୪୦ ବର୍ଷ ବୟସ ପରେ ମହିଳାମାନଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ବିଶେଷକରି ହରମୋନର ସ୍ତରରେ ପରିବର୍ତ୍ତନ, ମେଟାବୋଲିଜିମ୍ ହାର କମିଯିବା ଏବଂ ହାଡ଼ ଦୁର୍ବଳ ହେବା ଭଳି ସମସ୍ୟା ଦେଖାଦେଇଥାଏ । ଏହି ସମୟରେ ଏକ ସୁସ୍ଥ ଓ ସନ୍ତୁଳିତ ଖାଦ୍ୟପେୟ ଅତ୍ୟନ୍ତ ଜରୁରୀ । ଯାହା କେବଳ ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରେ ନାହିଁ, ବରଂ ଅନେକ ରୋଗରୁ ମଧ୍ୟ ଦୂରେଇ ରଖେ । ଏକ ସୁଚିନ୍ତିତ ଡାଏଟ୍ ପ୍ଲାନ୍ ଆପଣାଇ ମହିଳାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ଏବଂ କାର୍ଯ୍ୟକ୍ଷମ ରହିପାରିବେ । ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟର ବିଭିନ୍ନ ଉପାଦାନ ଆବଶ୍ୟକ ହୋଇଥାଏ । ୪୦ ବର୍ଷ ବୟସରେ ଶରୀରକୁ ଶକ୍ତି ପାଇଁ ଜଟିଳ କାର୍ବୋହାଇଡ୍ରେଟ୍ସର ଆବଶ୍ୟକତା ରହିଛି । ଓଟ୍ସ, ଡଲିଆ, ବ୍ରାଉନ୍ ରାଇସ୍, ମାଣ୍ଡିଆ, ବାଜରା, ଏବଂ ପନିପରିବା ଯେପରିକି କନ୍ଦମୂଳ ଓ ଆଳୁ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ । ମାଣ୍ଡିଆରେ ପୁଷ୍ଟିସାର, ସ୍ନେହସାର, ଏବଂ ଶ୍ଵେତସାର ଭରପୂର ମାତ୍ରାରେ ଥାଏ । ଏହା ଶରୀରକୁ ଧୀରେ ଧୀରେ ଶକ୍ତି ଯୋଗାଇଥାଏ ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ।
ମାଂସପେଶୀର କ୍ଷୟ ରୋକିବା ଏବଂ ଶରୀରର ଗଠନ ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଜରୁରୀ । ଡାଲି, ଛେନା, ପନିର, ସୋୟାବିନ୍, ଅଣ୍ଡା, ମାଛ ଏବଂ ଚିକେନ୍ ଆଦି ପ୍ରୋଟିନର ଭଲ ଉତ୍ସ । ପ୍ରୋଟିନ୍ ଶରୀରର କୋଷିକା ଓ ମାଂସପେଶୀର ବିକାଶରେ ସାହାଯ୍ୟ କରେ ଏବଂ ହରମୋନ୍ ଓ ଏନଜାଇମର ବିକାଶରେ ମଧ୍ୟ ସହାୟକ ହୋଇଥାଏ ।
ଭିଟାମିନ୍ ଓ ମିନେରାଲ୍ସ ଶରୀରକୁ ରୋଗ ସଂକ୍ରମଣରୁ ରକ୍ଷା କରିଥାଏ
କ୍ୟାଲସିୟମ୍ ଓ ଭିଟାମିନ୍ ଡି: ୪୦ ବର୍ଷ ପରେ ହାଡ଼ ଦୁର୍ବଳ ହେବାର ଆଶଙ୍କା ବଢ଼ିଥାଏ । ଏଥିପାଇଁ କ୍ୟାଲସିୟମ୍ ଓ ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ଜରୁରୀ । ଦହି, ଛେନା, ପନିର, ବାଦାମ, ରାଶି, ସବୁଜ ପନିପରିବା ଯେପରିକି ପାଳଙ୍ଗ ଓ ବ୍ରୋକୋଲିରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ । ସୂର୍ଯ୍ୟ କିରଣ ଭିଟାମିନ୍ ଡି’ର ଏକ ମୁଖ୍ୟ ଉତ୍ସ ।
ଆଇରନ୍: ରକ୍ତହୀନତାକୁ ରୋକିବା ପାଇଁ ଆଇରନ୍ ଆବଶ୍ୟକ । ସବୁଜ ପନିପରିବା, ଡାଳିମ୍ବ, ବିଟ୍, ଖଜୁରୀ, ଅଣ୍ଡା ଏବଂ ରେଡ୍ ମିଟ୍ ଆଦିରେ ଆଇରନ୍ ମିଳିଥାଏ ।
ଆଣ୍ଟିଅକ୍ସିଡାଣ୍ଟ: ଏହା ଶରୀରକୁ ମୁକ୍ତ କଣିକା ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରେ । ବିଭିନ୍ନ ପ୍ରକାରର ଫଳ ଯେପରିକି ବେରୀ, କମଳା, ଏବଂ ସବୁଜ ପନିପରିବା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ।
କେଉଁ ଖାଦ୍ୟଠାରୁ ଦୂରେଇ ରହିବେ?
କିଛି ଖାଦ୍ୟ ଅଛି ଯାହାକୁ ୪୦ ପରେ ସୀମିତ କରିବା କିମ୍ବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବା ଉଚିତ୍ । ଇନଷ୍ଟାଣ୍ଟ ନୁଡୁଲ୍ସ, ପ୍ୟାକେଟ୍ ଚିପ୍ସ, ଏବଂ ଅନ୍ୟାନ୍ୟ ପ୍ରକ୍ରିୟାକୃତ ଖାଦ୍ୟରେ ଅତ୍ୟଧିକ ସୋଡିୟମ୍, ଟ୍ରାନ୍ସ ଫ୍ୟାଟ୍ ଏବଂ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ । ଏହା ଓଜନ ବୃଦ୍ଧି, ହୃଦରୋଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଅଧିକ ଚିନି ଓ ଲୁଣ: ଅତ୍ୟଧିକ ଚିନିଯୁକ୍ତ ପାନୀୟ ଓ ଖାଦ୍ୟ ଏବଂ ଅଧିକ ଲୁଣଯୁକ୍ତ ଖାଦ୍ୟ ରକ୍ତଚାପ ଏବଂ ମଧୁମେହର ଆଶଙ୍କା ବଢାଇଥାଏ । ତେଲ ଓ ମସଲାଯୁକ୍ତ ଖାଦ୍ୟ: ଅଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ ଏବଂ କୋଲେଷ୍ଟ୍ରଲ ସ୍ତର ବଢ଼ାଇପାରେ । ମଇଦାରୁ ପ୍ରସ୍ତୁତ ଖାଦ୍ୟରେ ଫାଇବର କମ୍ ଥାଏ ଏବଂ ଏହା ସହଜରେ ହଜମ ହୁଏ ନାହିଁ ।
କିଛି ଅତ୍ୟାବଶ୍ୟକ ଟିପ୍ସ:
ପର୍ଯ୍ୟାପ୍ତ ପାଣି ପିଅନ୍ତୁ: ଦିନକୁ ୮-୧୦ ଗ୍ଲାସ୍ ପାଣି ପିଇବା ଦ୍ୱାରା ଶରୀର ହାଇଡ୍ରେଟେଡ୍ ରହେ ଏବଂ ବିଷାକ୍ତ ପଦାର୍ଥ ବାହାରିଯାଏ ।
ନିୟମିତ ବ୍ୟାୟାମ କରନ୍ତୁ: ପ୍ରତିଦିନ ଅତି କମରେ ୩୦ ମିନିଟ୍ ଚାଲିବା, ଯୋଗ କରିବା କିମ୍ବା ଅନ୍ୟ କୌଣସି ଶାରୀରିକ କାର୍ଯ୍ୟକଳାପରେ ନିଜକୁ ସାମିଲ କରନ୍ତୁ ।
ପର୍ଯ୍ୟାପ୍ତ ନିଦ: ପ୍ରତିଦିନ ୭-୮ ଘଣ୍ଟାର ଭଲ ନିଦ ଶରୀର ଏବଂ ମନକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଏକ ସୁସ୍ଥ ଜୀବନଶୈଳୀ ଏବଂ ସଠିକ୍ ଖାଦ୍ୟପେୟ ମାଧ୍ୟମରେ ୪୦ ବର୍ଷ ପରେ ମଧ୍ୟ ମହିଳାମାନେ ଏକ ସୁସ୍ଥ, ସୁନ୍ଦର ଏବଂ ଶକ୍ତିଶାଳୀ ଜୀବନଯାପନ କରିପାରିବେ ।