୂଇଁରୁ ଗାଏବ୍‌ ହୋଇଯାଉଛି । ସମ୍ପୃକ୍ତ ଅଧିକାରୀଙ୍କ କହିବା ମୁତାବକ, ଫାୟାର ଲାଇନ୍‌ ନିର୍ମାଣରେ ୧ କିମି ପିଛା ୪ ହଜାର ୪୦୦ ଟଙ୍କା ଖର୍ଚ୍ଚ ହେଉଛି । ଅର୍ଥାତ୍‌, ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ କରୁଛି ବନ ବିଭାଗ । ଏତିକି ଖର୍ଚ୍ଚରେ ଶୁଖିଲା ପତ୍ର ହଟାଇବାଠୁ ବନାଗ୍ନି ଋତୁ ସରିବା ଯାଏ ନିୟମିତ ସଫା କରିବା କଥା । ହେଲେ, ଅଳ୍ପ ଚଉଡ଼ା ଯୋଗୁ ସପ୍ତାହକ ଭିତରେ ଏସବୁ ଟଙ୍କା ପାଣିରେ ପଡୁଛି । ବନ କ୍ଷେତ୍ର କର୍ମଚାରୀ/ଅଧିକାରୀଙ୍କ ସ୍ତରରେ ଅର୍ଥ ବାଟମାରଣା ହେଉଛି । ନିର୍ଦ୍ଦେଶାବଳୀ ସତ୍ତେ୍ୱ ଫାୟାର ଲାଇନ୍‌କୁ ଜଗାରଖାରେ କେହି ମନ ଦେଉନାହାନ୍ତି ।

ଆହୁରି ପଢନ୍ତୁ-ଓଡ଼ିଶା ହଳଦୀରେ ଅଛି କି କ୍ଷତିକାରକ ତତ୍ତ୍ଵ ? ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ମୁଣ୍ଡବିନ୍ଧା​​​​​​​

 ଏହାଛଡ଼ା ଜଙ୍ଗଲରେ କେତେ କିମି ଯାଏ ଫାୟାର ଲାଇନ୍‌ କରାଯାଉଛି କି ଏସବୁ ଯୋଜନା ଖାତା କଲମରେ ସୀମିତ ରହୁଛି । ତାହା ପରଖିବାକୁ କେହି ନାହାନ୍ତି । ଏକାବେଳକେ ୨-୩ଟି ସ୍ତରରେ ଫାୟାର ଲାଇନ୍‌ କରାଗଲେ, ନିଆଁ ବ୍ୟାପିବାର ଆଶଙ୍କା ଯଥେଷ୍ଟ କମିପାରେ । ନଚେତ୍‌, ସ୍ଥାୟୀ ଫାୟାର ଲାଇନ୍‌ ହେବା ଆବଶ୍ୟକ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡ. କେ. ମୁରୁଗେସନଙ୍କ କହିବା ମୁତାବକ, ଶୁଖିଲା ପାଗ, ଶୁଷ୍କ ବାୟୋମାସ ସଞ୍ଚୟ, ମାନବଜନିତ କାରଣ ଯୋଗୁ ପ୍ରତିବର୍ଷ ବନାଗ୍ନି ବ୍ୟାପୁଛି । ରେଞ୍ଜ ଓ ବିଟ୍‌ ସ୍ତରରେ ୩୩୪ଟି ବନାଗ୍ନି ସୁରକ୍ଷା ଦଳ ବନାଗ୍ନି ଆୟତ୍ତରେ ଲାଗିଛନ୍ତି । ବନ ଓ ଅଗ୍ନିଶମ କର୍ମଚାରୀଙ୍କ ତ୍ୱରିତ ଉଦ୍ଧାର ଯୋଗୁ ପ୍ରାୟ ୯୯ ପ୍ରତିଶତ ବନାଗ୍ନି ରୋକାଯାଇଛି । କିନ୍ତୁ ଯଥେଷ୍ଟ କ୍ଷେତ୍ର କର୍ମଚାରୀ ନଥିବାରୁ ଶୁଖିଲା ପତ୍ରକୁ ନିୟମିତ ସଫା କରିବା ମୁସ୍କିଲ ହେଉଛି । ନିଆଁକୁ ଆୟତ୍ତ କରିବାରେ ସମୟ ସରିଯାଉଛି । ମାନବକୃତ ବନାଗ୍ନି ରୋକିବାକୁ ଜଙ୍ଗଲ ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂ କଡ଼ା କରିବାକୁ ସମସ୍ତ ଡିଏଫ୍‌ଓ ଓ ଆର୍‌ସିସିଏଫଙ୍କୁ ନିର୍ଦ୍ଦେଶ ଦେଇଛି ।