ଆଜି ଶ୍ରେଷ୍ଠ ଦଳ ମୁହାଁ ମୁହିଁ

ନଟିଂହାମ୍,୧୨ା୬(ଏଜେନ୍ସି): ଚଳିତ ବିଶ୍ୱକପ୍ରେ ଆସନ୍ତାକାଲି ଦୁଇ ଶ୍ରେଷ୍ଠ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରି ନାହାନ୍ତି । ଆସନ୍ତାକାଲି ଉଭୟ ଦଳ ଶ୍ରେଷ୍ଠତ୍ୱ ପ୍ରମାଣିତ କରିବାକୁ ଅପେକ୍ଷା କରି ରହିଛନ୍ତି । ତଥାପି ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବର୍ଷାର ପ୍ରଭାବ ଅନୁଭୂତ ହେବ ।
ନଟିଂହାମ୍ରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଛି । ସୋମବାର ଦିନ ବର୍ଷା ଯୋଗୁଁ ଭାରତୀୟ ଦଳ ଯଥେଷ୍ଟ ଅଭ୍ୟାସ କରିପାରି ନଥିଲା । ୱାର୍ମ ଅପ୍ ପରେ ଖେଳାଳିମାନେ ଜିମ୍ରେ ବ୍ୟାୟାମ କରି ସମୟ କଟାଇଥିଲେ । ଆସନ୍ତାକାଲି ବର୍ଷା ଯୋଗୁଁ ମ୍ୟାଚ୍ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇପାରେ ।
ଭାରତ ପ୍ରଥମ ୨ଟି ମ୍ୟାଚ୍ରେ ଯଥାକ୍ରମେ ଦକ୍ଷିଣ ଆଫ୍ରିକା ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ସାରିଛି । ଉଭୟ ମ୍ୟାଚ୍ରେ ଦଳ ଅଲ୍ ରାଉଣ୍ଡ ପ୍ରଦର୍ଶନ କରିଥିଲା । ଆସନ୍ତାକାଲି ଦୃଢ଼ ଆତ୍ମବିଶ୍ୱାସ ସହ କୋହଲି ବାହିନୀ ଗ୍ରାଉଣ୍ଡ୍କୁ ଓହ୍ଲାଇବ । ଅନ୍ୟ ପଟରେ ନ୍ୟୁଜିଲାଣ୍ଡ ଖେଳି ସାରିଥିବା ୩ଟି ମ୍ୟାଚ୍ରେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛି ।
ବୋଲ୍ଟଙ୍କ ପ୍ରତି ସତର୍କ ଟିମ୍ ଇଣ୍ଡିଆ: ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳ ଏକ ଅଭ୍ୟାସ ମ୍ୟାଚ୍ରେ ପରସ୍ପରକୁ ଭେଟିଥିଲେ । ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଥିଲା । ଅଭିଜ୍ଞ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ସୁଇଂ ବୋଲିଂର ମୁକାବିଲା କରିବାରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିଲେ ।
ଆସନ୍ତା କାଲିର ମ୍ୟାଚ୍ ପାଇଁ ପ୍ରସ୍ତୁତ ଟ୍ରେଣ୍ଟବ୍ରିଜ ଗ୍ରାଉଣ୍ଡ୍ର ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବା ନିଶ୍ଚିତ ଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ । କେବଳ ବୋଲ୍ଟ ନୁହନ୍ତି, ନ୍ୟୁଜିଲାଣ୍ଡ ଦଳରେ ଲୋକି ଫର୍ଗୁସନ୍, ଜିମ୍ମି ନୀଶମ ଓ ମାଟ୍ ହେନରୀଙ୍କ ଭଳି ଦକ୍ଷ ପେସ ବୋଲର ରହିଛନ୍ତି ।
କୋହଲି ବନାମ ୱିଲାମସନ: ଉଭୟ ଦଳର ଅଧିନାୟକଙ୍କ ମଧ୍ୟରେ ଆସନ୍ତା କାଲି ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲାମସନ୍ଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଗଣନା କରାଯାଉଛି । ଆସନ୍ତାକାଲି ଉଭୟଙ୍କ ନେତୃତ୍ୱ ଦକ୍ଷତା ମଧ୍ୟ ବେଶ୍ ଉନ୍ନତ
ନଜରରେ ପେସ୍ ବୋଲର: ଆସନ୍ତାକାଲି ପାଗ କୋହଲା ରହୁଥିବାରୁ ପେସ୍ ବୋଲରମାନେ ପିଚ୍ର ଫାଇଦା ଉଠାଇବେ । ଉଭୟ ଦଳରେ ଦକ୍ଷ ପେସ୍ ବୋଲର ରହିଛନ୍ତି । ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ପେସ୍ ବିଭାଗରେ ବିଭିନ୍ନତା ରହିଛି । ହେଲେ ଭାରତର ସ୍ପିନ ବାହିନୀ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ୱିକେଟ୍ ହାତେଇବାର କ୍ଷମତା ରଖିଛନ୍ତି । ଆସନ୍ତାକାଲି ଏକାଦଶ ଚୟନକୁ ନେଇ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିବେ ।
ଶିଖର ଧାୱନ ଆହତ ହୋଇ ବାଦ ପଡ଼ିଥିବାରୁ ତାଙ୍କ ସ୍ଥାନରେ ଲୋକେଶ ରାହୁଲ ପାଳି ଆରମ୍ଭ କରିବେ । ୪ନଂ ସ୍ଥାନ ପାଇଁ ଦିନେଶ କାର୍ତ୍ତିକ ଓ ବିଜୟ ଶଙ୍କରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ହେଲେ ପିଚ୍କୁ ନେଇ ଭାରତ ଅତିରିକ୍ତ ପେସ୍ ବୋଲର ଖେଳାଇଲେ ମହମ୍ମଦ ସାମି ଏକାଦଶରେ ସ୍ଥାନ ପାଇବେ ।
ନ୍ୟୁଜିଲାଣ୍ଡ ପକ୍ଷରୁ ଏପର୍ଯ୍ୟନ୍ତ ଖେଳି ନଥିବା ଅଭିଜ୍ଞ ଟିମ୍ ସାଉଦିଙ୍କୁ ଆସନ୍ତାକାଲି ସୁଯୋଗ ଦେବାକୁ ନ୍ୟୁଜିଲାଣ୍ଡ ଯୋଜନା କରୁଛି । ସାଉଦି ଏକାଦଶରେ ସ୍ଥାନ ପାଇଲେ ମାଟ୍ ହେନରୀ ବାଦ ପଡ଼ିବେ ।
ବୋଲରଙ୍କ ସୁହାଇବ ପିଚ୍: ଗତ କିଛି ଦିନ ହେଲା ଏଠାରେ ବର୍ଷା ଲାଗି ରହିଛି । ତେଣୁ ପିଚ୍ରେ ଆଦ୍ରତା ରହିବା ସ୍ୱାଭାବିକ୍ । ତେଣୁ ପେସ୍ ବୋଲରମାନେ ପିଚ୍ର ଫାଇଦା ଉଠାଇବେ । ଆସନ୍ତାକାଲି ପିଚ୍କୁ ନଜରରେ ରଖି କୋହଲି ଦଳ ଚୟନ କରିବେ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ
ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ଦିନେଶ କାର୍ତ୍ତିକ/ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନି, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ/ୟୁଝବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଜଶପ୍ରୀତ ବୁମରା ।
ନ୍ୟୁଜିଲାଣ୍ଡ: ମାର୍ଟିନ ଗୁପତିଲ, କଲିନ୍ ମନ୍ରୋ/ହେନରୀ ନିକୋଲାସ, କେନ ୱିଲାମସନ(ଅଧିନାୟକ), ରସ ଟେଲର, ଟମ୍ ଲାଥମ, ଜେମ୍ସ ନୀଶମ୍, ମିଚେଲ ସାଣ୍ଟନର, କଲିନ୍ ଡି ଗ୍ରାଣ୍ଡହୋମ୍, ଟିମ୍ ସାଉଦି/ମାଟ୍ ହେନରୀ, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ ।