ଭୁବନେଶ୍ବର,୧୯/୪ : ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗ ଦେଶରେ ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛି । ଦେଶର ଲୋକସଭା ସହ ରାଜ୍ୟ ବିଧାନସଭାଗୁଡ଼ିକରେ ଏକ ତୃତୀୟାଂଶ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ସାମ୍ବିଧାନିକ ସଂଶୋଧନ ବିଲ୍ ଲୋକସଭାରେ ଆବଶ୍ୟକ ବହୁମତ ହାସଲ କରି ପାରିଲା ନାହିଁ । ଯାହାପରେ ଏବେ ରାଜନୈତିକ ବୟାନ ବାଜି ସାମ୍ନାକୁ ଆସୁଛି । ବିଭିନ୍ନ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟ ବିଜେଡି ଓ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଜେପି ଉପରେ ବର୍ଷିଛନ୍ତି ।
ବିଜେଡି ପକ୍ଷରୁ କୁହାଯାଇଛି, କେନ୍ଦ୍ର ସରକାର ମହିଳାଙ୍କ ପ୍ରତି ଛଳନା କରିଛି । ମହିଳା ବିଲ ଆଳରେ ଡ଼ିଲିମିଟେସନ ବିଲ ପାରିତ କରିବାକୁ ଚାହୁଁଥିଲେ କେନ୍ଦ୍ର ସରକାର । ଯାହା କାଟ ଖାଇଛି । ମନ୍ଦ ଉଦେଶ୍ୟ ଥିବାରୁ ବିଲ କାଟ ଖାଇଲା। ୧୯୯୨ମସିହାରେ ବିଜୁ ବାବୁ ପଂଚାୟତ୍ତିରାଜ ବ୍ୟବସ୍ଥାରେ ୩୩ପ୍ରତିଶତ ସଂରକ୍ଷଣ ଦେଇଥିଲେ । ବିଜୁବାବୁଙ୍କ ସେହି ଦୁରଦୃଷ୍ଟି ଆଜି ଆମେ ଅନୁଭବ କରୁଛୁ । ସେହିଭଳି ୨୦୦୦ମସିହାରେ ତତକାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ୫୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କଲେ। ବିଧାନସଭାରେ ୩୩ପ୍ରତିଶତ ସଂରକ୍ଷଣ ବିଲ ପାରିତ କଲେ ନବୀନ ବାବୁ । ଭାରତ ବର୍ଷରେ ଐତିହାସିକ ପଦକ୍ଷେପ ଥିଲା । ୨୦୨୩ସାଧାରଣ ନିର୍ବାଚନ ପୂର୍ବରୁ ୧୦୬ତମ ସମ୍ବିଧାନ ସଂଶୋଧନ ଜରିଆରେ କେନ୍ଦ୍ର ସରକାର ବିଲ ଆଣିଲେ । ବିଜେଡି ମଧ୍ୟ ଏହାକୁ ସମର୍ଥନ କରିଥିଲା । ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କେନ୍ଦ୍ର ସରକାର ଘୋଷଣା କଲେ ଜନଗଣନା ହେବ। ଜନଗଣନା ଆଧାରରେ ଡ଼ିଲିମିଟେସନ ଓ ମହିଳା ସଂରକ୍ଷଣ ହେବ।
ସେହିଭଳି କଂଗ୍ରେସ ପକ୍ଷରୁ ବିଜେପି ଆଣିଥିବା ନାରୀ ସଂରକ୍ଷଣ ବିଲ୍ ପ୍ରକୃତରେ ବିଲ୍ ନୁହେଁ । ବିଜେପି ମହିଳା ସଂରକ୍ଷଣ ବିଲ୍ ପ୍ରତି ସିରିୟସ ନାହିଁ । ମନମୋହନ ସରକାର ୩୩ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷଣ କରିଥିଲା । ବିଜେପି ଜାଣିଥିଲା ବିଲ୍ ପାସ୍ ନ ହେଲେ ବି ବିଜେପି ମାଇଲେଜ୍ ନେବ ବୋଲି । ଡିଲିମିଟେଶନ ଦ୍ୱାରା ଫେଡେରାଲ୍ ଷ୍ଟ୍ରକଚର ବଦଳିଯିବ । ଜନସଂଖ୍ୟା ବହୁଳ ବିହାର, ୟୁପି, ମହାରାଷ୍ଟ୍ର ଭଳି ୭-୮ଟି ରାଜ୍ୟରେ ନିର୍ବାଚନ ଜିତିଲେ କେନ୍ଦ୍ରରେ ସରକାର କରିପାରିବେ ସେହି ଦଳ। ଡିଲିମିଟେଶନ ବିଜେପିକୁ ଫାଇଦା ଦେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ପ୍ରବକ୍ତା ଡ ହମିଦ ହୁସେନ କହିଛନ୍ତି ।