ନୂଆଦିଲ୍ଲୀ,୨୫/୦୧: ସ୍ମୃତିଙ୍କ ଆରସିବି ବିଜୟଧାରାରେ ବ୍ରେକ୍ ଲାଗିଛି । ଚଳିତ ଡବ୍ଲ୍ୟୁପିଏଲ୍ କ୍ରମାନ୍ୱୟରେ ୫ଟି ମ୍ୟାଚ ଜିତି ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ପରାଜୟର ସାମ୍ନା କରିଛି । ଶନିବାର ଅନୁଷ୍ଠିତ ୧୫ତମ ଲିଗ ମୁକାବିଲାରେ ଦଳ ୭ ୱିକେଟ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଛି । ମରିଜାନ କାପ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

କ୍ୟାପିଟାଲ୍ସ ଦଳ ଏହି ବିଜୟ ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଏହି ମ୍ୟାଚରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୦୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା । ଦଳ ପକ୍ଷରୁ ସ୍ମୃତି ମନ୍ଧନା ସର୍ବାଧିକ ୩୮ (୬ଚୌକା, ୧ଛକା) ରନ କରିଥିଲେ । ସେହିପରି ରାଧା ଯାଦବ ୧୮ ଓ ଜର୍ଜିୟା ଭୋଲ ୧୧ ରନ କରିଥିବାବେଳେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ନନ୍ଦନୀ ଶର୍ମା ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ଚିନେଲି ହେନରୀ, ମରିଜାନ କାପ ଓ ମିନୁ ମାନି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୫.୪ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଲୌରା ଉଲଭାର୍ଟ ଅପରାଜିତ ୪୨ (୪ଚୌକା,୧ଛକା), ଜେମିମା ରୋଡ୍ରିଗ୍ସ ୨୪, ମରିଜାନ କାପ ଅପରାଜିତ ୧୯ ଓ ଶେଫାଳି ବର୍ମା ୧୬ ରନ କରିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ସାୟଲି ସତଘରେ ୨ଟି ୱିକେଟ୍ ହାସଲ କରିଥିଲେ ।

​​​​​​​