କଟକ ୧୫।୧: ନୂଆ ଦଳ ଗଠନ ପୂର୍ବରୁ ବଳ ଗୋଟାଉଛନ୍ତି ରାଜନେତା ମହମ୍ମଦ ମୋକିମ। ଯୁବ ସମାବେଶ ପରେ ଭୁବନେଶ୍ବରରେ କରିବେ ଆଉ ଏକ ସମାବେଶ। ଚଳିତ ମାସ ଶେଷ ସପ୍ତାହରେ ଭୁବନେଶ୍ୱରରେ କରିବେ ମହିଳା ଓ ଚାଷୀ ସମାବେଶ । ଏ ନେଇ ମୋକିମ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସମୟରେ ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି କିମ୍ବା କୃଷକ ମାନଙ୍କୁ ତାଙ୍କର ପ୍ରାପ୍ୟ ମିଳିପାରୁ ନାହିଁ । ସେଥିପାଇଁ ମହିଳା ଓ ଚାଷୀ ସମାବେଶ ହେବ । ମହିଳା ନିର୍ଯାତନା ଓ କୃଷକଙ୍କ ସମସ୍ୟା ଉପରେ ଏଥିରେ ଆଲୋଚନା ହେବ । ବର୍ତ୍ତମାନ ଉଭୟ ଚାଷୀ ଓ ମହିଳା ମାନେ ନିଜର ନ୍ୟାୟ ପାଉନାହାନ୍ତି । ନୂତନ ଦଳ ଗଠନ ପୂର୍ବରୁ ସମସ୍ତ ସମସ୍ୟା ଉପରେ ଅବଗତ ହେବୁ । ନିର୍ଯାତିତା ମହିଳା ଚାହିଁଲେ ଆମ ଦଳରେ ସାମିଲ ହୋଇପାରିବେ ବୋଲି ମହମ୍ମଦ ମୋକିମ୍ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ନୂଆ ଦଳ ଗଠନ ପୂର୍ବରୁ ଗତ ୧୨ ତାରିଖରେ ଜାତୀୟ ଯୁବ ଦିବସରେ ମହମ୍ମଦ ମୋକିମ୍ ଭୁବନେଶ୍ବରରେ କରିଥିଲେ ଯୁବ ସମାବେଶ। ଏଥିରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲେ ମୋକିମ୍ । ମୋକିମ୍ଙ୍କ ଦ୍ବାରା ଆୟୋଜିତ ସଭାରେ ତାଙ୍କ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ଚାହୁଁଛି ଏକ ନୂଆ ବିକଳ୍ପ । ବିକଳ୍ପ ପାଇଁ ସମସ୍ତଙ୍କୁ ବାହାରିବାକୁ ପଡିବ । ଯେଉଁମାନେ ନୂତନ ଆଶା ନେଇ ଆମ ସହ ଯୋଡି ହେବେ ଆମେ ସେମାନଙ୍କୁ ନେଇ ଆଗକୁ ବଢ଼ିବୁ ବୋଲି ମୋକିମ କହିଥିଲେ।