କୋଣାର୍କ,୦୫/୦୬ (ମାନସ ରଞ୍ଜନ ପାତ୍ର): ପରିବେଶ  ପାଇଁ କାଳ ସାଜିଛି ପ୍ଲାଷ୍ଟିକ୍‌, ପଲିଥି୍‌ନ । ଦୈନିକ ଜୀବନରେ ସାଥୀ ପାଲଟିଥିବା କପଡ଼ା ବ୍ୟାଗ୍‌ ଓ କାଗଜ ଠୁଙ୍ଗା ପରିଚୟ  ହରାଇବାକୁ ବସିଲାଣି । ଏବେ ଏହାର  ବ୍ୟବହାର ଆଉ ଦେଖିବାକୁ ମିଳୁନି । କୋଣାର୍କରେ ପଲିଥିନ୍‌ ବ୍ୟବହାର ବଢ଼ିବା  ସହିତ ପରିବେଶ ପ୍ରଦୂଷିତ ହେବାରେ  ଲାଗିଛି । 

ପ୍ରତିଦିନ ହଜାର ହଜାର  ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ପରିଦର୍ଶନରେ  ଆସୁଛନ୍ତି । କୋଣାର୍କ, ଚନ୍ଦ୍ରଭାଗା ଓ  ରାମଚଣ୍ଡୀ ପୀଠର ବିଭିନ୍ନ  ଛକରେ ଉଠା ବ୍ୟବସାୟୀ  ଖୁଲମଖୁଲା ଥର୍ମକୁଲ ବ୍ୟବହାର କରୁଛନ୍ତି ।  କୋଣାର୍କରେ ପାଉଚ୍‌ ପାଣି ବିକ୍ରି ନିଷେଧ  ହୋଇଥିବାବେଳେ କେତେକ ବ୍ୟବସାୟୀ  ପୁଣି ଏହା ବିକ୍ରି ଆରମ୍ଭ କଲେଣି ।  ବିଶେଷକରି କୋଣାର୍କ ଓ ଏହାର  ଆଖପାଖ ଅଞ୍ଚଳର ଗ୍ରାମରେ ପାଉଚ୍‌  ପାଣିର ବହୁଳ ବ୍ୟବହାର ଦେଖିବାକୁ  ମିଳିଛି । ପ୍ଲାଷ୍ଟିକ୍‌, ପଲିଥିନ୍‌ ଓ ଥର୍ମକୁଲ  ଏଣେତେଣେ ପଡ଼ି ରହିବା ଫଳରେ  ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ।  ପଲିଥିନ୍‌ରେ ଥିବା ବଳକା ଖାଦ୍ୟକୁ  ଗାଈଗାରୁ ଖାଇବାରୁ ଅସୁସ୍ଥ ହେଉଛନ୍ତି ।  ଡ୍ରେନ୍‌ରେ ପଲିଥିନ୍‌ ଓ ଆବର୍ଜନା ଜମି  ରହି ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି  କରୁଛି । 

କୋଣାର୍କ ଏନ୍‌ଏସି ପକ୍ଷରୁ  ଚଢ଼ାଉ ହେଉନଥିବାରୁ ପଲିଥିନ୍‌, ପାଉଚ  ପାଣି, ଥର୍ମକୁଲ ବିକ୍ରି ଓ ବ୍ୟବହାର  ବଢ଼ି ଚାଲିଛି । ପରିବେଶ ସୁରକ୍ଷା ଆଇନ ଧାରା ୧୫-୧୬ ଅନୁଯାୟୀ ୨୦  ମାଇକ୍ରୋନ୍‌ରୁ କମ୍‌ ପଲିଥିନ୍‌ ଆମଦାନୀ  , ଗଛିତ ଓ ବିକ୍ରୟ କରିବା ଅପରାଧ ହୋଇଥିବାବେଳେ ପ୍ରଦୂଷଣମୁକ୍ତ କରିବା  ପାଇଁ ପଲିଥିନ୍‌ ବ୍ୟବହାର ନିଷେଧ  ହୋଇଛି । ପୂର୍ବତନ ପୁରୀ  ଜିଲ୍ଲାପାଳ ବଲୱନ୍ତ ସିଂ  କୋଣାର୍କରୁ ପଲିଥିନ ବିକ୍ରି  ଓ ବ୍ୟବହାର ସଂପୂର୍ଣ୍ଣ ବନ୍ଦ  କରିବା ପାଇଁ କଠୋର ପଦକ୍ଷେପ  ନେଇଥିଲେ । କୋଣାର୍କକୁ ପଲିଥିନ୍‌ମୁକ୍ତ  ସହର ଭାବେ ଗଢ଼ି ତୋଳିବା ପାଇଁ ପ୍ରଚେଷ୍ଟା ଚଳାଇଥିଲେ । ଏକ ସ୍ୱଚ୍ଛ  ପଲିଥିନ୍‌ମୁକ୍ତ ସହର ଭାବେ ପରିଣତ  କରି ପାରିଥିଲେ । ସ୍ୱଚ୍ଛରେ ଏକ ନମ୍ବର  ଥିବା କୋଣାର୍କ ସହର ପୁଣି ଅଳିଆ  ଆବର୍ଜନା ସହରରେ ପରିଣତ ହେଲାଣି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ  ବୁଦ୍ଧିଜୀବୀ ମହଲରେ ଦାବି ହାଇଛି ।