କୋଣାର୍କ,୦୫/୦୬ (ମାନସ ରଞ୍ଜନ ପାତ୍ର): ପରିବେଶ ପାଇଁ କାଳ ସାଜିଛି ପ୍ଲାଷ୍ଟିକ୍, ପଲିଥି୍ନ । ଦୈନିକ ଜୀବନରେ ସାଥୀ ପାଲଟିଥିବା କପଡ଼ା ବ୍ୟାଗ୍ ଓ କାଗଜ ଠୁଙ୍ଗା ପରିଚୟ ହରାଇବାକୁ ବସିଲାଣି । ଏବେ ଏହାର ବ୍ୟବହାର ଆଉ ଦେଖିବାକୁ ମିଳୁନି । କୋଣାର୍କରେ ପଲିଥିନ୍ ବ୍ୟବହାର ବଢ଼ିବା ସହିତ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି ।
ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଛନ୍ତି । କୋଣାର୍କ, ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପୀଠର ବିଭିନ୍ନ ଛକରେ ଉଠା ବ୍ୟବସାୟୀ ଖୁଲମଖୁଲା ଥର୍ମକୁଲ ବ୍ୟବହାର କରୁଛନ୍ତି । କୋଣାର୍କରେ ପାଉଚ୍ ପାଣି ବିକ୍ରି ନିଷେଧ ହୋଇଥିବାବେଳେ କେତେକ ବ୍ୟବସାୟୀ ପୁଣି ଏହା ବିକ୍ରି ଆରମ୍ଭ କଲେଣି । ବିଶେଷକରି କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳର ଗ୍ରାମରେ ପାଉଚ୍ ପାଣିର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ପ୍ଲାଷ୍ଟିକ୍, ପଲିଥିନ୍ ଓ ଥର୍ମକୁଲ ଏଣେତେଣେ ପଡ଼ି ରହିବା ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ପଲିଥିନ୍ରେ ଥିବା ବଳକା ଖାଦ୍ୟକୁ ଗାଈଗାରୁ ଖାଇବାରୁ ଅସୁସ୍ଥ ହେଉଛନ୍ତି । ଡ୍ରେନ୍ରେ ପଲିଥିନ୍ ଓ ଆବର୍ଜନା ଜମି ରହି ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି କରୁଛି ।
କୋଣାର୍କ ଏନ୍ଏସି ପକ୍ଷରୁ ଚଢ଼ାଉ ହେଉନଥିବାରୁ ପଲିଥିନ୍, ପାଉଚ ପାଣି, ଥର୍ମକୁଲ ବିକ୍ରି ଓ ବ୍ୟବହାର ବଢ଼ି ଚାଲିଛି । ପରିବେଶ ସୁରକ୍ଷା ଆଇନ ଧାରା ୧୫-୧୬ ଅନୁଯାୟୀ ୨୦ ମାଇକ୍ରୋନ୍ରୁ କମ୍ ପଲିଥିନ୍ ଆମଦାନୀ , ଗଛିତ ଓ ବିକ୍ରୟ କରିବା ଅପରାଧ ହୋଇଥିବାବେଳେ ପ୍ରଦୂଷଣମୁକ୍ତ କରିବା ପାଇଁ ପଲିଥିନ୍ ବ୍ୟବହାର ନିଷେଧ ହୋଇଛି । ପୂର୍ବତନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କୋଣାର୍କରୁ ପଲିଥିନ ବିକ୍ରି ଓ ବ୍ୟବହାର ସଂପୂର୍ଣ୍ଣ ବନ୍ଦ କରିବା ପାଇଁ କଠୋର ପଦକ୍ଷେପ ନେଇଥିଲେ । କୋଣାର୍କକୁ ପଲିଥିନ୍ମୁକ୍ତ ସହର ଭାବେ ଗଢ଼ି ତୋଳିବା ପାଇଁ ପ୍ରଚେଷ୍ଟା ଚଳାଇଥିଲେ । ଏକ ସ୍ୱଚ୍ଛ ପଲିଥିନ୍ମୁକ୍ତ ସହର ଭାବେ ପରିଣତ କରି ପାରିଥିଲେ । ସ୍ୱଚ୍ଛରେ ଏକ ନମ୍ବର ଥିବା କୋଣାର୍କ ସହର ପୁଣି ଅଳିଆ ଆବର୍ଜନା ସହରରେ ପରିଣତ ହେଲାଣି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହାଇଛି ।