ପ୍ରମୁଖ ଖବର
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ସତରଞ୍ଜ ଯାଦୁଗର ଜିଏମ୍‌ ଡୋମ୍ମାରାଜୁ ଗୁକେଶ, ୮ ଗ୍ରାଣ୍ଡମାଷ୍ଟରକୁ ହରାଇ ହୋଇଛନ୍ତି ୬୪ ଘରର ସମ୍ରାଟ

ନୂଆଦିଲ୍ଲୀ ୨୯/୦୪: "ଟରଣ୍ଟୋରେ ଆୟୋଜିତ ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ସର୍ବକନିଷ୍ଠ  ଖେଳାଳି ଭାବେ ଜିଏମ୍‌ ଡୋମ୍ମାରାଜୁ ଗୁକେଶ  ଚାମ୍ପିଅନ ହୋଇଥିଲେ । ବିଶ୍ୱର ୮ ଜଣ ଗ୍ରାଣ୍ଡମାଷ୍ଟର ଏହି ଟାଇଟଲ ଲଢ଼େଇରେ ସାମିଲ ରହିଥିଲେ । ସମସ୍ତଙ୍କୁ ପଛରେ ପକାଇ ଗୁକେଶ ଶେଷରେ ୬୪ ଘରର ସମ୍ରାଟ ହେବାର ଗୌରବ ଲାଭ କରିଥିଲେ । କ୍ୟାଣ୍ଡିଡେଟ୍ସ  ଟାଇଟଲ ସହ ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌କୁ ଯୋଗ୍ୟତା ହାସଲ କରିଛନ୍ତି । "

ଅଦ୍ଭୁତ ଗୋଟି ଚାଳନା ଏବଂ ଅଦମ୍ୟ ସାହସ ଜିଏମ୍‌ ଡୋମ୍ମାରାଜୁ ଗୁକେଶଙ୍କୁ ବିଶ୍ୱ ଚେସ୍‌ରେ ନୂଆ ପରିଚୟ ଦେଇଛି । ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି ଏବଂ ଆଗାମୀ ଦିନର ବିଶ୍ୱ ଚାମ୍ପିଅନ ବୋଲି କହୁଛନ୍ତି । ବିଶ୍ୱ ଚାମ୍ପିଅନ ହେବାର ସମସ୍ତ ଗୁଣ ତାଙ୍କ ପାଖରେ ନିହିତ । ହୁଏତ ଏ ପଥ ଆଉ ଗୁକେଶ ପାଇଁ ବେଶି ଦୂର ନୁହେଁ ।

କେବଳ ଭାରତ ନୁହେଁ ବିଶ୍ୱ ଚେସ୍‌ରେ ଗୁକେଶ ନୂଆ ବିସ୍ମୟ । ଟରଣ୍ଟୋରେ ତାଙ୍କ ଖେଳ ଉପରେ ସାରା ବିଶ୍ୱର ନଜର ରହିଥିଲା । ଆମେରିକା, ରୁଷିଆ ଓ ଫ୍ରାନ୍ସର ଜିଏମ୍‌ମାନଙ୍କୁ ଯେଉଁଭଳି ସେ ପଛରେ ପକାଇ ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହେଲେ ତାହା ଥିଲା ଏକ ଅବିଶ୍ୱସନୀୟ ମୁହୂର୍ତ୍ତ । ମାତ୍ର ୧୭ ବର୍ଷ ବୟସରେ କ୍ୟାଣ୍ଡିଡେଟ୍ସ ଚେସ୍‌ରେ ଚାମ୍ପିଅନ ହେବାରେ ଗୁକେଶ ହେଉଛନ୍ତି ସର୍ବକନିଷ୍ଠ ଖେଳାଳି ।    

ଚେନ୍ନାଇରୁ ଟରଣ୍ଟୋ

ବିଶ୍ୱ ଚାମ୍ପିଅନ ଜିଏମ୍‌ ବିଶ୍ୱନାଥନ ଆନନ୍ଦଙ୍କ ପରେ ପୁଣି ଆଉ ଜଣେ ଚେସ୍‌ ବିସ୍ମୟ ହେଉଛନ୍ତି ଜିଏମ୍‌ ଗୁକେଶ । ୨୦୦୬ ମେ’ ୨୯ ତାରିଖରେ ଚେନ୍ନାଇରେ ତାଙ୍କର ଜନ୍ମ । ବାପା ଡାକ୍ତର ରଜନୀକାନ୍ତ ଏବଂ ମାଆ ଡାକ୍ତର ପଦ୍ମା । ଉଭୟ ପେସାରେ ଡାକ୍ତର, ମାତ୍ର ପିଲାଟି ଦିନରୁ ଗୁକେଶଙ୍କ ରୁଚିଥିଲା ଚେସ୍‌ରେ । ଯେ ହେତୁ ଚେସ୍‌ ଏକ ‘ମାଇଣ୍ଡ ଗେମ୍‌’ ତେଣୁ ବାପା ମାଆ ମଧ୍ୟ ପୁତ୍ରକୁ ଏ ଦିଗରେ ପ୍ରୋତ୍ସାହିତ କରିଥିଲେ । ୨୦୧୯ରେ ଗୁକେଶ ୧୨ ବର୍ଷ ୭ ମାସ ୧୭ ଦିନରେ ଗ୍ରାଣ୍ଡ୍‌ମାଷ୍ଟର ହୋଇଥିଲେ । ଚେସ୍‌ ଇତିହାସରେ ସେ ଥିଲେ ତୃତୀୟ ସର୍ବକନିଷ୍ଠ ଜିଏମ୍‌ । ୨୦୨୩ରେ ଫିଡେ ସର୍କିଟରେ ଦ୍ୱିତୀୟ ସ୍ଥାନରେ ରହି କ୍ୟାଣ୍ଡିଡେଟ୍ସ ଚେସ୍‌କୁ ଯୋଗ୍ୟତା ହାସଲ କରିଥିଲେ ।

ଗୁକେଶ ବିଶ୍ୱର ତୃତୀୟ ସର୍ବକନିଷ୍ଠ ଖେଳାଳି ଭାବେ ୨୭୦୦ ରେଟିଂ ପଏଣ୍ଟ ଅତିକ୍ରମ କରିଥିଲେ । ଏବେ ତାଙ୍କର ରେଟିଂ ପଏଣ୍ଟ ହେଉଛି ୨୭୪୩ । କ୍ୟାଣ୍ଡିଡେଟ୍ସ ଚେସ୍‌ରେ ମୋଟ୍‌ ୧୪ ରାଉଣ୍ଡ ଖେଳ ହୋଇଥିଲା । ଗୁକେଶଙ୍କ ସହ ଭାରତର ଆଉ ୨ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନନ୍ଦା ଏବଂ ବିଦିତ ସନ୍ତୋଷ ଗୁଜରାଠୀ ସାମିଲ ରହିଥିଲେ ।

ଡ୍ର’ରୁ ଚାମ୍ପିଅନ୍

ଗୁକେଶ ପ୍ରଥମ ରାଉଣ୍ଡରେ ଗୁଜରାଠୀଙ୍କୁ ଭେଟିଥିଲେ ଏବଂ ଏହି ରାଉଣ୍ଡ ଡ୍ର’ ରହିଥିଲା । ବାସ୍‌, ଡ୍ର’ରୁ ଆରମ୍ଭ କରି ଶେଷରେ ସେ ସର୍ବାଧିକ ୯ ପଏଣ୍ଟ ସହ ଚାମ୍ପିଅନ ହୋଇଥିଲେ । ଦ୍ୱିତୀୟ ରାଉଣ୍ଡରେ ଗୁକେଶ ଜିଏମ୍‌ ପ୍ରଜ୍ଞାନନ୍ଦାଙ୍କୁ ହରାଇଥିଲେ । ପୁଣି ତୃତୀୟ ରାଉଣ୍ଡ ରୁଷିଆ ଜିଏମ୍‌ ଇଆନ ନେପୋମନିଆଚିଙ୍କ ସହ ଡ୍ର’ ରଖିଥିଲେ ।

ସେହିପରି ଚତୁର୍ଥ ରାଉଣ୍ଡରେ ଆମେରିକାର ଫାବିଆନୋ କାରୁଆନାଙ୍କ ସହ ପଏଣ୍ଟ ଭାଗ କରିଥିଲେ । ପଞ୍ଚମ ରାଉଣ୍ଡରେ ଆଜରବାଇଜାନ ଜିଏମ୍‌ ନିଜତ ଆବାସୋଭଙ୍କୁ ହରାଥିଲେ ଗୁକେଶ । ଷଷ୍ଠ ରାଉଣ୍ଡରେ ଆମେରିକାର ଜିଏମ୍‌ ହିକାରୁ ନାକାମୁରାଙ୍କ ସହ ଡ୍ର’ ରଖିଥିବାବେଳେ ସପ୍ତମ ରାଉଣ୍ଡରେ ଗୁକେଶଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା । ସେ ଫ୍ରାନ୍ସ ଜିଏମ୍‌ ଆଲିରେଜା ଫିରୌଜାଙ୍କ ଠାରୁ ପରାଜିତ ହୋଇଥିଲେ । ଏହାପରେ ସେ ପଏଣ୍ଟ ଟେବୁଲର ତଳକୁ ଖସି ଆସିଥିଲେ । 

ଅଷ୍ଟମ ରାଉଣ୍ଡରେ ଗୁକେଶ ନିଜ ସାଥି ଜିଏମ ଗୁଜରାଠୀଙ୍କୁ ପରାଜିତ କରି ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ । ନବମ ରାଉଣ୍ଡରେ ପ୍ରଜ୍ଞାନନ୍ଦାଙ୍କ ସହ ଡ୍ର’, ଦଶମ ରାଉଣ୍ଡରେ ଇଆନ ନେପୋମନିଆଚିଙ୍କ ସହ ଡ୍ର’, ଏକାଦଶ ରାଉଣ୍ଡରେ ଫାବିଆନୋଙ୍କ ସହ ଡ୍ର’ ଏବଂ ଦ୍ୱାଦଶ ରାଉଣ୍ଡରେ ଜିଏମ୍‌ ନିଜତଙ୍କୁ ପରାଜିତ କରି ନିଜର ଶକ୍ତି ବୃଦ୍ଧି କରିଥିଲେ ।

ତ୍ରୟୋଦଶ ରାଉଣ୍ଡରେ ଜିଏମ୍‌ ଆଲିରେଜାଙ୍କୁ ହରାଇବା ପରେ ଗୁକେଶ ଏକକ ଅଗ୍ରଣୀ ସହ ଟାଇଟଲ ଦାବିଦାର ରହିଥିଲେ । କିନ୍ତୁ ଅନ୍ତିମ ରାଉଣ୍ଡରେ ତାଙ୍କୁ  ହିକାରୁ ଓ ନେପୋଙ୍କୁ ପଛରେ ପକାଇବା ପାଇଁ ହେଲେ ବିଜୟ ଏକ ପ୍ରକାର ନିଶ୍ଚିତ ରହିଥିଲା । ଗୁକେଶ ଏ ସୁଯୋଗ ହାତଛଡ଼ା କରିନଥିଲେ । ହିକାରୁଙ୍କ ସହ ବାଜି ଡ୍ର’ ରଖି ସେ ସର୍ବାଧିକ ୯ ପଏଣ୍ଟ ପାଇ ଚାମ୍ପିଅନ ହୋଇଥିଲେ । ହିକାରୁ (୮.୫) ରୌପ୍ୟ ଏବଂ ଇଆନ ନେପୋ (୮.୫) ବ୍ରୋଞ୍ଜ ପଦକ ପାଇଥିଲେ ।   

୯୮ ଲକ୍ଷ  ଟଙ୍କାର ପୁରସ୍କାର 

କ୍ୟାଣ୍ଡିଡେଟ୍ସ ଚାମ୍ପିଅନ ହେବା ପରେ  ପୁରସ୍କାର ସ୍ୱରୂପ ଗୁକେଶ ୯୮  ଲକ୍ଷ ଟଙ୍କା ପାଇଛନ୍ତି । ତାମିଲନାଡୁ  ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତାଙ୍କୁ  ସମ୍ବର୍ଦ୍ଧିତ କରିବା ସହ ୭୫ ଲକ୍ଷ  ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି ।

ଗୁକେଶ ଚାମ୍ପିଅନ ହେବା ପରେ ଜିଏମ୍‌ ବିଶ୍ୱନାଥନ ଆନନ୍ଦଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ, ଆନନ୍ଦ ସାରଙ୍କ ଦ୍ୱାରା ମୁଁ ବହୁ ମାତ୍ରାରେ ପ୍ରଭାବିତ । ସାରଙ୍କ ଏକାଡେମୀରୁ ମୋତେ ବହୁ ସୁଫଳ ମିଳିଛି । ତେଣୁ ତାଙ୍କୁ ହିଁ ପ୍ରଥମେ ଧନ୍ୟବାଦ ଜଣାଉଛି ।’ ବିଶ୍ୱନାଥନଙ୍କ ଏକାଡେମୀ ୱେଷ୍ଟବ୍ରିଜ-ଆନନ୍ଦ ଚେସ ଏକାଡେମୀରେ ଗୁକେଶ ୨୦୨୦ରୁ ପ୍ରଶିକ୍ଷଣ ନେଉଛନ୍ତି । 

ଗତ ୨୫ ତାରିଖ ସକାଳେ ଗୁକେଶ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଥିଲେ । ପୂର୍ବରୁ ସେଠାରେ ଶୁଭେଚ୍ଛୁକଙ୍କ ଭିଡ଼ ଜମିଥିଲା । ପରିବାର ସଦସ୍ୟ, ସେ ପଢ଼ୁଥିବା ବେଲାମଲ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ତାଙ୍କୁ ଅପେକ୍ଷା କରି ରହିଥିଲେ । ଗୁକେଶ ବିମାନବନ୍ଦରରୁ ବାହାରକୁ ଆସିବା ପରେ ସେମାନେ ତାଙ୍କୁ ଫୁଲ ମାଳ ପିନ୍ଧାଇବା ସହ କରତାଳି ଦେଇ ସ୍ୱାଗତ କରିଥିଲେ । ଏହାପରେ ସେ ନିଜ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆନନ୍ଦଙ୍କୁ ଜଣାଇଥିଲେ ଧନ୍ୟବାଦ

ଗୁକେଶ କହିଥିଲେ, ‘ଟାଇଟଲ୍‌ ସଫଳତା ପରେ ଘରକୁ ଫେରି ବହୁତ ଖୁସି ଲାଗୁଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଚାମ୍ପିଅନ୍‌ ହେବି ବୋଲି ମୋର ବିଶ୍ୱାସ ରହିଥିଲା ଏବଂ ଭାଗ୍ୟ ବି ସାଥ୍‌ ଦେଲା । ମୋତେ ସମର୍ଥନ କରି ଆସିଥିବା ପରିବାର ସଦସ୍ୟ, କୋଚ୍‌, ବନ୍ଧୁ, ସ୍କୁଲ ଏବଂ ପ୍ରାୟୋଜକଙ୍କୁ ଧନ୍ୟବାଦ ଜଣାଉଛି । ଆଗକୁ ବିଶ୍ୱ ଚାମ୍ପିଅନସିପ୍‌ ଖେଳିବାକୁ ଯାଉଛି । ଡିଫେଣ୍ଡିଂ ଚାମ୍ପିଅନ୍‌ ଡିଙ୍ଗ୍‌ ଲିରେନଙ୍କ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ବିଶ୍ୱ ଚାମ୍ପିଅନ୍‌ ହେବା ମୋର ଏକମାତ୍ର ଲକ୍ଷ୍ୟ ।’ ସୂଚନାଯୋଗ୍ୟ, ବିଶ୍ୱନାଥନଙ୍କ ପରେ ଗୁକେଶ ଦ୍ୱିତୀୟ ଭାରତୀୟ ଭାବେ କ୍ୟାଣ୍ଡିଡେଟ୍ସ ଟାଇଟଲ ଜିତିବା ସହ ବିଶ୍ୱ ଚାମ୍ପିଅନସିପ୍‌ ଖେଳିବାକୁ ଯାଉଛନ୍ତି ।

ଓଡ଼ିଶାରେ ଖେଳିଛନ୍ତି ବିଭିନ୍ନ ପ୍ରତିଯୋଗିତା

ପିଲା ଦିନରୁ ବିଭିନ୍ନ ବୟସ ବର୍ଗର ଜାତୀୟ ପ୍ରତିଯୋଗିତାରେ ଗୁକେଶ ଅଂଶ ଗ୍ରହଣ କରୁଥିଲେ । ଭୁବନେଶ୍ୱରରେ ଆୟୋଜିତ ଚତୁର୍ଥ କେଶବାନନ୍ଦ ଦାସ ସ୍ମାରକୀ ସର୍ବଭାରତୀୟ ଫିଡେ ରେଟିଂ ଚେସ ଏବଂ କିଟ୍‌ ଗ୍ରାଣ୍ଡମାଷ୍ଟର ଚେସ୍‌ରେ ଭାଗ ନେଇଛନ୍ତି । ଚତୁର୍ଥ କେଶବାନନ୍ଦ ଚେସରେ ଗୁକେଶ ୧୦ ରାଉଣ୍ଡ ଖେଳି ୫ ବିଜୟ ଓ ୧ ଡ୍ର’ ସହ ୪୯ତମ ସ୍ଥାନରେ ରହିଥିଲେ । ଉତ୍କଳ ରଞ୍ଜନ ସାହୁଙ୍କ ଠାରୁ ସେ ପରାଜିତ ହୋଇଥିଲେ । ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ସେ କିଟ୍‌ ଚେସ୍‌ରେ ଅଂଶ ଗ୍ରହଣ କରି ଆସୁଥିଲେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.