ନୂଆଦିଲ୍ଲୀ,୦୩/୦୬: ଦ୍ୱିତୀୟ ବିଶ୍ୱଯୁଦ୍ଧ (୧୯୩୯-୪୫) ଶେଷ ହେବାର ଇତିମଧ୍ୟରେ ୮୦ ବର୍ଷ ବିତିଗଲାଣି । ଏହି ୮୦ ବର୍ଷ ପର୍ଯ୍ୟନ୍ତ ବିଶ୍ୱବାସୀ ଶାନ୍ତିରେ ନିଃଶ୍ୱାସ ମାରୁଥିଲେ । କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିଛି । ବିଶ୍ୱ ଶାନ୍ତିର ମୂଳଦୁଆ ପୁଣି ଦୋହଲିବାରେ ଲାଗିଛି । ଏବେ ଘାରିଲାଣି ତୃତୀୟ ବିଶ୍ୱଯୁଦ୍ଧ ଭୟ । ବିଶେଷକରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଏହି ଭୟ ଘାରିଛି । ରୁଷ-ଆମେରିକା ଏବଂ ପରମାଣୁ ଅସ୍ତ୍ର ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।
‘ୟୁଗଭ’ ଦ୍ୱାରା ହୋଇଥିବା ତାଜା ସର୍ଭେ ଅନୁସାରେ, ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକୁ ତୃତୀୟ ବିଶ୍ୱଯୁଦ୍ଧ ଭୟ ଘାରିଛି । ୫ରୁ ୧୦ ବର୍ଷ ମଧ୍ୟରେ ଏହି ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ରୁଷ-ୟୁକ୍ରେନ ଯୁଦ୍ଧ, ଆମେରିକାର ବିଦେଶ ନୀତି ଏବଂ ପରମାଣୁ ଅସ୍ତ୍ରଗୁଡ଼ିକୁ ନେଇ ସୃଷ୍ଟ ବିବାଦ ହିଁ ଏହାର ମୂଳ ମଞ୍ଜି । ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୫୫%ଙ୍କ ମତ ଯେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ ହେବ । ସେହିଭଳି ଏହି ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର ହେବା ନେଇ ୭୬% ଲୋକ ଆଶଙ୍କା ପ୍ରକାଶ କରିଛନ୍ତି । ସେମାନଙ୍କ ମତ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ତୁଳନାରେ ଏହା କେଇଗୁଣା ଅଧିକ ଭୟଙ୍କର ତଥା ବିନାଶକାରୀ ହେବ । ଆମେରିକା ଓ ୟୁରୋପୀୟ ଦେଶ ଯଥା ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ସ୍ପେନ୍ ଏଥିରେ ସକ୍ରିୟ ଭାବେ ସାମିଲ ହେବେ ।
ବର୍ତ୍ତମାନ ସ୍ଥିତିରୁ ମଧ୍ୟ ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ ମିଳୁଛି । ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗିରହିଛି । ସଦ୍ୟ ଘଟଣାରେ ରୁଷ୍ର ୫ଟି ବାୟୁସେନା ଘାଟି ଉପରେ ୟୁକ୍ରେନ୍ ଜୋରଦାର ଆକ୍ରମଣ କରି ୪୧ଟି ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଇଛି । ରୁଷ୍ ଏହାର ଜବାବ ଦେବା ନେଇ ଚିନ୍ତା କରୁଥିବା ବେଳେ ବ୍ରିଟେନ୍ ମଧ୍ୟ ଏଥିରେ ସାମିଲ ହେବା ନେଇ ଅନୁମାନ କରାଯାଉଛି । ତା’ଛଡ଼ା ଗାଜାରେ ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗିରହିଛି । ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଔଦ୍ଧତ୍ୟ ବଢ଼ିବାରେ ଲାଗିଛି । ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସ୍ଥିରତା ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଛି । ଏଭଳି ସ୍ଥିତିରେ ଆମେରିକା ଭାରତ ସହାୟତାରେ ଚୀନ୍କୁ ଘେରିବାକୁ ଚାହୁଁଛି ।
ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମୃତି ଆଜି ବି ଅନେକ ଲୋକଙ୍କ ମନରେ ତାଜା ରହିଛି । ସର୍ଭେରେ ସାମିଲ ୫୨% ଲୋକ ଭାବୁଛନ୍ତି ଯେ ବିଶ୍ୱବ୍ୟାପୀ ନାଜି ଶାସନ ଭଳି ଅତ୍ୟାଚାର ଆଜି ବି ସମ୍ଭବ । ୬୦% ଲୋକଙ୍କ କହିବା କଥା ହେଉଛି ଆମେରିକା କିମ୍ବା ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଏହି ବିପଦ ରହିଛି । ସର୍ଭେରେ ପଶ୍ଚିମ ୟୁରୋପର ୮୨% ଓ ଆମେରିକାର ୬୯% ଲୋକ ରୁଷ୍ ସହ ବିବାଦକୁ ସବୁଠୁ ବଡ଼ ବିପଦ ବିବେଚନା କରୁଛନ୍ତି ।
ଲୋକଙ୍କ କହିବା କଥା ହେଉଛି ରୁଷ୍ର ସୈନ୍ୟ ଗତିବିଧି ଏବଂ ତାହାର ପରମାଣୁ କ୍ଷମତା ବୈଶ୍ୱିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛି । ରୁଷ୍ ବ୍ୟତୀତ ଇସଲାମିକ ଆତଙ୍କବାଦକୁ ମଧ୍ୟ ଅନ୍ୟତମ ବଡ଼ ବିପଦ ବିବେଚନା କରାଯାଉଛି । ଲୋକଙ୍କ ମତ ଯେ ଇସଲାମିକ ଆତଙ୍କବାଦକୁ ତୁରନ୍ତ କାବୁ କରାଯିବା ଜରୁରି । ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏହାର ମୁକାବିଲା କରିବା ଉଚିତ । ଅନ୍ୟଥା ଏହା ବିଶ୍ୱ ଶାନ୍ତି ପାଇଁ ଶତ୍ରୁ ସାଜିବ । ୬୬% ଲୋକ ନାଟୋ ଓ ୬୦% ଲୋକ ଜାତିସଂଘକୁ ଶାନ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରୁଛନ୍ତି । ଅର୍ଥାତ୍ ଯୁଦ୍ଧ ପରେ ଶାନ୍ତି ବଜାୟ ରଖିବାରେ ନାଟୋ ସବୁଠୁ ବଡ଼ ଯୋଗଦାନକାରୀ ହେବ ବୋଲି ୬୬% ଲୋକ ମତ ଦେଇଛନ୍ତି । ୬୦% ଲୋକ ଜାତିସଂଘକୁ ଏ ଦିଗରେ ମହତ୍ତ୍ୱପୂର୍ଣ୍ଣ ବିବେଚନା କରିଛନ୍ତି । ସେହିଭଳି ୫୬% ଲୋକ ୟୁରୋପୀୟ ସଂଘକୁ ପ୍ରମୁଖ ସ୍ତମ୍ଭ ମନେ କରୁଛନ୍ତି ।