ଜେରୁସାଲେମ୍: ମଧ୍ୟପ୍ରାଚ୍ୟରେ ମହାସଙ୍କଟ । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ଆଉ ଏକ ଯୁଦ୍ଧ ହେବାକୁ ଯାଉଛି । ଇସ୍ରାଏଲ ଏବଂ ଇରାନ୍ ମଧ୍ୟରେ ହୋଇପାରେ ଭୟଙ୍କର ଯୁଦ୍ଧ । ଇସ୍ରାଏଲ ଉପରେ ଇରାନ୍ ଡ୍ରୋନ୍ ଆକ୍ରମଣ କରିବା ପରଠାରୁ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି । ଏହାରି ମଧ୍ୟରେ ଶୁକ୍ରବାର ଇରାନ୍ରେ ଇସ୍ରାଏଲ ଡ୍ରୋନ୍ ଆକ୍ରମଣ କରିଥିବା ନେଇ ଆମେରିକୀୟ ଅଧିକାରୀ ଏବିସି ନ୍ୟୁଜ୍କୁ କହିଛନ୍ତି । ଏହା ପରେ ଚିନ୍ତା ବୃଦ୍ଧି ପାଇଛି । ସେପଟେ ଡ୍ରୋନ୍ ଆକ୍ରମଣରେ କୌଣସି କ୍ଷତି ହୋଇନଥିବା ତେହରାନ ପକ୍ଷରୁ କୁହାଯିବା ସହ ଦେଶର ଏୟାର ଡିଫେନ୍ସ ୩ଟି ଡ୍ରୋନ୍ ଖସାଇଥିବା ନେଇ ସୂଚନା ଦେଇଛି ।
କେନ୍ଦ୍ରୀୟ ଇରାନରେ ଥିବା ସହର ଇସଫାନରେ ୩ଟି ବଡ଼ ବସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି ବୋଲି ଦେଶରେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ସିରିୟା ଏବଂ ଇରାକ୍ରେ ମଧ୍ୟ ବିସ୍ଫୋରଣ ହୋଇଥିପା ନେଇ କୁହାଯାଉଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଏପରିକି ଆମେରିକୀୟ ଅଧିକାରୀ ଘଟଣା ସଂପର୍କରେ ଅଧିକ କିଛି କହିନାହାନ୍ତି । ଡ୍ରୋନ ଆକ୍ରମଣ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଡ୍ରୋନ୍ ଆକ୍ରମଣ ନେଇ ଜଣାପଡ଼ୁଥିଲେ ହେଁ ପ୍ରକୃତ ସ୍ଥାନ ସଂପର୍କରେ ଜଣାପଡ଼ିନାହିଁ। ତେବେ ଏପ୍ରିଲ ୧୩ରେ ଇରାନର ଡ୍ରୋନ୍ ଆକ୍ରମଣ ପରେ ଇସ୍ରାଏଲ ପଟୁ ଏହି ପ୍ରତିଆକ୍ରମଣ ନେଇ ଖବର ମିଳିଛି । ଏହା ପୂର୍ବରୁ ଏପ୍ରିଲ ୧ରେ ସିରିୟାର ରାଜଧାନୀ ଡାମାସକସରେ ଥିବା ଇରାନର ଦୂତାବାସ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ ।
ଅନ୍ୟପକ୍ଷରେ, ଇସ୍ରାଏଲର ପ୍ରତିଆକ୍ରମଣ ସଂପର୍କରେ ଖବର ରଖିଥିବା ଜଣେ ବରିଷ୍ଠ ଅଧିକାରୀ ରୟଟର୍ସକୁ ସୂଚନା ଦେଇଛନ୍ତି ଯେ, ଏହି ଡ୍ରୋନ୍ ଆକ୍ରମଣ ପଛରେ ଆମେରିକାର ହାତ ନାହିଁ । ସେହିଭଳି ଇରାନ୍ର ଫାର୍ସ ନ୍ୟୁଜ ଅନୁସାରେ ଇସଫାନ୍ ସହରରେ ଥିବା ସେନା କ୍ୟାମ୍ପ ନିକଟରେ ୩ଟି ବସ୍ଫୋରଣ ନେଇ ଶବ୍ଦ ଶୁଣିବାକୁ ମିଳିଛି । ଆଉ ଏକ ମିଡିଆ ରିପୋର୍ଟ ଅନୁସାରେ, ଇରାନ ଆକାଶରେ ୩ଟି ଡ୍ରୋନ ଦେଖାଯାଇଥିଲା । ହେଲେ ଏହାକୁ ଇରାନ୍ର ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ହିଁ ଧ୍ବଂସ କରିଦେଇଛି । ଏହି ରିପୋର୍ଟ ଉପରେ ଇରାନ୍ର ସେନା କୌଣସି ପ୍ରତିକ୍ରିୟା ଦେଇ ନାହିଁ ।