କୁଚିଣ୍ଡା, ୩।୩ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ବିଭତ୍ସ ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରୁ ମୃତଦେହ ଉଦ୍ଧାର। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା କୁଇଲାରୀଯୋର ଗାଁରେ ଘଟିଛି ଏଭଳି ଅଭାବନୀୟ ହତ୍ୟାକାଣ୍ଡ। ମୃତକ ଜଣକ ହେଲେ ଗଜିନ୍ଦ୍ର କିଶାନ ।
ଗଜିନ୍ଦ୍ର କିଶାନ ତାମିଲନାଡୁରେ କାମ କରିଥାନ୍ତି। ବେଳେ ବେଳେ ସେ ଘରକୁ ଆସିଥାନ୍ତି। ତାଙ୍କର ୧୨ ବର୍ଷୀୟ ଝିଅ ହଷ୍ଟେଲରେ ରହି ପାଠ ପଢେ। ଘରେ ତାଙ୍କ ସ୍ତ୍ରୀ ଏକାକୀ ରହୁଥିଲେ। ସୋମବାର ଗାଁର ଜଣେ ସମ୍ପର୍କୀୟଙ୍କ ବାହାଘର ଥିଲା। ଏଥିରେ ଯୋଗ ଦେବାକୁ ରବିବାର ଗଜିନ୍ଦ୍ର ଗାଁକୁ ଆସି ରାତିରେ ଘରେ ରହିଥିଲେ। ସକାଳେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତକଙ୍କ ଦେହର ବିଭିନ୍ନ ସ୍ଥାନରେ ଓ ଗଳାରେ କଟା ଦାଗ ରହିଛି। ଖବର ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତକଙ୍କ ସ୍ତ୍ରୀକୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି।