ନୂଆଦିଲ୍ଲୀ ୦୧/୦୬: ଦୁନିଆର ପ୍ରଥମ ଓଁ ଆକାରର ମନ୍ଦିର ରହିଛି ଏଇ ଆମ ଭାରତବର୍ଷରେ । ରାଜସ୍ଥାନର ପାଲୀ ଜିଲ୍ଲା ଅନ୍ତର୍ଗତ ଜାଡେନରେ । ଏହାର ଅଦ୍ଭୁତପୂର୍ବ ବାସ୍ତୁକଳା 'ଓମ୍' ଆକାରକୁ ଆକଶମାର୍ଗରୁ ସ୍ପଷ୍ଟ ବାରି ହୋଇଯାଏ । ଦେବଦେବ ମହାଦେବଙ୍କ ପ୍ରତି ସମର୍ପିତ ଏହି ‘ଓମ୍ ଶିବ ମନ୍ଦିର’ରେ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଏବଂ ୧୦୦୮ ପ୍ରକାର ଶିବଙ୍କ ପ୍ରତିମୂର୍ତ୍ତି ଦର୍ଶନର ପରମ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

ସନାତନ ଧର୍ମରେ ‘ଓଁ’ର ମହତ୍ତ୍ୱ ଏତେବେଶି ଯେ ଏହାକୁ ନାଦ ବ୍ରହ୍ମ ଭାବେ ଅଭିହିତ କରାଯାଏ । ଯେକୌଣସି ମନ୍ତ୍ର ଓଁ ସହିତ ଯୁ୍କ୍ତ ହେଲେ ଏହାର ଆଧ୍ୟାତ୍ମିକ ପ୍ରଭାବ ଦ୍ୱିଗୁଣିତ ହୋଇଯାଏ ବୋଲି ବିଶ୍ୱାସ କରାଯାଏ । ଓଁ ଉଚ୍ଚାରଣର ସକାରାତ୍ମକ ପ୍ରଭାବକୁ ବିଜ୍ଞାନ ମଧ୍ୟ ଗ୍ରହଣ କରେ । ଏହି ଓଁର ଆକାରରେ ବିଶ୍ୱର ପ୍ରଥମ ମନ୍ଦିର ସନାତନଧର୍ମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ରାଜସ୍ଥାନର ପାଲି ଜିଲ୍ଲା ଅନ୍ତର୍ଗତ ଜାଡନ ଗ୍ରାମ ସ୍ଥିତ ସ୍ୱାମୀ ମହେଶ୍ୱରାନନ୍ଦଙ୍କ ଆଶ୍ରମ ବିଶ୍ୱଦୀପ ଗୁରୁକୁଳ । ଏହି ଆଶ୍ରମର ୨୭୦ ଏକର ଜମି ଉପରେ ପ୍ରତିଷ୍ଠିତ ଓମ୍ ଶିବ ମନ୍ଦିରର ନିର୍ମାଣ କାର୍ଯ୍ୟ ୧୯୯୫ମସିହାରେ ହିଁ ଆରମ୍ଭ ହୋଇଥିଲା । ଏହା ସମ୍ପୂର୍ଣ୍ଣ ହେବା ପାଇଁ ସମୟ ଲାଗିଥିଲା ଦୀର୍ଘ ୨୮ବର୍ଷ । ମନ୍ଦିରଟି ରାଜସ୍ଥାନର ପ୍ରସିଦ୍ଧ ବଂଶୀ ପର୍ବତରୁ ଆସିଥିବା ଲାଲ୍‌ ପଥରରେ ତିଆରି ହୋଇଛି । ମନ୍ଦିରରେ ରହିଛି ଭଗବାନ୍ ଶିବଙ୍କର ୧୦୦୮ଟି ମୂର୍ତ୍ତି ଏବଂ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ । ୧୨ ଶହ ସ୍ତମ୍ଭକୁ ଆଧାର କରି ୧୩୫ ଫୁଟ ଉଚ୍ଚର ମୁଖ୍ୟ ମନ୍ଦିର ସହିତ ସଂଯୁକ୍ତ ୧୦୮ଟି ପ୍ରକୋଷ୍ଠ । ମୁଖ୍ୟ ମନ୍ଦିର ଚାରିଭାଗ ବା ୪ ମହଲା ବିଶିଷ୍ଟ । ତଳେ ଗୋଟିଏ ଭାଗ ଏବଂ ଉପରେ ତିନିଭାଗ । ଏହି ମଝିରେ ବିଦ୍ୟମାନ ଗୁରୁ ମାଧବାନନ୍ଦଜୀଙ୍କ ସାମଧିପୀଠ ।

​​​​​​​

ଓଁ ଶିବ ମନ୍ଦିରର ବିଶେଷତ୍ୱ ହେଲା ଏଠାରେ ଶିବଙ୍କ ମହିମା ସମ୍ବନ୍ଧିତ ପୌରାଣିକ ଉପାଖ୍ୟାନ ସହିତ ଶିବ ସ୍ୱରୂପର ଦର୍ଶନ କରିବାର ମଉକା ଏକାଠି ମିଳିଥାଏ । ଯାହା ଅତ୍ୟନ୍ତ ଦୁର୍ଲଭ ତଥା ଶୁଭପ୍ରଦ ବୋଲି ମନେ କରାଯାଏ । ଏପରି ବିଶେଷ ଦର୍ଶନର ସୌଭାଗ୍ୟ ଭାରତର ଅନ୍ୟ କୌଣସି ଶିବମନ୍ଦିରରେ ପ୍ରାପ୍ତ ହୁଏ ନାହିଁ । ମନ୍ଦିର ପରିସରରେ ଏକ ଯୋଗ ବିଶ୍ୱବିଦ୍ୟାଳୟ ମଧ୍ୟ ସ୍ଥାପନା କରାଯାଇଛି । ଏକ ବିରାଟକାୟ ଜଳାଶୟ ମଧ୍ୟ ଦେଖିବାକୁ ମିଳେ । 'ଓଁ ଶିବ ମନ୍ଦିର' ଦର୍ଶନ କରିବାକୁ ଶିବଭକ୍ତଙ୍କ ଭିଡ଼ ବର୍ଷତମାମ ଲାଗି ରହୁଥିବାବେଳେ ଏହାର ଆକାରପ୍ରକାର ତଥା ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କରୁଛି ।

ଆହୁରି ପଢ଼ନ୍ତୁ...ବ୍ୟାଗ୍ ଛଡ଼ାଇ ଗଛରୁ ଟଙ୍କା ବର୍ଷା କଲା ମାଙ୍କଡ଼, ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓ