ଭୁବନେଶ୍ୱର, ୭।୩: ରାଜଧାନୀରୁ ଗୋଟିଏ ଦିନରେ ୩ ଜଣ ପିଲା ନିଖୋଜ ହୋଇଯାଇଛନ୍ତି । ଜଣେ ନାବାଳକ ଓ ଦୁଇ ଜଣ ନାବାଳିକା ନିଖୋଜ ହୋଇଛନ୍ତି । ଧଉଳିରୁ ନିଖୋଜ ହୋଇଥିବା ନାବାଳକ ରାତିରେ ଉଦ୍ଧାର ହୋଇଥିବା ବେଳେ ସାଲିଆସାହିରୁ ୨ ନାବାଳିକା ନିଖୋଜ ଅଛନ୍ତି । ନିଖୋଜଙ୍କ ଫଟୋ ସହ ପୋଷ୍ଟର ଜାରି କରିଛି କମିଶନରେଟ୍ ପୁଲିସ । ନିଖୋଜ ପିଲାଙ୍କ ବିଷୟରେ କିଛି ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ନୂଆପଲ୍ଲୀ ଥାନା ପୁଲିସ ସୂଚନା ଅନୁଯାୟୀ, ସାଲିଆସାହିରୁ ନିଖୋଜ ହୋଇଥିବା ୨ ନାବାଳିକା ହେଉଛନ୍ତି ତାରିଣୀ ନଗରର ସୁମିତ୍ରା ଦେହୁରୀ ଏବଂ ହାତିଆସୁଣିର ଶୁଭଶ୍ରୀ ନାୟକ ।
ଏହା ବି ପଢ଼ନ୍ତୁ... UPSC ପାଇଁ ପାଣ୍ଠି ଖୋଲି ଦେଇଛନ୍ତି ସରକାର, ହେଲେ ଫଳ ଶୂନ: ୩ ବର୍ଷ ହେଲା କମୁଛି ଓଡ଼ିଆଙ୍କ ସଫଳତା
ସେପଟେ ଧଉଳି ପାହାଡ଼ ନିକଟରୁ ନିଖୋଜ ଥିବା ଷଷ୍ଠ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନ ପ୍ରଧାନ(୧୨) ଉଦ୍ଧାର ହୋଇଛନ୍ତି । ନାବାଳକ ଓ ୨ ନାବାଳିକା ନିଖୋଜ ହୋଇଥିବା ନେଇ ପୁଲିସ ଫଟୋ ଓ ପୋଷ୍ଟର ଜାରି କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ କରିଛି । ସାଲିଆସାହିରୁ ନିଖୋଜ ନାବାଳିକାଙ୍କ ବିଷୟରେ ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଷ୍ଟରରେ ନୂଆପଲ୍ଲୀ ଥାନାର ଫୋନ୍ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି । ଏହି ପୋଷ୍ଟରକୁ ଅଧିକରୁ ଅଧିକ ସେୟାର କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ।
ତେବେ କେବଳ ଭୁବନେଶ୍ୱର ନୁହେଁ, କଟକରେ ମଧ୍ୟ ଶିଶୁ ନିଖୋଜ ଘଟଣା ସାମ୍ନାକୁ ଆସିଛି । ଗଲା ସପ୍ତାହେ ବା ଚଳିତ ମାସର ପ୍ରଥମ ୬ ଦିନରେ କଟକରୁ ୫ ଜଣ ନାବାଳକ-ନାବାଳିକା ନିଖୋଜ ହୋଇଥିବା ନେଇ ଥାନାରେ ରିପୋର୍ଟ ହୋଇଛି । ପୁଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ମିଳିଥିବା ତଥ୍ୟ ଅନୁସାରେ, ବିଡ଼ାନାସୀ ଥାନା ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହେବା ନେଇ ତାଙ୍କ ବାପା ଏତଲା ଦେବା ପରେ ପୁଲିସ ବିଏନ୍ଏସ୍ର ଧାରା ୧୩୭(୨)ରେ କେସ୍ ନମ୍ବର ୭୦/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନାବାଳକ- ନାବଳିକା ନିଖୋଜ ହେଲେ ତାହା ଅପହରଣ ବୋଲି ଧରାଯାଇ ସମାନ ଧାରାରେ ମାମଲା ରୁଜୁ ହେବ । ଏହି କ୍ରମରେ ବିଡ଼ାନାସୀ ଥାନା ପୁଲିସ କେସ୍ କରି ତଦନ୍ତ କରୁଛି । ସେହିପରି ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଜଣେ ଦଳିତ ନାବାଳିକା ନିଖୋଜ ହେବା ନେଇ ଏତଲା ପରେ ପୁଲିସ କେସ୍ ନମ୍ବର ୧୦୮/୨୫ ରୁଜୁ କରିଛି । ଜଗତପୁର ଥାନା ପୁଲିସ ପାଖରେ ଜଣେ ନାବାଳକ ନିଖୋଜ ନେଇ ଏତଲା ପରେ ପୁଲିସ ୧୪୫/୨୫ ମାମଲା କରି ତଦନ୍ତ ଜାରି ରଖିଛି ।
ମଧୁପାଟଣା ଥାନାରେ ଏକ ନାବାଳିକା ଅପହରଣ ନେଇ ତାଙ୍କ ମାଆ ଏତଲା ଦେବା ପରେ ପୁଲିସ ୪୧/୨୫ରେ କେସ୍ କରି ଅପହୃତାଙ୍କୁ ଖୋଜି ବାହାର କରିବା ପାଇଁ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ତଦନ୍ତ କରୁଛି । ସେହିପରି ଯୋବ୍ରା ଅଞ୍ଚଳରେ ରହୁଥିବା ଜଣେ ସଂଖ୍ୟାଲଘୁ ନାବାଳିକା ଶୁକ୍ରବାର ନିଖୋଜ ହେବା ନେଇ ତାଙ୍କ ବାପା ମାଲ୍ଗୋଦାମ ଥାନାରେ ଏତଲା ଦେଇଥିଲେ । ପୁଲିସ ୯୧/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଭୁବନେଶ୍ୱର ସହରରେ ଗୋଟିଏ ଦିନରେ ୩ ଜଣ ନାବାଳକ- ନାବାଳିକା ବା ଶିଶୁ ଅପହରଣ ନେଇ ତନାଘନା ହେଉଥିବା ବେଳେ କଟକରେ କିନ୍ତୁ ପୁଲିସ ତରଫରୁ ସେଭଳି କିଛି ତତ୍ପରତା ବା ମିଳିତ ଉଦ୍ୟମ ହେଉଥିବା ନେଇ ସୂଚନା ମିଳିନି । ତେବେ ଭୁବନେଶ୍ୱରରେ ନିଖୋଜ ଶିଶୁଙ୍କ ବୟସ ୧୨ ବର୍ଷ ମଧ୍ୟରେ ରହିଥିବା ବେଳେ କଟକରେ ୧୩ରୁ ୧୬ ବର୍ଷର ନାବାଳକ-ନାବାଳିକା ନିଖୋଜ ହୋଇଥିବା ନେଇ ରିପୋର୍ଟ ଦିଆଯାଇଥିବା ପୁଲିସ କହିଛି ।