ନୂଆଦିଲ୍ଲୀ,୧୯/୦୪; ହୋର୍ମୁଜ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଇରାନୀ ନୌସେନାରେ ଗୁଳିମାଡ଼ ଏକ ନୂଆ ଏବଂ ବିବାଦୀୟ ମୋଡ଼ ନେଇଛି । ଆକ୍ରମଣ ହୋଇଥିବା ଟ୍ୟାଙ୍କର ସାମମାର ହେରାଲ୍ଡରୁ ଏକ ଅଡ଼ିଓ ରେକର୍ଡିଂ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଅଧିକାରୀ ଇରାନୀ ନୌସେନାର ପ୍ରତିଶ୍ରୁତି ଉଲ୍ଲଂଘନ ଉପରେ ପ୍ରଶ୍ନ ଉଠାଇଥିବା ଶୁଣିବାକୁ ମିଳିଛି । ଫାୟାରିଂ ସମୟରେ ଘଟିଥିବା ବିଶୃଙ୍ଖଳାକୁ କଏଦ କରି ଗୋଟିଏ ଟ୍ୟାଙ୍କର୍ରୁ ଏକ ବାର୍ତ୍ତା ଆସିଛି। ଅଶୋଧିତ ତୈଳ ଟ୍ୟାଙ୍କର୍ "ସରମାର ହେରାଲ୍ଡ"ରେ ଥିବା ଜଣେ କ୍ରୁ ସଦସ୍ୟ ଇରାନୀ ନୌସେନା ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାର ଶୁଣିବାକୁ ମିଳୁଛି । ପ୍ରାୟ ୩୦ ସେକେଣ୍ଡର ଏହି ଅଡିଓକୁ ଜାହାଜ ଗତିବିଧି ଉପରେ ନଜର ରଖୁଥିବା ଏକ ସାମୁଦ୍ରିକ ଗୁପ୍ତଚର ସଂସ୍ଥା ଟ୍ୟାଙ୍କର୍ ଟ୍ରାକର୍ ଦ୍ୱାରା ସେୟାର କରାଯାଇଛି ।
ଭାଇରାଲ ଅଡି଼ଓରେ ଭାରତୀୟ ଟ୍ୟାଙ୍କରର ନାବିକ ନୌସେନାକୁ କହୁଥିବାର ଶୁଣାଯାଉଛି, ତୁମେ ଆଗକୁ ବଢିବାକୁ ଅନୁମତି ଦେଲ । ମୋ ନାମ ତୁମ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛି । କିନ୍ତୁ ଏବେ ତୁମେ ଗୁଳି ଚଳାଉଛ । ମୋତେ ଫେରିବାକୁ ଦିଅ ।'' ଇରାନୀ ସେନା ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଦୁଇଟି ଭାରତୀୟ ଜାହାଜକୁ ଟାର୍ଗେଟ କରିଥିଲେ । ଏହି ଘଟଣା ପରେ ଭାରତ ଏକ ଦୃଢ କୂଟନୈତିକ ପ୍ରତିବାଦ ଜଣାଇଛି । ବୈଦେଶିକ ମନ୍ତ୍ରଣାଳୟ ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲିଙ୍କୁ ଡକାଇଛି । ବୈଦେଶିକ ସଚିବ ଜାହାଜ ଉପରେ ଗୁଳିଚାଳନା ଘଟଣାକୁ ଗମ୍ଭୀର ବୋଲି ବର୍ଣ୍ଣନା କରିଛନ୍ତି । ନାବିକଙ୍କ ସୁରକ୍ଷା ପ୍ରତି ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।
ଏହା ବି ପଢନ୍ତୁ...ଇରାନରେ କ୍ଷମତା ଅସଲରେ କାହା ପାଖରେ ? ହୋର୍ମୁଜରେ ଭାରତୀୟ ଜାହାଜକୁ ଫାୟାରିଂ ବଢାଇଲା କନଫ୍ୟୁଜନ୍
୨ଟି ଜାହାଜ ଉପରେ ଆକ୍ରମଣ- ହୋର୍ମୁଜ ପ୍ରଣାଳୀ ଅତିକ୍ରମ କରୁଥିବା ବେଳେ ଭାରତର ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ଶନିବାର ଆକ୍ରମଣ ହୋଇଛି । ଇରାନର ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି) ଦୁଇଟି ଗନବୋଟ ଯୋଗେ ଭାରତୀୟ ଟ୍ୟାଙ୍କର ନିକଟକୁ ଆସି ଗୁଳିମାଡ଼ କରିଛି । ଏହାପରେ ଟ୍ୟାଙ୍କର ଦ୍ୱୟ ହୋର୍ମୁଜ ଅତିକ୍ରମ କରି ନ ପାରି ପୁଣି ଫେରିଯାଇଛି । ଘଟଣାରେ ଭାରତ ପକ୍ଷରୁ ଇରାନକୁ ସମନ ଜାରି କରାଯାଇଛି । ଭାରତୀୟ ନୌସେନା ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି । ହୋର୍ମୁଜ ପ୍ରଣାଳୀରେ ଭାରତର କୌଣସି ଯୁଦ୍ଧପୋତ ନାହିଁ । କିନ୍ତୁ ଓମାନ ଉପସାଗରରେ ଭାରତୀୟ ଯୁଦ୍ଧପୋତ ମୁତୟନ ହୋଇ ରହିଛି । ହୋର୍ମୁଜ ପାର୍ କରୁଥିବା ଭାରତୀୟ ଜାହାଜକୁ ଏମାନେ ସୁରକ୍ଷା ଯୋଗାଇଥାନ୍ତି । ମେରିଟାଇମ୍ ତଥ୍ୟ ଅନୁସାରେ, ନିକଟରେ ୮ଟି ଟ୍ୟାଙ୍କର ଏକସଙ୍ଗେ ହୋର୍ମୁଜ ଅତିକ୍ରମ କରିଥିଲା । ହୋର୍ମୁଜ ସ୍ୱାଭାବିକ ହୋଇଥିବା ନେଇ ଏଥିରୁ ସଙ୍କେତ ମିଳିଥିଲା । କିନ୍ତୁ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ସ୍ଥିତି ବଦଳି ଯାଇଛି ।