କୋକସରା,୧୩/୭ : ବିଦ୍ୟୁତ ଆଘାତରେ ଆସି ଜଣେ ଯୁବକଙ୍କ ମୃତ୍ୟୁ । ଏହାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ କୋକସରା ଥାନା ଅନ୍ତର୍ଗତ କୁସୁମଖୁଣ୍ଟି ନିକଟରେ ଜାତୀୟ ରାଜପଥ ୨୬କୁ ସନ୍ଧ୍ୟା ୬ଟାଠାରୁ ଅବରୋଧ କରିବା ସହ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି।
ସୂଚନା ଅନୁସାରେ, କୁସୁମଖୁଣ୍ଟି ଗ୍ରାମର ପଦ୍ମନ ବେହେରାଙ୍କ ପୁଅ ଦୁଃଖିଧନ (୩୨) ସ୍ଥାନୀୟ ଗ୍ରାମର ଜନୈକ ଲୋକଙ୍କ ଘର ବିଦ୍ୟୁତ ସଂଯୋଗ ସଜାଡ଼ିବାକୁ ଆସି ବିଦ୍ୟୁତ ପୋଲ ନିକଟରେ ସଂଯୋଗ କରୁଥିଲେ । ଏହି ସମୟରେ ବିଦ୍ୟୁତ ଆଘାତରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ପରେ ମୃତ ଯୁବକଙ୍କ ପରିବାର ଲୋକେ ସନ୍ଧ୍ୟା ୬ଟାରୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୨୬କୁ କୁସୁମଖୁଣ୍ଟି ନିକଟରେ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଖବରପାଇ ଘଟଣାସ୍ଥଳରେ କୋକସରା ପୋଲିସ ଆଇଆଇସି ସ୍ନିଗ୍ଧା ରାଣି ସୁନା ସମେତ ମୋଟେର ଫାଣ୍ଡି ପୋଲିସ ଟିମ ପହଞ୍ଚି ରାସ୍ତା ଅବରୋଧରେ ବସିଥିବା ପରିଜନ ଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
ତେବେ କ୍ଷତିପୂରଣ ଜିଦରେ ପରିବାର ଲୋକେ ରାସ୍ତା ଅବରୋଧରେ ଅଡ଼ି ବସିଛନ୍ତି । ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଦୁଇ କଡ଼ରେ ଯାତ୍ରୀବାହୀ ବସ ଓ ଅନ୍ୟ ଗାଡିମୋଟର ଅଟକି ରହିଛି । ପରିଜନ ଓ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ ଜାରି ରଖିଛନ୍ତି । କିଛି ସମୟ ପରେ ଘଟଣାସ୍ଥଳରେ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ପହଞ୍ଚିଛନ୍ତି ଓ ଧାରଣାରେ ଥିବା ପରିଜନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଖବର ଲେଖା ଯିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନାହିଁ, ରାସ୍ତା ଅବରୋଧ ଜାରି ରହିଛି ।