ଜଗତସିଂହପୁର, ୨୮/୦୮: ଜନ୍ମଦିନରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇଥିଲେ ପୁରୀ । ୪ ଦିନ ହେଲା ଯୁବକଙ୍କ ମିଳୁନି ପତ୍ତା। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ହାତ ଗୋଡ଼ ବନ୍ଧା ଫଟୋ। ଖୋଜି ଖୋଜି ନୟାନ୍ତ ହେଲେଣି ପରିବାର। ଜଗତସିଂହପୁର ଜିଲ୍ଲା କାଁପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଖୋଜ ଯୁବକଙ୍କ ପରିବାର ଲୋକେ ଏନେଇ ବାଲିକୁଦା ଥାନାରେ ଏତଲା ଦେଇଛନ୍ତି।
ସୂଚନାନୁଯାୟୀ, ଜଗତସିଂହପୁର ଜିଲ୍ଲା କାଁପୁର ଗାଁର ନାରାୟଣ ସାହୁ ଦିଲ୍ଲୀରେ ଏକ ଘରୋଇ ସଂସ୍ଥାରେ ରହି କାମ କରୁଥିଲେ। କିଛି ଦିନ ହେଲା ସେ ଗାଁରେ ଆସି ରହୁଥିଲେ । ଗତ ୨୪ ତାରିଖ ଦିନ ତାଙ୍କର ଜନ୍ମଦିନ ଥିବାରୁ ସେ ବାଲିକୁଦା ବଜାରରୁ ବସ୍ ଯୋଗେ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ। ୪ ଦିନ ହେଲା ତାଙ୍କର କୌଣସି ଖୋଜ ଖବର ନାହିଁ। ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହେଲେଣି। ଏହାରି ଭିତରେ ଗତକାଲି ଠାରୁ ବିଦ୍ୟୁତ୍ ଖୁଣ୍ଟରେ ନାରାୟଣଙ୍କ ହାତ ଗୋଡ଼ ବନ୍ଧା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋ ଦେଖିବା ପରେ ପରିବାର ଲୋକଙ୍କ ପକ୍ଷରୁ ବାଲିକୁଦା ଥାନାରେ ଏତଲା ଦିଆଯାଇଛି। ତେବେ କିଏ କେଉଁ ପରିସ୍ଥିତିରେ ତାଙ୍କୁ କେଉଁଠି ବାନ୍ଧିଛି ତାହା ଜଣା ପଡ଼ିନାହିଁ।