ଖନ୍ତାପଡ଼ା,୧୭/୦୫: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ ଦରଡ଼ିଆ ଗ୍ରାମରେ ଅଘଟଣ। ବିଦ୍ୟୁତ ଆଘାତରେ  ମହିଳା ମୃତ । ମୃତ ମହିଳା ଜଣଙ୍କ ହେଉଛନ୍ତି  ବୈକୁଣ୍ଠ ବାରେକଙ୍କ ପତ୍ନୀ ଅର୍ଣ୍ଣପୂର୍ଣ୍ଣା ବାରେକ ବୋଲି ଜଣାପଡ଼ିଛି। 

ସୂଚନା ମୁତାବକ, ଆଜି ସକାଳ ୫ଟା ସମୟରେ ଅର୍ଣ୍ଣପୂର୍ଣ୍ଣା ବାରେକ ନିଜ ବାଡିରେ ଥିବା ଫୁଲ ଗଛରୁ ଫୁଲ ତୋଳିବାକୁ ଯାଉଥିଲେ।  ସେହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ। ଘଟଣାସ୍ଥଳରୁ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ଧୀରେଶ କୁମାର ଷଡ଼ଙ୍ଗୀ ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ। ମହିଳାଙ୍କ ଏଭଳି ମୃତ୍ୟୁ ପାଇଁ ଅଞ୍ଚଳରେ ଶୋକର ଛାୟା ଖାଲିଯାଇଛି। ସେପଟେ  ପରିବାର ପକ୍ଷରୁ ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଛି। 

ବିଦ୍ୟୁତ ବିଭାଗର ବେପରୁଆ ଓ ଖାମଖିଆଲି ନିତି ପାଇଁ ଏଭଳି ଦୁର୍ଘଟଣାର ଶିକାର ହୋଇ ମହିଳା ଜଣଙ୍କ ମୃତ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।  ଘଟଣାସ୍ଥଳରେ ଖନ୍ତାପଡ଼ା ଥାନା ଏସଆଇ ଆଶୁତୋଷ ଦାସ ପହଞ୍ଚି ଅଭିଯୋଗ ଗ୍ରହଣ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ପରିବାର ଲୋକେ ଯଦି ମୃତକଙ୍କୁ ଉଚ୍ଚିତ ନ୍ୟାୟ ନ ମିଳେ ତେବେ ବିଦ୍ୟୁତ ବିଭାଗ ଗେଟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଦାବି କରିଛନ୍ତି।