ସଇଁତଳା, ୧୮/୦୬ : ତେଲ୍ ନଦୀ ପୁରୁଣା ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର। ବିଷ ପିଇ ଆତ୍ମହତ୍ୟା କରିଥିବେ ସନ୍ଦେହ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବେଲଗାଁ ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣଙ୍କ ହେଉଛନ୍ତି ରେଙ୍ଗାଲି ଗ୍ରାମର ଶୁକଦେବ ପ୍ରଧାନ (୩୫ ବର୍ଷ)।
ସୂଚନା ଅନୁସାରେ, ଶୁକଦେବ ପାରିବାରିକ କଳହରୁ ସଇଁତଳା ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘରକୁ ଦୁଇ ଦିନ ତଳେ ସ୍ତ୍ରୀ ଆରତୀ ସାହୁ ଓ ଦେଢ଼ ବର୍ଷର ଝିଅ ସହିତ ଚାଲିଆସିଥିଲେ। ଗତକାଲି ଗାଧୋଇ ଆସୁଛି କହି ଘରୁ ଚାଲିଆସିଥିଲେ ଆଉ ଫେରିନଥିଲେ। ବୁଧବାର ଦିନ ୧୦ଟା ବେଳେ କିଛି ଲୋକ ତେଲ୍ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବ୍ରିଜ୍ ତଳେ ଶୁକଦେବ ପଡ଼ିଥିବା ଦେଖିଥିଲେ। ଯୁବକ ଜଣଙ୍କ ପାଖରେ ଏକ ବିଷ ବୋତଲ ପଡ଼ିଥିବା ବେଳେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ବେଲଗାଁ ଫାଣ୍ଡି ଅଧିକାରୀ ଓ ସଇଁତଳା ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ଶୁକଦେବଙ୍କ ମୃତଦେହ ନିକଟରେ ଏକ କୀଟନାଶକ ଔଷଧ ପଡ଼ିଥିବାରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।