କୋଲକାତା,୦୮/୦୯: କୋଲକାତାରେ ଜଣେ ୨୦ ବର୍ଷୀୟା ମହିଳା ଗଣଦୁଷ୍କର୍ମ ଶିକାର ହୋଇଛନ୍ତି । ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିଲା । ଶନିବାର ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଛି । ଅଭିଯୁକ୍ତ ଚନ୍ଦନ ମଲିକ ଏବଂ ଦେବାଂଶୁ ବିଶ୍ୱାସ ଓରଫ ଦୀପ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।
ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ପୀଡ଼ିତାଙ୍କ ଘର ହରିଦେବାପୁର ଅଞ୍ଚଳରେ । ଶୁକ୍ରବାର ତାଙ୍କର ଜନ୍ମଦିନ ଥିଲା । ଦୁଇ ବନ୍ଧୁ ଚନ୍ଦନ ଓ ଦୀପ୍ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହାପରେ ଜନ୍ମଦିନ ପାଳନ ବାହାନାରେ ତାଙ୍କୁ ରିଜେଣ୍ଟ ପାର୍କସ୍ଥିତ ଏକ ଫ୍ଲାଟ୍କୁ ନେଇଯାଇଥିଲେ । ସେମାନେ ଏକାଠି ଡିନର୍ କରିଥିଲେ । ଡିନର୍ ପରେ ମହିଳା ଘରକୁ ଯିବାକୁ ବାହାରିବାରୁ ଦୁଇ ବନ୍ଧୁ ଚନ୍ଦନ ଓ ଦୀପ୍ ତାଙ୍କୁ ଛାଡ଼ି ନ ଥିଲେ । ଘର କବାଟ ବନ୍ଦ କରି ରାତିତମାମ ଦୁଷ୍କର୍ମ କରିଥିଲେ । ପରଦିନ ସକାଳ ପ୍ରାୟ ୧୦ଟା ୩୦ରେ ପୀଡ଼ିତା ମହିଳା କୌଶଳକ୍ରମେ ଖସି ଆସି ଘରେ ସବୁ କଥା ଜଣାଇଥିଲେ । ଏହାପରେ ପରିବାର ଲୋକଙ୍କ ସହ ଯାଇ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ । ଘଟଣା ପରେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।
ପୁଲିସ ମୁତାବକ, ଦୀପ୍ ଜଣେ ସରକାରୀ କର୍ମଚାରୀ । ଚନ୍ଦନ ଏକ ପ୍ରମୁଖ ଦୁର୍ଗାପୂଜା କମିଟିର ମୁଖ୍ୟ । ପୂଜା କମିଟିରେ ସାମିଲ ହେବାକୁ ପୀଡ଼ିତା ମହିଳା ଚାହୁଁଥିଲେ । ଏହାପରେ ଚନ୍ଦନ ଓ ଦୀପ୍ ସହ ତାଙ୍କର ଚିହ୍ନା ହୋଇଥିଲା । ତିନିଜଣ ଯୋଗାଯୋଗରେ ରହିଥିଲେ ।