ମୁମ୍ବାଇ, ୦୩/୦୪: ଭାରତୀୟ ଦଳର ଯୁବ ଓପନର  ଯଶସ୍ୱୀ ଜୈସ୍ୱାଲ ଆଗାମୀ ସିଜନରେ ଗୋଆ ପକ୍ଷରୁ ଘରୋଇ  କ୍ରିକେଟ୍‌ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ମୁମ୍ବାଇ  କ୍ରିକେଟ୍‌ ଆସୋସିଏସନ ପକ୍ଷରୁ ଏନ୍‌ଓସି ମଧ୍ୟ ମିଳି ସାରିଛି ।  ଗୋଆ ଏଥର ଏଲିଟ୍‌ ଗ୍ରୁପ୍‌କୁ ଉନ୍ନୀତ ହୋଇ ଥିବାରୁ ଆଗାମୀ  ସିଜନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି । ଜୈସ୍ୱାଲଙ୍କୁ  ଗୋଆ ଦଳର ନେତୃତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।  

ଜୈସ୍ୱାଲ୍‌ ୨୦୧୯ରେ ମୁମ୍ବାଇ ପକ୍ଷରୁ ପଦାର୍ପଣ କରିଥିଲେ ।  ସେ ଇତି ମଧ୍ୟରେ ୩ଟି ଯାକ ଫର୍ମାଟ୍‌କୁ ମିଶାଇ ମୁମ୍ବାଇ ପକ୍ଷରୁ  ମୋଟ୍‌ ୬୩ଟି ମ୍ୟାଚ୍‌ ଖେଳିଛନ୍ତି । ରଣଜୀ ଟ୍ରଫିରେ ସେ  ୧୦ଟି ମ୍ୟାଚ୍‌ ଖେଳି ୫୩.୯୩ ହାରରେ ମୋଟ୍‌ ୮୬୩ ରନ  ସଂଗ୍ରହ କରିଛନ୍ତି । ଏଥିରେ ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ  ରହିଛି । ୨୫ଟି ଲିଷ୍ଟ ଏ’ ମ୍ୟାଚ୍‌ରେ ସେ ୫୮.୯ ହାରରେ  ୧୨୯୬ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଦ୍ୱିଶତକ  ଓ ୪ଟି ଶତକ ରହିଛି । ସେହିପରି ୨୮ଟି ଟି-ଟ୍ୱେଣ୍ଟିରୁ  ୧୩୬.୪୨ ଷ୍ଟ୍ରାଇକ ରେଟ୍‌ରେ ୬୪୮ ରନ ସଂଗ୍ରହ କରିଛନ୍ତି ।