ନୂଆଦିଲ୍ଲୀ,୨୫/୦୪: ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜ  ଖେଳିବା ପାଇଁ ଆଜି ଭାରତୀୟ ମହିଳା କ୍ରିକେଟ୍‌ ଦଳ ଶ୍ରୀଲଙ୍କାରେ  ପହଞ୍ଚିଛି । ଆଜିଠୁ ଦଳ ଅଭ୍ୟାସ ଆରମ୍ଭ କରିବ । ଆସନ୍ତା ୨୭ ତାରିଖରୁ ଏହି ସିରିଜ ଆରମ୍ଭ ହେବ । ଏଥିରେ ଆୟୋଜକ ଶ୍ରୀଲଙ୍କା ସମେତ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଭାଗ ନେବେ ।

ହର୍ମନପ୍ରୀତ କୌରଙ୍କ ନେତୃତ୍ୱରେ ମହିଳା ଦଳ ଶ୍ରୀଲଙ୍କାରେ ପହଞ୍ଚିବା ପରେ ବିଶ୍ରାମ ନେଇଥିଲେ । ଗସ୍ତ ପୂର୍ବରୁ  ବେଙ୍ଗାଲୁରୁ ସ୍ଥିତ ବିସିସିଆଇର ସେଣ୍ଟର ଅଫ୍‌ ଏକ୍ସଲେନ୍ସ  ଠାରେ ଦଳର ପ୍ରସ୍ତୁତି ଶିବିର ଆୟୋଜନ କରାଯାଇଥିଲା ।  ୩ ଦିନ ଧରି ଏହି ଶିବିର ଅନୁଷ୍ଠିତ ହେବ । ଭାରତୀୟ ଦଳ ଆସନ୍ତା ୨୭ ତାରିଖ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଭେଟିବ । ଏହାପରେ ୨୯ ତାରିଖରେ ଦକ୍ଷିଣ ଆଫ୍ରିକାକୁ, ମେ’ ୪ତାରିଖରେ ଶ୍ରୀଲଙ୍କାକୁ ଏବଂ ୭ତାରିଖରେ ଦକ୍ଷିଣ ଆଫ୍ରିକାକୁ  ସାମ୍ନା କରିବ । ସିରିଜ ଶେଷ ହେବା ପରେ ଭାରତୀୟ ଦଳ  ଆଗାମୀ ଜୁନ୍‌ ମାସ ଇଂଲଣ୍ଡ ଗସ୍ତ କରି ସୀମିତ ଓଭର  କ୍ରିକେଟ୍‌ ସିରିଜ (୫ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ) ଖେଳିବ । 

ଭାରତୀୟ ଦଳ: ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି  ମନ୍ଧନା (ଉପଅଧିନାୟିକା), ପ୍ରତୀକା ରାୱଲ, ହର୍ଲିନ ଦେଓଲ,  ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ୟସ୍ତିକା ଭାଟିଆ, ଦୀପ୍ତି ଶର୍ମା,  ଅମନଜୋତ କୌର, କାଶଭୀ ଗୌତମ, ସ୍ନେହ ରାଣା, ଅରୁନ୍ଧତୀ  ରେଡ୍ଡୀ, ତେଜଲ ହସବନିସ୍‌, ଶ୍ରୀ ଚରଣୀ, ସୁଚୀ ଉପାଧ୍ୟାୟ ।