ନୂଆଦିଲ୍ଲୀ,୦୩/୦୬: ଦ୍ୱିତୀୟ  ବିଶ୍ୱଯୁଦ୍ଧ (୧୯୩୯-୪୫) ଶେଷ ହେବାର ଇତିମଧ୍ୟରେ ୮୦ ବର୍ଷ ବିତିଗଲାଣି । ଏହି  ୮୦ ବର୍ଷ ପର୍ଯ୍ୟନ୍ତ ବିଶ୍ୱବାସୀ ଶାନ୍ତିରେ ନିଃଶ୍ୱାସ ମାରୁଥିଲେ । କିନ୍ତୁ ବର୍ତ୍ତମାନ ସ୍ଥିତି  ବଦଳିଛି । ବିଶ୍ୱ ଶାନ୍ତିର ମୂଳଦୁଆ ପୁଣି ଦୋହଲିବାରେ ଲାଗିଛି । ଏବେ ଘାରିଲାଣି  ତୃତୀୟ ବିଶ୍ୱଯୁଦ୍ଧ ଭୟ । ବିଶେଷକରି  ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ଏହି ଭୟ ଘାରିଛି ।  ରୁଷ-ଆମେରିକା ଏବଂ ପରମାଣୁ ଅସ୍ତ୍ର  ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।

‘ୟୁଗଭ’ ଦ୍ୱାରା ହୋଇଥିବା  ତାଜା ସର୍ଭେ ଅନୁସାରେ, ଆମେରିକା  ଓ ୟୁରୋପୀୟ ଦେଶଗୁଡ଼ିକୁ ତୃତୀୟ  ବିଶ୍ୱଯୁଦ୍ଧ ଭୟ ଘାରିଛି । ୫ରୁ ୧୦ ବର୍ଷ  ମଧ୍ୟରେ ଏହି ଯୁଦ୍ଧ ହୋଇପାରେ ବୋଲି  ଆଶଙ୍କା କରାଯାଉଛି । ରୁଷ-ୟୁକ୍ରେନ ଯୁଦ୍ଧ,  ଆମେରିକାର ବିଦେଶ ନୀତି ଏବଂ ପରମାଣୁ ଅସ୍ତ୍ରଗୁଡ଼ିକୁ ନେଇ ସୃଷ୍ଟ ବିବାଦ ହିଁ ଏହାର  ମୂଳ ମଞ୍ଜି । ସର୍ଭେରେ ସାମିଲ ହୋଇଥିବା  ଲୋକଙ୍କ ମଧ୍ୟରୁ ୫୫%ଙ୍କ ମତ ଯେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ ହେବ । ସେହିଭଳି ଏହି  ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର ହେବା  ନେଇ ୭୬% ଲୋକ ଆଶଙ୍କା ପ୍ରକାଶ  କରିଛନ୍ତି । ସେମାନଙ୍କ ମତ ଯେ ଦ୍ୱିତୀୟ  ବିଶ୍ୱଯୁଦ୍ଧ ତୁଳନାରେ ଏହା କେଇଗୁଣା  ଅଧିକ ଭୟଙ୍କର ତଥା ବିନାଶକାରୀ ହେବ ।  ଆମେରିକା ଓ ୟୁରୋପୀୟ ଦେଶ ଯଥା  ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ସ୍ପେନ୍‌  ଏଥିରେ ସକ୍ରିୟ ଭାବେ ସାମିଲ ହେବେ । 

ବର୍ତ୍ତମାନ ସ୍ଥିତିରୁ ମଧ୍ୟ ତୃତୀୟ  ବିଶ୍ୱଯୁଦ୍ଧର ସଙ୍କେତ ମିଳୁଛି । ରୁଷ୍‌ ଓ ୟୁକ୍ରେନ୍‌  ମଧ୍ୟରେ ଯୁଦ୍ଧ ଲାଗିରହିଛି । ସଦ୍ୟ ଘଟଣାରେ  ରୁଷ୍‌ର ୫ଟି ବାୟୁସେନା ଘାଟି ଉପରେ  ୟୁକ୍ରେନ୍‌ ଜୋରଦାର ଆକ୍ରମଣ କରି ୪୧ଟି  ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଇଛି । ରୁଷ୍‌  ଏହାର ଜବାବ ଦେବା ନେଇ ଚିନ୍ତା କରୁଥିବା  ବେଳେ ବ୍ରିଟେନ୍‌ ମଧ୍ୟ ଏଥିରେ ସାମିଲ ହେବା  ନେଇ ଅନୁମାନ କରାଯାଉଛି । ତା’ଛଡ଼ା  ଗାଜାରେ ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଯୁଦ୍ଧ  ଲାଗିରହିଛି । ଦକ୍ଷିଣ ଚୀନ୍‌ ସାଗରରେ ଚୀନ୍‌ର  ଔଦ୍ଧତ୍ୟ ବଢ଼ିବାରେ ଲାଗିଛି । ଭାରତ-ପ୍ରଶାନ୍ତ  ମହାସାଗର ଅଞ୍ଚଳରେ ସ୍ଥିରତା ପ୍ରଭାବିତ  ହେବା ନେଇ ଆଶଙ୍କା ଉପୁଜିଛି । ଏଭଳି  ସ୍ଥିତିରେ ଆମେରିକା ଭାରତ ସହାୟତାରେ  ଚୀନ୍‌କୁ ଘେରିବାକୁ ଚାହୁଁଛି । 

ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମୃତି ଆଜି ବି  ଅନେକ ଲୋକଙ୍କ ମନରେ ତାଜା ରହିଛି ।  ସର୍ଭେରେ ସାମିଲ ୫୨% ଲୋକ ଭାବୁଛନ୍ତି  ଯେ ବିଶ୍ୱବ୍ୟାପୀ ନାଜି ଶାସନ ଭଳି ଅତ୍ୟାଚାର  ଆଜି ବି ସମ୍ଭବ । ୬୦% ଲୋକଙ୍କ କହିବା କଥା  ହେଉଛି ଆମେରିକା କିମ୍ବା ଅନ୍ୟ ୟୁରୋପୀୟ  ଦେଶଗୁଡ଼ିକରେ ମଧ୍ୟ ଏହି ବିପଦ ରହିଛି ।  ସର୍ଭେରେ ପଶ୍ଚିମ ୟୁରୋପର ୮୨% ଓ  ଆମେରିକାର ୬୯% ଲୋକ ରୁଷ୍‌ ସହ ବିବାଦକୁ  ସବୁଠୁ ବଡ଼ ବିପଦ ବିବେଚନା କରୁଛନ୍ତି ।  

ଲୋକଙ୍କ କହିବା କଥା ହେଉଛି ରୁଷ୍‌ର ସୈନ୍ୟ  ଗତିବିଧି ଏବଂ ତାହାର ପରମାଣୁ କ୍ଷମତା  ବୈଶ୍ୱିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛି ।  ରୁଷ୍‌ ବ୍ୟତୀତ ଇସଲାମିକ ଆତଙ୍କବାଦକୁ ମଧ୍ୟ  ଅନ୍ୟତମ ବଡ଼ ବିପଦ ବିବେଚନା କରାଯାଉଛି । ଲୋକଙ୍କ ମତ ଯେ ଇସଲାମିକ  ଆତଙ୍କବାଦକୁ ତୁରନ୍ତ କାବୁ କରାଯିବା ଜରୁରି ।  ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏହାର ମୁକାବିଲା  କରିବା ଉଚିତ । ଅନ୍ୟଥା ଏହା ବିଶ୍ୱ ଶାନ୍ତି ପାଇଁ  ଶତ୍ରୁ ସାଜିବ । ୬୬% ଲୋକ ନାଟୋ ଓ ୬୦%  ଲୋକ ଜାତିସଂଘକୁ ଶାନ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ  ମନେ କରୁଛନ୍ତି । ଅର୍ଥାତ୍‌ ଯୁଦ୍ଧ ପରେ ଶାନ୍ତି ବଜାୟ ରଖିବାରେ ନାଟୋ ସବୁଠୁ ବଡ଼  ଯୋଗଦାନକାରୀ ହେବ ବୋଲି ୬୬% ଲୋକ  ମତ ଦେଇଛନ୍ତି । ୬୦% ଲୋକ ଜାତିସଂଘକୁ  ଏ ଦିଗରେ ମହତ୍ତ୍ୱପୂର୍ଣ୍ଣ ବିବେଚନା କରିଛନ୍ତି ।  ସେହିଭଳି ୫୬% ଲୋକ ୟୁରୋପୀୟ ସଂଘକୁ  ପ୍ରମୁଖ ସ୍ତମ୍ଭ ମନେ କରୁଛନ୍ତି ।