ମହିଳାଙ୍କୁ ମରଣାନ୍ତକ ଆକ୍ରମଣ,ଗାଁରେ ଉତ୍ତେଜନା

ନୀଳଗିରି,୨୪/୧(ଆ.ପ୍ର): ନୀଳଗିରି ଥାନା ଅଧିନ ନରସିଂହପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ମହିଳା ଜଣକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ମହିଳା ଜଣକ ହେଲେ ଜୟନ୍ତୀ ଜେନା। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି।
ନୀଳଗିରି ଥାନା ଅଧିନ ନରସିଂହପୁର ଅଞ୍ଚଳର କୁଳମଣି ଜେନା ଗାଁ ଉଡା କମିଟିର ସମ୍ପାଦକ ଅଟନ୍ତି।ତାଙ୍କ ପାଖରେ କମିଟିର ଟଙ୍କା ରହିଥାଏ।ଆଉ ଏହାକୁ ଲେଖାପଢ଼ା କରି କିଛି ଅଞ୍ଚଳବାସୀ ଉଧାର ସୂତ୍ରରେ ନେଇଥାନ୍ତି।ଆଗକୁ ଶିବରାତ୍ରି ଆସୁଥିବାରୁ ଖର୍ଚ୍ଚପାଇଁ କୁଳମଣି ନେଇଥିବା ବ୍ୟକ୍ତିଙ୍କୁ ତାଗିଦ କରିବା ସହ ଟଙ୍କା ପୈଠ କରିବାକୁ କହିଥିଲେ।ହେଲେ କିଛି ବ୍ୟକ୍ତି ଟଙ୍କା ଏବେ ଦେଇହେବନି କହିବାରୁ ଆରମ୍ବ ହୋଇଥିଲା ବଚସା।ଏଥିରେ କିଛି ଯୁବକ ତାଙ୍କୁ ମାଡ଼ ମାରିବା ବେଳେ ତାଙ୍କର ସ୍ତ୍ରୀ ଜୟନ୍ତୀ ବାରଣ କରିଥିଲେ। କିଛି ଯୁବକ ତାଙ୍କୁ ମଧ୍ୟ ମାଡ଼ ମାରିବା ସହ ଆକ୍ରମଣ କରିଥିଲେ।ଏପରିକି ତାଙ୍କ ପୁଅ ଓ ଝିଅ ଆସି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଜଣାପଡିଛି। ଜୟନ୍ତୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ତେବେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ପରିବାର ଲୋକେ ନୀଳଗିରି ଥାନାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।