ନୂଆଦିଲ୍ଲୀ,୧୩/୧୨: ମହିଳାଙ୍କ କେଶ ମେସିନ୍ ଭିତରେ ଫସିଗଲା । ତାଙ୍କ ମୁଣ୍ଡ ଓ ବେକର ଚର୍ମ ନିଜ ସ୍ଥାନରୁ ସମ୍ପୂର୍ଣ୍ଣ ଅଲଗା ହୋଇଗଲା । ବାମ କାନ ବି ସମ୍ପୂର୍ଣ୍ଣ ଅଲଗା ହୋଇଗଲା । ମହିଳା ଯନ୍ତ୍ରଣାରେ ଚିତ୍କାର କଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଗଲା । ଘଟଣା ପୂର୍ବ ଚୀନ୍ର ଜିନାନ ସହରର । ଏହି ଭୟାନକ ଦୁର୍ଘଟଣାରେ ସନ୍ ନାମ୍ନୀ ମହିଳାଙ୍କ କାନ ତାଙ୍କ ଶରୀରରୁ ଅଲଗା ହୋଇଗଲା । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ଏକ ବିଚିତ୍ର ପ୍ରକ୍ରିୟା ମାଧ୍ୟମରେ ତାଙ୍କ କାନକୁ ପାଦ ସହ ଯୋଡ଼ିଦେଲେ ।
ଡାକ୍ତରଙ୍କ ଅନୁସାରେ, ମାମଲାର ଗମ୍ଭୀରତାକୁ ଦେଖି ପାରମ୍ପରିକ ଉପାୟରେ କାନକୁ ଯଥାସ୍ଥାନରେ ପୁଣି ଯୋଡ଼ିବା ଅସମ୍ଭବ ଥିଲା । କାନର ଆଖପାଖ ଶିରାପ୍ରଶିରା ଗମ୍ଭୀର ରୂପେ କ୍ଷତିଗ୍ରସ୍ତ ହୋଇଥିଲା । ଅନ୍ୟପକ୍ଷେ, ଅଲଗା ହୋଇଥିବା କାନକୁ ଜୀବିତ ରଖିବା ମଧ୍ୟ ଜରୁରି ଥିଲା । ସେଥିପାଇଁ ଡାକ୍ତର ତାକୁ ମହିଳାଙ୍କ ଡାହାଣ ପାଦରେ ଯୋଡ଼ିବାକୁ ନିଷ୍ପତ୍ତି ନେଲେ । ଏହି ପ୍ରକ୍ରିୟାକୁ ହେଟେରୋଟୋପିକ ଗ୍ରାଫ୍ଟିଙ୍ଗ୍ କୁହାଯାଏ । ପାଦର ପତଳା ଚର୍ମ ଓ କାନ ପାଖର ସ୍ଥାନ ସହ ମେଳ ଖାଉଥିବା ସ୍ନାୟୁ କାନରେ ରକ୍ତ ସଂଚାର ବଜାୟ ରଖିପାରେ । ସର୍ଜରି ପରେ ସନ୍ଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ୫ ମାସ ପରେ ମୁଣ୍ଡର କ୍ଷତ ଠିକ୍ ହୋଇଗଲେ, କାନକୁ ପାଦରୁ ଅଲଗା କରି ନିଜ ସ୍ଥାନରେ ପ୍ରତିରୋପଣ କରାଯିବ ବୋଲି ଡାକ୍ତର କହିଛନ୍ତି।