ଭୁବନେଶ୍ୱର, ୫/୧୨ : ଅନୁର୍ବର ହୋଇଗଲାଣି ମାଟି । ଆଉ ଫଳୁନି ସୁନାର ଫସଲ, ହସୁନି ଶ୍ୟାମଳ କ୍ଷେତ। ସ୍ଥିତି ଏମିତି ଯେ, ମାଟିରେ ଆଉ ଫସଲ ଉଧଉନି । କେଉଁଠି ପନିପରିବା ଫଳୁନି, ତ କେଉଁଠି ମୁଗ, ବାଦାମ, ସୋରିଷ ଓ ଡାଲି ଭଳି ଫସଲ ଉତ୍ପାଦନ କମିଗଲାଣି । ଏପରିକି ଚାରା ପୋତିଲେ ତାହା ବି କମ୍ ଦିନରେ ମରିଯାଉଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀକୂଳ । ଇଣ୍ଟରନ୍ୟାସନାଲ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଫର୍ ଦି ସେମି-ଏରିଡ୍ ଟ୍ରପିକ୍ସ(ଆଇସିଆରଆଇଏସଏଟି) ର ଏକ ରିପୋର୍ଟରୁ ଖୁଲାସା।

ଓଡ଼ିଶା ମାଟିରେ ୪୩% ଜୈବିକ କମ୍ପୋଷ୍ଟ ଅଭାବ

ରିପୋର୍ଟ ଅନୁଯାୟୀ, ଓଡ଼ିଶା ମାଟିରେ ୪୩% ଜୈବିକ କମ୍ପୋଷ୍ଟ ଅଭାବ ଦେଖାଯାଉଛି । ରାଷ୍ଟ୍ରୀୟ ମୃତ୍ତିକା ସର୍ବେକ୍ଷଣ ଓ ଭୂମି ଉପଯୋଗ ନିୟୋଜନ ବ୍ୟୁରୋ, କୃଷି ବିଭାଗ ଏବଂ ମୃତ୍ତିକା ବିଶେଷଜ୍ଞଙ୍କୁ ନେଇ ଗତ କିଛିବର୍ଷ ତଳେ ୩୦ଟି ଜିଲ୍ଲାର ୪୦,୨୬୫ ମାଟିର ନମୁନା ସଂଗ୍ରହ ପରେ କରାଯାଇଥିବା ଅନୁଧ୍ୟାନ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଓଡ଼ିଶାର ମୃତ୍ତିକାରେ ମାଗ୍ନେସିୟମ୍, ନାଇଟ୍ରୋଜେନ୍, ଫସ୍ଫରସ୍ ଓ ପଟାସ୍ ଭଳି ଅଣୁସାର ଶତପ୍ରତିଶତ ରହିବା ଦରକାର । ମାତ୍ର ମାଗ୍ନେସିୟମକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଉପାଦାନ ଓ ମାଟିରେ ବହୁତ ମାତ୍ରାରେ ହ୍ରାସ ପାଇଚାଲିଛି । ଫଳରେ ଉର୍ବରତା କମିଚାଲିଛି । ଧାନଚାଷ ପାଇଁ ରାଜ୍ୟରେ ଆଗୁଆ ବରଗଡ଼ର ମାଟି ବି ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ଉର୍ବରତା ହରାଇଲାଣି। ଅଧିକରୁ ଅଧିକ ଫସଲ ଉତ୍ପାଦନ ପାଇଁ ମାଟିରେ ସାର ପ୍ରୟୋଗ ଉର୍ବରତା ବଢ଼ାଇବା ପରିବର୍ତ୍ତେ ହ୍ରାସ ପାଉଛି। କେବଳ ସେତିକି ନୁହେଁ, ଦୋରସା ଓ ଉର୍ବର ମାଟିରେ କ୍ରମଶଃ ବନ୍ଧ୍ୟା ଦୋଷ ଦେଖାଗଲାଣି । ଉପକୂଳ ଜମି ଲବଣାକ୍ତ ହେଲାଣି। ଫଳରେ ଫସଲ ଉତ୍ପାଦନ ଖସୁଛି ବୋଲି ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି।

ଆଉ ଆଗଭଳି ହେଉନି ଧାନ ଚାଷ
ଜଗତସିଂହପୁର କେଭିକେରେ ଥିବା ମୃତ୍ତିକା ବୈଜ୍ଞାନିକ ପ୍ରଦୀପ୍ତ ମାଝୀଙ୍କ କହିବା ଅନୁଯାୟୀ, ଓୟୁଏଟି ପକ୍ଷରୁ ଗତବର୍ଷ ଏକ ସର୍ଭେ ହୋଇଥିଲା। ଧାନ ପରେ ମୁଗ ଚାଷ ଆଉ ହେଉନି ବୋଲି ଜଣାପଡ଼ିଲା। ଏହାର କାରଣ ମାଟିରେ ଅମ୍ଳ ଅଂଶ ବଢୁଛି। ଅଙ୍ଗାରକ କମୁଛି। ବାଦାମ ଓ ସୋରିଷ ନହେବାର କାରଣ ମାଟିରେ ଗନ୍ଧକଯୁକ୍ତ ଖାଦ୍ୟାଂଶ ରହୁନି। ମାଟିରେ ବୋରନ୍‌ ବା ଅଣୁସାର ବି କମୁଛି । ଫଳରେ ନଡ଼ିଆର ଗୋଟମା ଖସିପଡୁଛି । ଏଭଳି ସମସ୍ୟା ଉପକୂଳର ପ୍ରତି ଜିଲ୍ଲାରେ ରହିଛି। ବରଗଡ଼ କେଭିକେରେ ଥିବା ବୈଜ୍ଞାନିକ ଡ. ରାହୁଲ ଦେବ ବେହେରାଙ୍କ କହିବା କଥା, ବରଗଡ଼ର ମାଟିରେ ଅମ୍ଳ(ଏସିଡ୍‌) ଅଂଶ ବଢ଼ୁଛି । ଏହାର କାରଣ ରାସାୟନିକ ସାର । ସେଥିପାଇଁ ଧାନ ଚାଷ ଆଗଭଳି ହୋଇପାରୁନି । 

ରାସାୟନିକ ସାର, ଖଣି ଖନନ ଓ ଅନିୟମିତ ବର୍ଷା ଦାୟୀ

ବରିଷ୍ଠ ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶା ଭଳି ରାଜ୍ୟରେ ଜଙ୍ଗଲ କ୍ଷୟ, ଭୂମି ଅବକ୍ଷୟ ଓ ଉର୍ବରତା ହ୍ରାସର ମୁଖ୍ୟ କାରଣ ହେଉଛି ଖଣି ଖନନ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାଟିରେ ଆର୍ଦ୍ରତା ହ୍ରାସ ପାଉଛି। ଫ୍ଲାଏ ଆସ୍‌, ରେଡ୍‌ ମଡ୍‌ ଓ ବିପଦସଙ୍କୁଳ ଶିଳ୍ପ ବର୍ଜ୍ୟବସ୍ତୁ ନିଷ୍କାସନ ଭୂମି ଉର୍ବରତା ହ୍ରାସର ମୁଖ୍ୟ କାରଣ ପାଲଟିଛି । ତେଣୁ ବେଳଥାଇ ଏଥିପାଇଁ ଚେତିବାକୁ ପଡ଼ିବ। ରାସାୟନିକ ସାର ବଦଳରେ ଖତର ବ୍ୟବହାର କରନ୍ତୁ ବୋଲି ସେ କହିଛନ୍ତି । ଅପରପକ୍ଷେ, ପ୍ରତିବର୍ଷ ଜିଲ୍ଲାସ୍ତରରେ ମାଟି ପରୀକ୍ଷା କରାଯାଇ, ଉର୍ବରତା ବୃଦ୍ଧି ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଉଥିବା ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।