ପ୍ରମୂଖ ଖବର
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ବ୍ରିଜ୍ ମରାମତି ବେଳେ ନଦୀକୁ ଖସି ପଡ଼ିଲେ ଶ୍ରମିକ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Published By : Rasmita Pradhan | June 14, 2025 12:02 PM

ଢେଙ୍କାନାଳ,୧୪।୬: ଢେଙ୍କାନାଳ ଜିଲ୍ଲା ସଦର ଥାନା କମଗରା ବ୍ରାହ୍ମଣୀ ନଦୀ ଘାଟର ସାରଙ୍ଗଧର ବ୍ରିଜ୍ ମରାମତି ବେଳେ ଅଘଟଣ ଘଟିଛି । ନଦୀକୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ନଦୀରୁ ମୃତଦେହ ଉଦ୍ଧାର କରିଛି । ମୃତ ଶ୍ରମିକ ଜଣଙ୍କ ବିହାର ମୁଟିଆରି ଜିଲ୍ଲା ଚାଉଥଲା ଥାନା ମହମଗଡା ଗାଁର ଦିଲ୍ଲିପ କୁମାର(୨୪ ବର୍ଷ) । 

ସୂଚନାନୁଯାୟୀ, ସାରଙ୍ଗଧର ବ୍ରିଜ୍ ବାଡ ଭାଙ୍ଗିଯାଇଥିବାରୁ ଶନିବାର ରାତିରେ ୫ ଜଣ ଶ୍ରମିକ ମରାମତି କାମ କରୁଥିଲେ। ବିଳମ୍ବିତ ରାତିରେ କାମ ସାରି ଫେରିବାକୁ ବାହାରିବା ବେଳେ ସାଥୀ ଶ୍ରମିକମାନେ ଦିଲ୍ଲିପଙ୍କୁ ପାଇନଥିଲେ। କେଉଁଆଡେ ଯାଇଥିବେ ଭାବି ଖୋଜାଖୋଜି କରିଥିଲେ। ଶେଷରେ ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ପଡିଯାଇଥିବା ସନ୍ଦେହରେ ଖୋଜାଖୋଜି କରିଥିଲେ । ବ୍ରିଜ୍ ମୁଣ୍ଡରେ ଥିବା ଗଭୀର ପାଣିରୁ ମୃତଦେହ ଉଦ୍ଧାର କରାଯାଇଛି । ଦିଲ୍ଲିପ କିଭଳି ପାଣିରେ ପଡିଲେ ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଶବ ଜବତ କରି ତଦନ୍ତ କରୁଛି। ରବିବାର ପରିବାର ଲୋକେ ପହଞ୍ଚିଲେ ଶବ ବ୍ୟବଛେଦ ହେବ ବୋଲି ଜଣାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.