କଟକ,୦୯/୦୮: ରାକ୍ଷୀ ବାନ୍ଧିବାକୁ ଘରକୁ ଯାଉଥିଲେ । ହେଲେ ବାଟରେ ଚାପିଦେଲା ପଥର ବୋଝେଇ ଟ୍ରକ୍ । ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଢେଙ୍କାନାଳ ଜିଲ୍ଲା ବାଲିମି ଅଞ୍ଚଳର ବାମନ ସାହୁଙ୍କ ପୁଅ ରାଜେନ୍ଦ୍ର ନାରାୟଣ ସାହୁ ବୋଲି ଜଣାପଡିଛି । କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ପଞ୍ଚାୟତ ଲଞ୍ଚ ଲ୍ୟାଣ୍ଡ ହୋଟେଲ ସମ୍ମୁଖରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ରାଜେନ୍ଦ୍ର ନାରାୟଣ ସାହୁ ରାକ୍ଷୀ ବାନ୍ଧିବାକୁ ଘରକୁ ଯାଉଥିଲେ । ଏହି ସମୟରେ ଲଞ୍ଚ ଲ୍ୟାଣ୍ଡ ହୋଟେଲ ସମ୍ମୁଖରେ ଏକ ପଥର ବୋଝେଇ ଟ୍ରକ୍ ତାଙ୍କୁ ଚାପି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏ ସମ୍ପର୍କରେ ଖବର ପାଇ ଆଠଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଟ୍ରକ୍ ମାଲିକଙ୍କୁ ଲୋକେ ଧରି ପୁଲିସ ଜିମା ଦେଇଛନ୍ତି । ରାକ୍ଷୀ ପୂର୍ଣ୍ଣିମାରେ ଏଭଳି ହୃଦୟ ବିଦାରକ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।