ଆଜିର ମହିଳା ଶିକ୍ଷିତ ଓ ଆତ୍ମନିର୍ଭରଶୀଳ । ବଦଳିଛି ତା' ଭାବିବାର ଶକ୍ତି । କାମ କରିବାର ସାମର୍ଥ୍ୟ । କେବଳ ସେତିକି ନୁହେଁ, ସଞ୍ଚୟ ଓ ଖର୍ଚ୍ଚ କରିବାର ଶୈଳୀ ମଧ୍ୟ । ଆଜିର ନାରୀ ଘର ଓ ବାହାର କାମକୁ ଯେତିକି ଦାୟିତ୍ୱ ସମ୍ପନ୍ନ ଭାବେ ତୁଲାଉଛି । ଠିକ୍ ସେତିକି ଗୁରୁତ୍ୱ ଦେଉଛି ନିଜର ଇଚ୍ଛା ଓ ସଉକକୁ ।
ଶେଷଜ୍ଞଙ୍କ ମତରେ ମହିଳାଙ୍କର ଏହି ପରିବର୍ତ୍ତନର କାରଣ ହେଉଛି ସେମାନଙ୍କର ବଢୁଥିବା ଆର୍ଥିକ ସ୍ୱାଧୀନତା, ଯାହାଦ୍ୱାରା ସେମାନେ ନିଜର ଇଚ୍ଛା ଓ ସଉକକୁ ପୂରଣ କରିବାରେ ସମର୍ଥ ହେଉଛନ୍ତି । ଜାଣନ୍ତି କି ଆଜିର କର୍ମଜୀବୀ ମହିଳାମାନେ ନିଜ ଅତିରିକ୍ତ ଖର୍ଚ୍ଚର ସିଂହ ଭାଗ ସୋଲୋ ଟ୍ରାଭେଲ୍, ୱେଲ୍ନେସ୍ ବ୍ରେକ୍ ଓ ବିଭିନ୍ନ ଗ୍ରୁପ୍ ପ୍ରୋଗ୍ରାମରେ ଖର୍ଚ୍ଚ କରିବାକୁ ପସନ୍ଦ କରୁଛନ୍ତି । ଏହାର କାରଣ ହେଉଛି ବଢୁଥିବା ଆର୍ଥିକ ସ୍ୱାଧୀନତା ଏବଂ ସେମାନେ ବୁଲାବୁଲିର ମଜା ଅନୁଭବ କରିବାକୁ ଚାହାନ୍ତି । ଯେଉଁଠାରେ ବୁଲିବା ସୁରକ୍ଷିତ ସାଙ୍ଗକୁ ଉଦ୍ଦେଶ୍ୟମୂଳକ ଭାବେ ଶାନ୍ତି ପ୍ରଦାନ କରିପାରିବ ।
ବଦଳୁଛି ମହିଳାଙ୍କ ସଉକ-
ଯେଉଁ ତୀବ୍ର ବେଗରେ ମହିଳାମାନେ ଆତ୍ମନିର୍ଭରଶୀଳ ହେଉଛନ୍ତି, ଠିକ୍ ସେହି ଅନୁପାତରେ ସେମାନଙ୍କର ସଉକ, ସଞ୍ଚୟ ଓ ଖର୍ଚ୍ଚ କରିବାର ଶୈଳୀ ମଧ୍ୟ ବଦଳୁଛି । ଏବେ ସେମାନେ କେବଳ ପରିବାରର ଖୁସି ଓ ଦାୟିତ୍ୱ ବୁଝୁ ନାହାନ୍ତି । ତା’ ସହିତ ନିଜର ସ୍ୱପ୍ନ ଓ ସଉକକୁ ମଧ୍ୟ ପୂରଣ କରିବାକୁ ଗୁରୁତ୍ୱ ଦେଉଛନ୍ତି । ସେମାନେ କେବଳ ପାରିବାରିକ ଭ୍ରମଣରେ ଯାଉନାହାନ୍ତି, ବରଂ ସୋଲୋ ଟ୍ରିପ୍, ଆଡ୍ଭେଞ୍ଚର ଆକ୍ଟିଭିଟି, ସ୍ପା ଥିମ୍ ଥିବା ରିଟ୍ରିଟ୍ ଏବଂ ୱେଲ୍ନେସ୍ ଷ୍ଟେ ଆଡକୁ ମଧ୍ୟ ଢଳିବାରେ ଲାଗିଛନ୍ତି । ଏକ ରିର୍ପୋଟ ଅନୁସାରେ ହସ୍ପିଟାଲିଟି ସହ ଜଡିତ ତଥ୍ୟ ଅନୁସାରେ ମହିଲାମାନଙ୍କ ପସନ୍ଦ ବଦଳିବାରେ ଲାଗିଛି । ସେଥିପାଇଁ
୧. ଏମାନେ ୱେଲନେସ୍ ଷ୍ଟେ ପ୍ରତି ମାତ୍ରାଧିକ ଆକର୍ଷିତ ହେଉଛନ୍ତି । ତେଣୁ ବର୍ଷକୁ ଏଠାରେ ବୁକିଂ ସଂଖ୍ୟା ଆଗ ଅପେକ୍ଷା ୨୮ ପ୍ରତିଶତ ବୃଦ୍ଧି ପାଇଛି ।
୨. ରୋଷେଇ ଘର ଭିତରେ ସୀମିତ ରହୁଥିବା ମହିଳାଙ୍କ ଆଗ୍ରହ ଏବେ ଆଡ୍ଭେଞ୍ଚର ଆକ୍ଟିଭିଟି ଆଡକୁ ଢଳିବାରେ ଲାଗିଛି । ଏହି କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ଏବେ ୩୭ ପ୍ରତିଶତ ବଢିଛି ।
୩. ଦାୟିତ୍ୱର ବୋଝ ତଳେ ଚାପି ହୋଇ ରହୁଥିବା ମହିଳା ନିଜର ଶାରୀରିକ ଓ ମାନସିକ ଥକ୍କାପଣକୁ ଦୂର କରିବା ପାଇଁ ସ୍ପା ଥିମ୍ ଥିବା ରିଟ୍ରିଟ୍କୁ ଯାଇ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି ।
ମହିଳାଙ୍କ ଯୋଗୁ ଏହି କ୍ଷେତ୍ର ଏବେ ଆଗ ଅପେକ୍ଷା ଖୁବ୍ ବୃଦ୍ଧି ପାଇବାରେ ଲାଗିଛି । ବୁଲାବୁଲି, ବ୍ୟକ୍ତିତ୍ୱର ବିକାଶ, ସୌନ୍ଦର୍ଯ୍ୟକୁ ବଢାଇବା ଏବଂ ନିଜର ସଉକ ପୂରଣ କରିବା ଦିଗରେ ସେମାନଙ୍କ ପସନ୍ଦ ଓ ଖର୍ଚ୍ଚ ଅନୁପାତରେ ଆଗ ଅପେକ୍ଷା ବୃଦ୍ଧି ହୋଇଛି । ଏଥିରୁ ଜଣାପଡୁଛି ଯେ ମହିଳାମାନେ ନିଜର ଅର୍ଥ ଓ ସମୟକୁ ଖୁବ୍ ଦାୟିତ୍ୱଶୀଳତାର ସହ ବିନିଯୋଗ କରିବାକୁ ଚାହାନ୍ତି । ସେମାନଙ୍କ ଉଦ୍ଦେଶ୍ୟ କେବଳ ଘର ଓ ଅଫିସ୍ କାମରୁ ଛୁଟି ନେବା ନୁହେଁ, ବରଂ ଶାନ୍ତିର ସହ ନିଜର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ।
ସହଜ ଶବ୍ଦରେ କହିଲେ, ଏକ ଦଶକ ପୂର୍ବରୁ ମହିଳାମାନେ ବ୍ୟାଙ୍କ୍, ପୋଷ୍ଟ ଅଫିସ୍ ଓ ସୁନାରେ ନିବେଶ କରୁଥିଲେ । କିନ୍ତୁ ଏବେ ଏସବୁରେ ନିବେଶ କରିବା ପରେ ନିଜ ଉପରେ ମଧ୍ୟ ନିବେଶ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ନିଜର ସ୍ୱପ୍ନ ଓ ସଉକକୁ ପୂରଣ କରିବା ଦିଗରେ ଅର୍ଥ ଖର୍ଚ୍ଚ କରିବାକୁ ସଙ୍କୋଚ ଅନୁଭବ କରୁ ନାହାନ୍ତି । ଏବେ ସମାଜର ପ୍ରତ୍ୟେକ ବର୍ଗର ମହିଳାମାନେ ଏଭଳି ଜାଗାରେ ଅର୍ଥ ଖର୍ଚ୍ଚ କରିବାକୁ ପସନ୍ଦ କରୁଛନ୍ତି, ଯେଉଁଠାରେ ସେମାନଙ୍କୁ ପ୍ରକୃତ ଲାଭ ମିଳିପାରୁଛି ।
ଅନୁଭବ ସାଜିଛି ଅସଲି ନିବେଶ-
ମହିଳାମାନେ ସାଧାରଣ ପ୍ୟାକେଜଡ୍ ଟୁର୍ ପରିବର୍ତ୍ତେ ଅନୁଭବ ଉପରେ ଆଧାରିତ ଟ୍ରାଭେଲ୍ କରିବାକୁ ବେଶୀ ପସନ୍ଦ କରୁଛନ୍ତି । ତାଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଯେପରିକି ହଲିଡେ ରିସୋର୍ଟ ବା କଟେଜ୍ରେ ରହିବାକୁ ଆଗ୍ରହ ଦେଖାଉଛନ୍ତି । ସେହିପରି ବଡ଼ ଗ୍ରୁପ ସହ ଗାଡ଼ିରେ ଯିବାକୁ ଗୁରୁତ୍ୱ ଦେଉଛନ୍ତି । ଏହାବ୍ୟତୀତ ସହରୀ ଜୀବନଠାରୁ ଦୂରକୁ ପ୍ରକୃତି କୋଳରେ ବୁଲାବୁଲିକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି ।