ନୂଆଦିଲ୍ଲୀ,୧୬/୦୧: ଚଳିତ ଡବ୍ଲ୍ୟୁପିଏଲ୍‌ରେ କ୍ରମାନ୍ୱୟରେ ୩ଟି ମ୍ୟାଚ୍ ପରାଜିତ ହେବା ପରେ ୟୁପି ୱାରିୟର୍ସ ଶେଷରେ ବିଜୟ ଖାତା ଖୋଲିଛି । ଗୁରୁବାର ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ଲିଗ୍ ମୁକାବିଲାରେ ଦଳ ୭ ୱିକେଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜିତ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍ ବିନିମୟରେ ୧୬୧ ରନ ସଂଗ୍ରହ କରିଥିଲା । ଜବାବରେ ୟୁପି ୱାରିୟର୍ସ ୧୮.୧ ଓଭରରେ ୩ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା । ୟୁପିର ହରଲିନ୍ ଦେଓଲ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ୪୫ ରନ୍‌ରେ ଉଭୟ ଓପନରଙ୍କୁ ହରାଇଥିଲା । ବ୍ୟାଟିଂରେ ପଦୋନ୍ନତି ପାଇଥିବା ଅମନଜୋତ କୌର ପ୍ରାରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ୭ ଚୌକା ବଳରେ ୩୮ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରେ ପରେ ଜି କାମାଳିନୀ ୫ ରନ କରି ବିଦାୟ ନେଇଥିଲେ । ଏହାପରେ ନାତାଲି ସ୍କିଭର-ବ୍ରଣ୍ଟ ଓ ହର୍ମନପ୍ରୀତ କୌର ୨୯ ରନ୍‌ର ଭାଗିଦାରୀ ଗଢ଼ିଥିଲେ । ଦଳୀୟ ସ୍କୋର ୭୪ ବେଳେ ବ୍ୟକ୍ତିଗତ ୧୬ ରନ କରି ହର୍ମନପ୍ରୀତ ଆଉଟ୍ ହୋଇଥିଲେ । ସ୍କିଭର-ବ୍ରଣ୍ଟ ଦର୍ଶନୀୟ ସଟ୍‌ମାନ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ସେ ନିକୋଲା କ୍ୟାରୀଙ୍କୁ ସାଥୀ କରି ଚତୁର୍ଥ ୱିକେଟ୍‌ରେ ୮୫ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୧୫୯ରେ ପହଞ୍ଚିଥିଲା । ଶେଷରେ ଅନ୍ତିମ ଓଭରରେ ଶିଖା ପାଣ୍ଡେ ଯୋଡ଼ି ଭାଙ୍ଗିଥିଲେ । ସ୍କିଭର-ବ୍ରଣ୍ଟ ୪୩ଟି ବଲ୍‌ରୁ ୯ ଚୌକା ଓ ୧ ଛକା ବଳରେ ୬୫ ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଏସ ସଜନା (୧) ମଧ୍ୟ ପାଣ୍ଡେଙ୍କ ଶିକାର ସାଜିଥିଲେ । ମାତ୍ର କ୍ୟାରୀ ଅପରାଜିତ ରହି ଦଳୀୟ ସ୍କୋରକୁ ୧୬୧ରେ ପହଞ୍ଚାଇଥିଲେ । ସେ ୨୦ଟି ବଲ୍‌ରୁ ୫ ଚୌକା ବଳରେ ୩୨ ରନ କରିଥିଲେ ।

ଜବାବରେ ୟୁପି ୱାରିୟର୍ସ ୪୫ ରନ୍‌ରେ ଉଭୟ ଓପନରଙ୍କୁ ହରାଇଥିଲା । ମେଗ ଲ୍ୟାନିଂ ୨୫ ଓ କିରଣ ନଭଗିରେ ୧୦ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଫୋଏବ ଲିଚଫିଲ୍ଡ ଓ ହର୍ଲିନ ଦେଓଲ ଲଢୁଆ ବ୍ୟାଟିଂ କରି ୭୩ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ୟୁପି ମ୍ୟାଚକୁ ଫେରିଥିଲା । ବିଜୟ ଆଶା ଉଜ୍ଜ୍ୱଳ ହୋଇଥିଲା । ଦଳୀୟ ସ୍କୋର ୧୧୮ ବେଳେ ଲିଚଫିଲ୍ଡଙ୍କୁ ଆଉଟ୍ କରିଥିଲେ ଆମେଲିଆ କେର । ସେ ୨୫ ରନ କରି ପାଭିଲିୟନ ଫେରିଥିଲେ । ହର୍ଲିନଙ୍କୁ ଅଟକାଇବାରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ବିଫଳ ହୋଇଥିଲେ । ସେ ଅର୍ଦ୍ଧଶତକ ଅର୍ଜନ କରିଥିଲେ ଓ ଚୋଲେ ଟ୍ରିୟନଙ୍କୁ ସାଥୀ କରି ଦଳକୁ ବିଜୟୀ କରାଇଥିଲେ । ହର୍ଲିନ ୩୯ଟି ବଲ୍‌ରୁ ୧୨ ଚୌକା ବଳରେ ୬୪ ରନ କରିଥିଲେ । ସେହିପରି ଟ୍ରିୟନ ୪ ଚୌକା ଓ ୧ ଛକା ବଳରେ ୨୭ ରନ କରିଥିଲେ ।