ଝରିଗାଁ, ୭।୩: କଥାରେ ଅଛି ପରିଶ୍ରମ କେବେ ବୃଥା ଯାଏନି । ଏହାର ଫଳ ସବୁବେଳେ ମିଠା । ଉଦାହରଣ ଭାବେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବରାଗୁଡ଼ା ଗାଁର ତରୁଣୀ ଗୌଡ଼ଙ୍କୁ ନିଆଯାଇ ପାରେ । କଠୋର ପରିଶ୍ରମ ଓ ଚୁଆପାଣି ବ୍ୟବହାର କରି ସେ ଡଙ୍ଗର ଜମିକୁ କରିଛନ୍ତି ଶସ୍ୟଶ୍ୟାମଳା । ଧାନ, ମକା, ପନିପରିବା ଚାଷ ସହ କୁକୁଡ଼ା, ବତକ, ଛେଳି ମେଣ୍ଢା ପାଳନକରି ସ୍ୱାବଲମ୍ବୀ ହୋଇଛନ୍ତି । ମାତ୍ର ୨ ଏକର ଡଙ୍ଗର ଜମିରୁ ବର୍ଷକୁ ଆୟ କରୁଛନ୍ତି ୩ ଲକ୍ଷରୁ ଅଧିକ ଟଙ୍କା । ସେଥିରେ ଚଳୁଛନ୍ତି ତାଙ୍କ ୬ ପ୍ରାଣୀ କୁଟୁମ୍ବ । ତରୁଣୀ କହିଛନ୍ତି, ଝରିଗାଁରୁ ୨କିମି ଦୂରରେ ରହିଛି ତାଙ୍କ ଗାଁ ବରାଗୁଡ଼ା । ୨ ପୁଅ, ଗୋଟିଏ ଝିଅ, ସ୍ୱାମୀ ଓ ଶାଶୂଙ୍କୁ ନେଇ ୬ ପ୍ରାଣୀ କୁଟୁମ୍ବ । ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର । ସ୍ୱାମୀଙ୍କ ପୈତୃକ ଜମି କହିଲେ ମାତ୍ର ୨ ଏକର ଡଙ୍ଗର ଜମି । ସେଥିରୁ ୩୦ ସେଣ୍ଟ ଟିକିଏ ଖାଲଜମି । ଜମିରେ ଚୁଆଟିଏ ଥିବାରୁ ଏହାର ପାଣି ବ୍ୟବହାର କରି ଚାଷବାସ କରୁଛନ୍ତି । ଜମିରେ କୁଡ଼ିଆଟିଏ କରି ଦିନସାରା ଜଗୁଛନ୍ତି ।
ଏହା ବି ପଢ଼ନ୍ତୁ... ଦିନକରେ ଗାଏବ ହୋଇଗଲେ ୩ ପିଲା ! ୨ ନାବାଳିକା ଏବେ ବି ନିଖୋଜ, ପୋଷ୍ଟର ମାରି ପୁରସ୍କାର ଘୋଷଣା କଲା ପୁଲିସ
ଡିଜେଲ ମୋଟର ସାହାଯ୍ୟରେ ଚୁଆପାଣି ଜମିରେ ମଡ଼ାଇ ୩୦ ସେଣ୍ଟରେ ଖରାଟିଆ ଧାନ, ପ୍ରାୟ ୧ ଏକରରେ ମକା ଓ ବଳକା ୭୦ ସେଣ୍ଟ ଜାଗାରେ ବିଭିନ୍ନ ପନିପରିବା ଚାଷ କରିଛନ୍ତି । ଶାଗ, ଟମାଟୋ, ମୂଳା, ଫୁଲକୋବି, ପତ୍ରକୋବି, ପିଆଜ, ବିନ୍ସ ଚାଷ କରିଛନ୍ତି । ଅତିରିକ୍ତ ଭାବେ କୁକୁଡ଼ା, ବତକ, ଛେଳିମେଣ୍ଢା ପାଳନ କରୁଛନ୍ତି । ସହର ପାଖରେ ଲୋକେ ତରୁଣୀଙ୍କ ବାଡ଼କୁ ଆସି ପ୍ରତିଦିନ ତଟକା ପରିବା କିଣି ନେଉଛନ୍ତି । ଚାଷବାସରୁ ହିଁ ଜୀବନ ଜୀବିକା । ଝିଅ ହାଇସ୍କୁଲରେ ପାଠ ପଢୁଥିବା ବେଳେ ଅର୍ଥାଭାବରୁ ୨ ପୁଅଙ୍କ ପାଠରେ ଡୋରି ବନ୍ଧାଯାଇଛି । ସେମାନେ ତରୁଣୀଙ୍କୁ ଚାଷକାମରେ ସହଯୋଗ କରୁଛନ୍ତି । ସରକାରୀ ସହାୟତା କହିଲେ ପରିବାରକୁ ମିଳୁଛି ୨୫ କେଜି ଚାଉଳ । ବିଧବା ଶାଶୂ ଲଳିତା ଗୌଡ଼ ଅଙ୍ଗନବାଡ଼ି କେନ୍ଦ୍ରରେ ପାଚିକା ଭାବେ କାର୍ଯ୍ୟ କରୁଛନ୍ତି । ଏଣେ ତରୁଣୀଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ସେତେଟା ଭଲ ନଥିବାରୁ ସେ କେବଳ କିଛିଟା ସାହାଯ୍ୟ କରନ୍ତି । କଠିନ ପରିସ୍ଥିତିରେ ବି ପରିବାରର ସମସ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି ତରୁଣୀ । ଘରର ଆର୍ଥିକ ବିକାଶ ଲାଗି ମାଟି ସହ ମାଟି ହୋଇ ସଙ୍ଘର୍ଷ ଜାରି ରଖିଛନ୍ତି । ତାଙ୍କ ପ୍ରୟାସ ଓ ସଫଳତା ନାରୀ ସମାଜ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି ଅଞ୍ଚଳବାସୀ । କୃଷି କ୍ଷେତ୍ରରେ ଦିନରାତି କାମ କରୁଥିବା ତରୁଣୀଙ୍କ ଭଳି ମହିଳାଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ଗ୍ରାମାଞ୍ଚଳର ଅଧିକ ବିକାଶ ହୋଇପାରନ୍ତା ।