ଭୁବନେଶ୍ଵର, ୧୦/୦୩ : ଓଡ଼ିଶା ହଳଦୀରେ ସିସା ଖୋଜିବ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ। ନମୁନା ସଂଗ୍ରହ ପାଇଁ ସ୍ଵାସ୍ଥ୍ୟ ବିଭାଗ ସହ ଆଲୋଚନା। ବିଶେଷ କରି ଓଡ଼ିଶାର ୩ଟି ଜିଲ୍ଲା କନ୍ଧମାଳ, ଗଞ୍ଜାମ ଓ କଟକରେ ଉତ୍ପାଦିତ ହେଉଥିବା ହଳଦୀରେ ସିସା ଥିବା ଆଶଙ୍କା କରାଯାଉଛି। ତେଣୁ ଏହି ହଳଦୀ ଗୁଡ଼ିକରେ କେତେ ପରିମାଣର ସିସା ଅଛି ତାହା ଜାଣିବା ଲାଗି ନମୁନା ପରୀକ୍ଷା ପାଇଁ ହୁର ପ୍ରତିନିଧି ସ୍ଵାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ପରୀକ୍ଷଣ ପାଇଁ ଅନୁମତି ଦେଲେ ସର୍ଭେ ଆରମ୍ଭ ହେବ।
ସିସା ହେଉଛି ଏକ ଭାରି ଧାତୁ। ମଣିଷ ଶରୀର ପାଇଁ ଏହା କ୍ଷତିକାରକ। ସିସାଯୁକ୍ତ ହଳଦୀ ସେବନ କଲେ ଶିଶୁଙ୍କ କ୍ଷେତ୍ରରେ ସ୍ନାୟୁଗତ ରୋଗ ସୃଷ୍ଟି କରିବା ସହ ମସ୍ତିଷ୍କ ବିକାଶରେ ବାଧକ ସାଜେ। ସିସା ସିଧାସଳଖ ଭାବେ ପାଣି ଜରିଆରେ ଶରୀରରେ ପ୍ରବେଶ କରିଥାଏ। ଖାଲି ହଳଦୀ ନୁହେଁ ମାଟି ତଳେ ଫଳୁଥିବା ପନିପରିବାରେ ମଧ୍ୟ ସିସା ଦେଖିବାକୁ ମିଳେ।
ସ୍ଵାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ସିସାର ଧାର୍ଯ୍ୟ ମାନଦଣ୍ଡ ହେଉଛି ୧୦ ପିପିଏମ୍। ବିଶେଷ କରି ଗୋଟା ହଳଦୀରେ ସିସାର ପରିମାଣ ଧାର୍ଯ୍ୟ ମାନଦଣ୍ଡ ଠାରୁ ଅଧିକ ରହୁଥିବା ଆଶଙ୍କା କରାଯାଉଛି। ହୁ ପକ୍ଷରୁ ସର୍ଭେ ପ୍ରସ୍ତାବ ଆସିବା ପରେ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନ କରାଯାଇଛି। ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ଏବେ ଗୋଟା ହଳଦୀ ସେବନ କରିବା ଲୋକଙ୍କ ସଂଖ୍ୟା ଏକପ୍ରକାର ଶୂନ। ଲୋକମାନେ ବିଭିନ୍ନ ବ୍ରାଣ୍ଡର ହଳଦୀ ଗୁଣ୍ଡ ଆଣି ଖାଉଛନ୍ତି। ଗୋଟା ହଳଦୀରେ ସିସା ପରିମାଣ ଅଧିକ ଥିଲେ ଗୁଣ୍ଡ ହଳଦୀରେ ମଧ୍ୟ ସିସା ରହୁଛି।
ସୂଚନା ଥାଉକି, ଗତବର୍ଷ ରାଜ୍ୟରେ ୧୪୭ ପ୍ରକାରର ଖାଦ୍ୟ ନମୁନାର ପରୀକ୍ଷଣ କରାଯାଇଥିଲେ। ଏହି ସମୟରେ ହଳଦୀରେ ସିସା ପରିମାଣ ଅଧିକ ଥିବା ନଜରକୁ ଆସି ନଥିଲା। ହୁ ର ଏଭଳି ଦାବି ପରେ ହଳଦୀର ନମୁନା ପରୀକ୍ଷଣ ହୋଇପାରେ। ଏହାପରେ ମାଟି ତଳେ ଫଳୁଥିବା ଅନ୍ୟାନ୍ୟ ପନିପରିବାର ମଧ୍ୟ ନମୁନା ପରୀକ୍ଷା କରାଯାଇପାରେ।
ଏହି ଖବରଟିକୁ ପଢନ୍ତୁ- ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ସିଏଚ୍ଏସ୍ଇର ନୂଆ ପଦକ୍ଷେପ, ଗୋଟିଏ ବିଷୟରେ ଉନ୍ନତି ପାଇଁ ପରୀକ୍ଷା ସୁଯୋଗ