ମୁମ୍ବାଇ, ୧୯/୦୮: ଆଗାମୀ ମହିଳା ଦିନିକିଆ ବିଶ୍ୱକପ୍‌ ପାଇଁ ମଙ୍ଗଳବାର ଭାରତୀୟ ମହିଳା ଦଳ ଘୋଷଣା  କରାଯିବ । ସବୁ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିବ ଶେଫାଳି ବର୍ମାଙ୍କ ଉପରେ । ବିଶ୍ୱର ସବୁଠୁ ଦୁର୍ଦ୍ଧର୍ଷ ବ୍ୟାଟର ଭାବେ ଗଣା ହେଉଥିବା ଶେଫାଳିଙ୍କୁ  ଦିନିକିଆ ଦଳରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଥିଲେ ହେଁ ଆଉ କିଛି  ଦାବିଦାର ମଧ୍ୟ ତାଙ୍କ ସ୍ଥାନ ନେବା ପାଇଁ  ଆଶାବାଦୀ ରହିଛନ୍ତି।ସେଫଳିଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା କଷ୍ଟକର ଥିଲେ ହେଁ ପ୍ରଦର୍ଶନରେ ଉତ୍ଥାନ ପତନ ଚୟନ କମିଟି ପାଇଁ ଚିନ୍ତାର କାରଣ ରହିଛି । ମାତ୍ର ଦଳର ସବୁ ସିନିୟର ଖେଳାଳି ଶେଫାଳିଙ୍କୁ ନେଇ ଦୃଢ ନିଶ୍ଚିତ ରହିଛନ୍ତି । 

ଭାରତୀୟ ଦଳର ବ୍ୟାଟିଂ କ୍ରମର  ପ୍ରଥମ ୬ଟି ସ୍ଥାନ ମଧ୍ୟରେ ସ୍ମୃତି ମନ୍ଧନା,  ହର୍ମନପ୍ରୀତ କୌର, ଜେମିମା ରୋଡ୍ରିଗ୍ସ  ଓ ରିଚା ଘୋଷଙ୍କ ସ୍ଥାନ ସୁରକ୍ଷିତ ।  ବାକି ୨ଟି ସ୍ଥାନ ପାଇଁ ରହିଛନ୍ତି ଅନେକ  ଦାବିଦାର । ପ୍ରତିକା ରାୱଲ ଓପନର  ଭାବେ ବେଶ୍‌ ସଫଳତା ଅର୍ଜନ କରିଚନ୍ତି ।  ସେ ଓପନ୍‌ କରି ମାତ୍ର ୧୪ଟି ଦିନିକିଆ  ଇନିଂସରେ ୫୪.୦୭ ହାରରେ ମୋଟ୍‌  ୭୦୩ ରନ ସଂଗ୍ରହ କରିଛନ୍ତି । 

ସେହିପରି  ଫିଟ୍‌ ହୋଇ ଫେରିବା ପରେ ହର୍ଲିନ  ଦେଓଲଙ୍କ ପ୍ରଦର୍ଶନ ମଧ୍ୟ ସ୍ଥିର ରହିଛି ।  ଗତ ଡିସେମ୍ବରରେ ସେ ୱେଷ୍ଟ ଇଣ୍ଡିଜ  ବିପକ୍ଷ ଦିନିକିଆରେ ଶତକ ଅର୍ଜନ କରିଥିଲେ । ରିଚାଙ୍କ ପରେ ଦଳରେ  ଦ୍ୱିତୀୟ ୱିକେଟ୍‌ କିପର ଭାବେ ୟସ୍ତିକା  ଭାଟିଆ ସ୍ଥାନ ପାଇବା ନିଶ୍ଚିତ । ଉପରୋକ୍ତ  ୩ଜଣ ଯାକ ଖେଳାଳି ଓପନ କରିବାର  କ୍ଷମତା ରଖିଛନ୍ତି । ତେଣୁ ଶେଫାଳିଙ୍କ  ପାଇଁ ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର ହୋଇଛି ।  

ଅଲ୍‌ରାଉଣ୍ଡର ସ୍ଥାନ ପାଇଁ ଅମନଜୋତ କୌର ଏକମାତ୍ର ଦାବିଦାର ରହିଛନ୍ତି ମାତ୍ର ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନାହାନ୍ତି । ପେସ୍‌ ବୋଲିଂ ବିଭାଗକୁ  ନେଇ ମଧ୍ୟ ବେଶ୍‌ ଉତ୍କଣ୍ଠା ରହିଛି ।  ଅଭିଜ୍ଞା ରେଣୁକା ସିଂହ ଫିଟ୍‌ ହୋଇ  ଅଭ୍ୟାସ ଆରମ୍ଭ କରିଛନ୍ତି । ଅରୁନ୍ଧତି  ରେଡ୍ଡୀ ଚମତ୍କାର ଫର୍ମରେ ରହିଥିବାରୁ  ଦଳରେ ସ୍ଥାନ ପାଇବେ । ଏମାନଙ୍କ ବ୍ୟତୀତ ଇଂଲଣ୍ଡରେ ଘାତକ ବୋଲିଂ  କରିଥିବା କ୍ରାନ୍ତି ଗୌଡ଼ଙ୍କୁ ନେଇ ମଧ୍ୟ  ଚୟନକର୍ତ୍ତା ବେଶ୍‌ ଉତ୍ସାହିତ ରହିଛନ୍ତି ।  ସେ ଇଂଲଣ୍ଡରେ ପଦାର୍ପଣ କରିବା ସହ  ତୃତୀୟ ଦିନିକିଆରେ ୬ଟି ୱିକେଟ୍‌ ନେଇ  ଦଳକୁ ସିରିଜ ବିଜୟୀ କରାଇଥିଲେ ।  

ସମ୍ଭାବ୍ୟ ଦଳ: ହର୍ମନପ୍ରୀତ  କୌର(ଅଧିନାୟକ), ସ୍ମୃତି ମନ୍ଧନା,  ପ୍ରତିତା ରାୱଲ, ହର୍ଲିନ ଦେଓଲ, ଜେମିମା  ରୋଡ୍ରିଗ୍ସ, ରିଚା ଘୋଷ, ୟସ୍ତିକା ଭାଟିଆ,  ଦୀପ୍ତି ଶର୍ମା, ଅମନଜୋତ କୌର, ରାଧା  ଯାଦବ, ସ୍ନେହ ରାଣା, ଏନ ଶ୍ରୀ ଚରଣୀ,  ରେଣୁକା ସିଂହ, ଅରୁନ୍ଧତି ରେଡ୍ଡୀ, କ୍ରାନ୍ତି ଗୌଡ଼, ସେଫାଳି ବର୍ମା/ପ୍ରେମା ରାୱତ ।