ନୂଆଦିଲ୍ଲୀ,୨୮/୧୧ : ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ମେଗା ନିଲାମରେ ଦଳରୁ ପୂର୍ବ ଚାମ୍ପିଅନମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଫେରାଇ ଆଣିବାରେ ସଫଳ ହେବା ପରେ ଦୁଇ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆକ୍ଟ ୨୦୨୬ରେ ମହିଳା ପ୍ରିମିୟର ଲିଗର ଏକ ନୂତନ ସିଜିନ ପୂର୍ବରୁ ନିଜ ଆତ୍ମବିଶ୍ଵାସ ଦୃଢ଼ କରିଛି I ଦଳର ଚିନ୍ତାଧାରା ସମ୍ପର୍କରେ ନୀତା ଏମ୍ ଅମ୍ବାନୀ କହିଛନ୍ତି, “ନିଲାମ ଦିନ ଗୁଡ଼ିକ ପ୍ରକୃତରେ ରୋମାଞ୍ଚକର କିନ୍ତୁ ଅନେକ ସମୟରେ ଉତ୍କଣ୍ଠାପୂର୍ଣ୍ଣ ମଧ୍ଯ ହୋଇଥାଏ । ଆମର ରଣନୀତି ଥିଲା ୨୦୨୫ର ଆମର ବିଜେତା ଦଳରୁ ଯଥାସମ୍ଭବ ଅଧିକ ଖେଳାଳିଙ୍କୁ ଫେରାଇ ଆଣିବା I ମୁଁ ଆମେଲିଆ କେର ଏବଂ ଆମର ଚାରି ଜଣ ଏସ, ଶବନିମ, ସାଇକା, ସଜାନା ଏବଂ ସଂସ୍କୃତିଙ୍କୁ ଫେରାଇ ଆଣିପାରିଥିବାରୁ ବହୁତ ଉତ୍ସାହିତ। ଆମେ ତିନି ଜଣ ଯୁବ ପ୍ରତିଭା - ରାହିଲା ଫିରଦୌସ୍, ନାଲ୍କା କ୍ରାନ୍ତି ରେଡ୍ଡୀ ଏବଂ ତ୍ରିବେଣୀ ବଶିଷ୍ଠଙ୍କୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ରହିଛୁ। ଏହି ଅବସରରେ ମୁଁ ପୁନମ ଖେମନାର, ମିଲି ଇଲିଙ୍ଗୱର୍ଥ ଏବଂ ନିକୋଲା କେରିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାରକୁ ସ୍ବାଗତ କରୁଛି ।"

ରିଟେନ ରହିଥିବା ଅଧିନାୟିକା ହରମନପ୍ରୀତ କୌର୍, ନାଟ୍ ସାଇଭର-ବ୍ରଣ୍ଟ, ହେଲି ମାଥ୍ୟୁସ୍, ଅମନଜୋତ କୌର ଏବଂ ଜି କମଳିନିଙ୍କ ସମେତ, ଏମଆଇ ନିକଟରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ଆମେଲିଆ କେର ଏବଂ ଏସ୍ ସଜାନା, ସାଇକା ଇସାକ, ସଂସ୍କୃତି ଗୁପ୍ତା ଏବଂ ଅଭିଜ୍ଞ ପେସର ଶବନିମ୍ ଇସମାଇଲଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛି । ଭାରତର ବିଶ୍ୱକପ୍ ବିଜୟୀ ଅଧିନାୟିକା ହରମନପ୍ରୀତ ମଧ୍ଯ ନୂଆଦିଲ୍ଲୀରେ ଅନୁଷ୍ଠିତ ନିଲାମରେ ଉପସ୍ଥିତ ରହି ନିଲାମ ଟେବୁଲ ଆଲୋଚନା ଏବଂ ରଣନୀତିରେ ତାଙ୍କର ଅଭିଜ୍ଞତା ଯୋଡିଥିଲେ। ନିଜ ଅଭିଜ୍ଞତା ସମ୍ପର୍କରେ ହରମନପ୍ରୀତ କହିଛନ୍ତି, “ପ୍ରାରମ୍ଭରେ ମୁଁ ସାମାନ୍ୟ ନର୍ଭସ ଥିଲି କିନ୍ତୁ ଆମେ ଏହା ପାଇଁ ଯେଉଁଭଳି ଯୋଜନା କରିଥିଲୁ ଏବଂ ସମସ୍ତଙ୍କ ସମ୍ପୃକ୍ତି ରହିଥିଲା, ବିଶେଷ କରି ନୀତା ମ୍ୟାଡାମଙ୍କ ସମ୍ପୃକ୍ତି ମୋତେ ବେଶ ଭଲ ଲାଗିଲା I ସେ ସର୍ବଦା ଆମର ସବୁଠାରୁ ବଡ଼ ସମର୍ଥକ ରହି ଆସିଛନ୍ତି ଏବଂ ସର୍ବଦା ଆମକୁ ସମର୍ଥନ କରନ୍ତି I ଆମେ ଆମର ଅଧିକାଂଶ ପୁରୁଣା ସାଥୀ ଖେଳାଳିଙ୍କୁ ଫେରିପାଇଛୁ ତେଣୁ ଏହା ଆମର ସେମାନଙ୍କ ଉପରେ କିଭଳି ବିଶ୍ବାସ ଏବଂ ଭରସା ରହିଛି ତାହା ଦର୍ଶାଉଛି।"

ପୁଣି ଥରେ କ୍ରୟ କରାଯାଇଥିବା ପାଞ୍ଚ ଜଣ ଖେଳାଳି ପୂର୍ବରୁ ଏମଆଇର ସଫଳତାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି I ସାଇକା, ସଜାନା ଏବଂ ସଂସ୍କୃତି ଏମଆଇ ଦ୍ବାରା ଆବିଷ୍କୃତ ହୋଇ ସେମାନଙ୍କର ଡେବ୍ୟୁ କରିବା ପରେ ଟୁର୍ଣ୍ଣାମେଣ୍ଟରେ ବ୍ରେକଆଉଟ୍ ଷ୍ଟାର ରହିଥିଲେ । ପ୍ରତିଷ୍ଠିତ ନାମ ସହିତ, ଏମଆଇ ଏକାଧିକ ବିଶ୍ବକପ୍ ବିଜେତା ଅଷ୍ଟ୍ରେଲିଆର ଅଲରାଉଣ୍ଡର ନିକୋଲା କେରି, ଏବଂ ଯୁବ ପେସ୍ ସେନସେସନ୍ ମିଲି ଇଲିଙ୍ଗୱର୍ଥଙ୍କୁ ଦଳରେ ସାମିଲ କରିଛି । ଯୁବ ଭାରତୀୟ ପ୍ରତିଭାକୁ ସମର୍ଥନ କରିବାର ଏହାର ନୀତି ଅନୁଯାୟୀ, ଏମଆଇ ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଅଲରାଉଣ୍ଡର ନାଲ୍ଲା କ୍ରାନ୍ତି ରେଡ୍ଡୀ ଏବଂ ତ୍ରିବେଣୀ ବଶିଷ୍ଠଙ୍କୁ ସାମିଲ କରି ଏକ ସନ୍ତୁଳିତ ଦଳ ଗଠନ କରିଛି । ମଧ୍ୟପ୍ରଦେଶର ଅଧିନାୟିକା ରାହିଲା ଫିରଦୌସ୍ ଏବଂ ପୁନମ୍ ଖେମନାରଙ୍କ ଅଭିଜ୍ଞ ଯୋଡ଼ି ଦଳକୁ ଅଧିକ ଘରୋଇ ଅଭିଜ୍ଞତା ଆଣିବେ।