ମୁମ୍ବାଇ, ୧୮/୧୧: ଆଗାମୀ ମହିଳା ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍) ର ଚତୁର୍ଥ ସଂସ୍କରଣ ପାଇଁ ତାରିଖ ଓ ଭେନ୍ୟୁ ଚୂଡ଼ାନ୍ତ ହୋଇଛି । ଜାନୁଆରୀ ମାସ ୭ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଫେବ୍ରୁଆରୀ ମାସ ୭ ତାରିଖରେ ଶେଷ ହେବ । ମୋଟ୍ ୨ଟି ଭେନ୍ୟୁରେ ଏଥର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡ଼ିୟମ୍ ଓ ଭଦୋଦରା କୋଟାମ୍ବି ଷ୍ଟାଡ଼ିୟମ୍‌ରେ ସମସ୍ତ ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ଚୂଡ଼ାନ୍ତ ହୋଇ ନାହିଁ ।

ସୂଚନାଯୋଗ୍ୟ, ଡବ୍ଲ୍ୟୁପିଏଲ୍ର ପ୍ରଥମ ସଂସ୍କରଣକୁ ମୁମ୍ବାଇର ଦୁଇଟି ଗ୍ରାଉଣ୍ଡ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଷ୍ଟାଡ଼ିୟମରେ ଆୟୋଜନ କରାଯାଇଥିଲା । ଦ୍ୱିତୀୟ ସଂସ୍କରଣ ବେଙ୍ଗାଲୁରୁ ସ୍ଥିତ ଏମ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ ଓ ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡ଼ିୟମ୍‌ରେ ଆୟୋଜନ କରାଯାଇଥିଲା । ୨୦୨୫ ସିଜନ ୪ଟି ଗ୍ରାଉଣ୍ଡ ମୁମ୍ବାଇ, ଲକ୍ଷ୍ନୌ, ଭଦୋଦରା ଓ ବେଙ୍ଗାଲୁରୁରେ ଆୟୋଜନ କରାଯାଇଥିଲା ।