ନୂଆଦିଲ୍ଲୀ,୨୦/୦୪: ଚଳିତ ଆଇପିଏଲ ୩୫ତମ ଲିଗ୍ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଚଳିତ ସିଜନରେ କ୍ୟାପିଟାଲ୍ସ ଦଳ ନିଜ ଘରୋଇ ଗ୍ରାଉଣ୍ଡ୍ ଅରୁଣ ଜେଟଲୀ ଷ୍ଟାଡ଼ିୟମ୍ରେ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣା ହୋଇଯାଇଛି । କାରଣ ଦୀର୍ଘ ୧୬ ମାସ ପରେ ଦିଲ୍ଲୀ କ୍ରିକେଟ୍ ପ୍ରେମୀ ନିଜ ପ୍ରିୟ ଖେଳାଳି ରିଷଭ ପନ୍ତଙ୍କୁ ଦେଖିବାକୁ ଯାଉଛନ୍ତି । ମାତ୍ର ଘରୋଇ ସମର୍ଥକଙ୍କ ଉତ୍ସାହକୁ ଫିକା ପକାଇବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଅପେକ୍ଷା କରି ରହିଛି।
ପ୍ରଥମାର୍ଦ୍ଧରେ ଦିଲ୍ଲୀ କ୍ୟାପିଟାଲ୍ସ ବିଶାଖାପଟ୍ଟନମ୍ ସ୍ଥିତ ଗ୍ରାଉଣ୍ଡକୁ ଘରୋଇ ଗ୍ରାଉଣ୍ଡ ରୂପେ ବାଛିଥିଲା । ଉକ୍ତ ଗ୍ରାଉଣ୍ଡରେ ଦଳ ୨ଟି ମ୍ୟାଚ୍ ଖେଳିଥିଲା ଓ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଥିଲା । ମାତ୍ର ନିଜର ପୁରୁଣା ଘରୋଇ ଗ୍ରାଉଣ୍ଡ୍ ଭାଗ୍ୟ ବଦଳାଇବ ବୋଲି କ୍ୟାପିଟାଲ୍ସ ଆଶା ରଖିଛି । ବିଜୟକୁ ଫେରିବା ପରେ ଦଳର ମନୋବଳ ବୃଦ୍ଧି ପାଇଛି । ଏପଟେ କିଛି ଆହତ ଖେଳାଳି ଫିଟ ହୋଇ ଅଭ୍ୟାସ ଆରମ୍ଭ କରିଥିବାରୁ ଦଳ ଆଶ୍ୱସ୍ତ ରହିଛି ।
ସନରାଇଜର୍ସ ଏଥର ଧୂଆଁଧାର ବ୍ୟାଟିଂ କରି ଆତଙ୍କ ଖେଳାଇଛି । ସର୍ବାଧିକ ଦଳଗତ ସ୍କୋର ରେକର୍ଡକୁ ୨ଥର ଭାଙ୍ଗି ସାରିଛି । ବ୍ୟାଟରମାନେ ଚମତ୍କାର ଫର୍ମରେ ରହିଛନ୍ତି । ସବୁ ଗ୍ରାଉଣ୍ଡ୍ରେ ଦଳ ଚୌକା ଓ ଛକା ବର୍ଷା କରୁଛି । ଶନିବାର ମଧ୍ୟ କୋଟଲାର ଛୋଟ ବାଉଣ୍ଡାରୀରେ ବିଶାଳ ସଟ୍ମାନ ଖେଳିବାକୁ ଦଳ ଅପେକ୍ଷା କରି ରହିଛି ।
ସନରାଇଜର୍ସର ଦୁଇ ଓପନର ଟ୍ରେଭିସ୍ ହେଡ୍ ଓ ଅଭିଷେକ ଶର୍ମାଙ୍କ ବିପକ୍ଷରେ କ୍ୟାପିଟାଲ୍ସର ଦୁଇ ପେସ୍ ବୋଲର ଈଶାନ୍ତ ଶର୍ମା ଓ ଖଲିଲ ଅହମ୍ମଦଙ୍କ ବୋଲିଂ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ କରିବ । ସନରାଇଜର୍ସ ବ୍ୟାଟରମାନଙ୍କ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଜରୁରି । ହେଡ୍ ଓ ଅଭିଷେକଙ୍କ ବ୍ୟତୀତ ମଧ୍ୟ କ୍ରମରେ ହେନରିକ୍ କ୍ଲାସେନ, ଅବଦୁଲ ସମଦ ଓ ଆଡେନ ମାରକ୍ରମ ମଧ୍ୟ ଭୟଙ୍କର ବ୍ୟାଟିଂ କରୁଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ମୁଖ୍ୟତଃ ପନ୍ତ ଓ ଟ୍ରିଷ୍ଟନ ଷ୍ଟବ୍ସଙ୍କ ଉପରେ ନିର୍ଭର କରୁଛି। ଅନ୍ୟ ସବୁ ବ୍ୟାଟର ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଶନିବାର ଏକାଦଶରେ ପରିବର୍ତ୍ତନ ସମ୍ଭାବନା ରହିଛି । ଡେଭିଡ୍ ୱାର୍ଣ୍ଣର ଏକାଦଶକୁ ଫେରିବା ସମ୍ଭାବନା ରହିଛି । ଫଳରେ ଯୁବ ଅଲ୍ରାଉଣ୍ଡର ସୁମିତ କୁମାର ବାଦ ପଡ଼ିବେ । ସନରାଇଜର୍ସ ଦଳ ଅପରିବର୍ତ୍ତିତ ରଖିବ ।
ଅରୁଣ ଜେଟଲି ଗ୍ରାଉଣ୍ଡ୍ରେ ପ୍ରଥମ ମ୍ୟାଚ୍ ଖେଳାଯାଉଥିବାରୁ ପିଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ।ଗତ ସିଜନ ଅପେକ୍ଷା ଏଥର ପିଚ୍କୁ ନେଇ କୋଚ୍ ରିକି ପଣ୍ଟିଂ ବେଶ୍ ଖୁସି ଅଛନ୍ତି । ପିଚ୍ରେ ଘାସ ରଖାଯାଇଥିବାରୁ ପେସ ବୋଲିଂ ବିଭାଗ ଏଠାରେ ସଫଳ ହେବା ନିଶ୍ଚିତ । ଉଭୟ ଦଳ ନିକଟରେ ଦକ୍ଷ ପେସ୍ ବୋଲର ରହିଛନ୍ତି । ମାତ୍ର ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।
ସମ୍ଭାବ୍ୟ ଏକାଦଶ:
ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଡେଭିଡ୍ ୱାର୍ଣ୍ଣର, ଜେକ ଫ୍ରେଜର ମ୍ୟାକଗର୍କ, ଅଭିଷେକ ପୋରେଲ୍, ରିଷଭ ପନ୍ତ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ, ସୁମିତ କୁମାର, କୁଲଦୀପ ଯାଦବ, ଈଶାନ୍ତ ଶର୍ମା, ମୁକେଶ କୁମାର । (ଇମ୍ପାକ୍ଟ ପ୍ଲେୟାର: ଖଲିଲ ଅହମ୍ମଦ)
ସନରାଇଜର୍ସ: ଟ୍ରେଭିସ୍ ହେଡ୍, ଅଭିଷେକ ଶର୍ମା, ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଅବଦୁଲ ସମଦ, ନିତିଶ କୁମାର ରେଡ୍ଡୀ, ସାହାବାଜ ଅହମ୍ମଦ, ପ୍ୟାଟ୍ କମିନ୍ସ(ଅଧିନାୟକ), ଭୁବନେଶ୍ୱର କୁମାର, ଜୟଦେବ ଉନାକାତ, ଟି ନଟରାଜନ । (ଇମ୍ପାକ୍ଟ ପ୍ଲେୟାର: ମୟଙ୍କ ମାର୍କଣ୍ଡେ)