ଦୁବାଇ,୨୯/୦୧: ନେଦରଲାଣ୍ଡ୍ସ ଓ ବାଂଲାଦେଶ ମହିଳା କ୍ରିକେଟ୍ ଦଳ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ନେପାଳରେ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରି ବିଶ୍ୱକପ୍ ଟିକେଟ୍ ହାସଲ କରିଛନ୍ତି । ନେଦରଲାଣ୍ଡ୍ସ ଦଳ ପ୍ରଥମ ଥର ବିଶ୍ୱକପ୍ ଖେଳିବାକୁ ଯାଉଛି । ଅନ୍ୟପଟରେ ବାଂଲାଦେଶ ୨୦୧୪ ସଂସ୍କରଣରେ ଖେଳିଥିଲା । ଆଜି ଅନୁଷ୍ଠିତ ସୁପର-ସିକ୍ସ ରାଉଣ୍ଡ୍ ମ୍ୟାଚ୍ରେ ନେଦରଲାଣ୍ଡ୍ସ ୨୧ରନ୍ରେ (ଡିଏଲ୍ଏସ୍)ରେ ୟୁଏସ୍ଏକୁ ଏବଂ ବାଂଲାଦେଶ ୩୯ରନ୍ରେ ଥାଇଲାଣ୍ଡକୁ ହରାଇ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଥିଲେ । ବାଂଲାଦେଶ ଓ ନେଦରଲାଣ୍ଡ୍ସ ଦଳ ପଏଣ୍ଟ ତାଲିକାରେ ସମାନ ୬ପଏଣ୍ଟ ସହ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ଆଉ ୨ଟି ଦଳ ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବେ । ସ୍କଟଲାଣ୍ଡ (୪ପଏଣ୍ଟ) ଓ ଆୟର୍ଲାଣ୍ଡ୍ (୨) ଦୌଡ଼ରେ ଆଗୁଆ ରହିଥିବାବେଳେ ଆୟର୍ଲାଣ୍ଡ, ୟୁଏସ୍ଏ ଓ ଥାଇଲାଣ୍ଡ ପାଇଁ ଏବେବି ସୁଯୋଗ ରହିଛି ।
ଇଂଲଣ୍ଡରେ ଆଗାମୀ ଜୁନ୍ ୧୨ରୁ ୫ ତାରିଖ ମଧ୍ୟରେ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳାଯିବ । ଚଳିତ ବର୍ଷ ୧୨ଟି ଦଳ ଭାଗ ନେବେ । ଆୟୋଜକ ଦଳ ଭାବେ ଇଂଲଣ୍ଡ ସମେତ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଶ୍ରେଷ୍ଠ ପ୍ରଦର୍ଶନକାରୀ ୫ଟି ଦଳ ଯଥା ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ । ସେହିପରି ଆଇସିସି ମହିଳା ଟି-ଟ୍ୱେଣ୍ଟି ମାନ୍ୟତା ତାଲିକା ଆଧାରରେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ଟିକେଟ୍ ମିଳିଥିଲା । ବାକି ୪ଟି ଦଳ ଯୋଗ୍ୟତା ପର୍ଯ୍ୟାୟରୁ ଚୂଡ଼ାନ୍ତ ହେବ । ଯୋଗ୍ୟତା ପର୍ଯ୍ୟାୟରୁ ବାଂଲାଦେଶ ଓ ନେଦରଲାଣ୍ଡ୍ସ ଟିକେଟ୍ ହାସଲ କରିସାରିଛନ୍ତି ।